Welcome!

Unlock your personalized experience.
Sign Up

UP Restaurant: ପାଣି ବୋତଲରେ ୨ ଟଙ୍କା ଅଧିକ ନେବା ପଡ଼ିଲା ମହଙ୍ଗା

Oct 15, 2026 - 18:49
UP Restaurant: ପାଣି ବୋତଲରେ ୨ ଟଙ୍କା ଅଧିକ ନେବା ପଡ଼ିଲା ମହଙ୍ଗା

ଅଲିଗଡ଼:ପାଣି ବୋତଲରେ ଗ୍ରାହକଙ୍କଠାରୁ ୨ ଟଙ୍କା ଅଧିକ ନେବା ଏକ ଲୋକପ୍ରିୟ ରେସ୍ତୋରାଁକୁ ମହଙ୍ଗା ପଡ଼ିଛି। ଏହି ମାମଲା ଜିଲ୍ଲାଉପଭୋକ୍ତା ଆୟୋଗରେ ପହଞ୍ଚିବା ପରେ ଆୟୋଗ ରେସ୍ତୋରାଁ ଉପରେ ମୋଟ ୧ ଲକ୍ଷ ୫ ହଜାର ଟଙ୍କାର ଆର୍ଥିକ ଦଣ୍ଡ ଲଗାଇଛନ୍ତି। ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବିବିସିଏନ୍ ରୟାଲ୍ ରେସ୍ତୋରାଁ ଆଣ୍ଡ ପାର୍ଟି ହଲ୍‌ର ମାଲିକ ଏକ ପାଣି ବୋତଲରେ ଧାର୍ଯ୍ୟ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି)ଠାରୁ ୨ ଟଙ୍କା ଅଧିକ ନେଇଥିଲେ। ଏହାକୁ ନେଇ ଗ୍ରାହକ ଆପତ୍ତି ଉଠାଇବା ସହ ଉପଭୋକ୍ତା ଆୟୋଗରେ ଅଭିଯୋଗ କରିଥିଲେ। ଏବେ ଆୟୋଗ ଏହି ମାମଲାରେ ରାୟ ଶୁଣାଇଛନ୍ତି।

କ’ଣ ଥିଲା ପୂରା ଘଟଣା?

ଏହି ଘଟଣା ୧୧ ମାର୍ଚ୍ଚ ୨୦୨୬ର। ଅଲିଗଡ଼ର ବାସିନ୍ଦା ଅଙ୍କୁର ଅଗ୍ରୱାଲ ହାଥରସ୍‌ର ବିବିସିଏନ୍ ରୟାଲ୍ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ। ସେଠାରେ ସେ ଏକ ପାଣି ବୋତଲ ମଗାଇଥିଲେ। ବୋତଲ ଉପରେ ଏମ୍‌ଆର୍‌ପି ୧୮ ଟଙ୍କା ଲେଖାଥିଲା। କିନ୍ତୁ ରେଷ୍ଟୁରାଣ୍ଟ ପକ୍ଷରୁ ତାଙ୍କଠାରୁ ବୋତଲ ପାଇଁ ୨୦ ଟଙ୍କା ନିଆଯାଇଥିଲା।

ଏହାକୁ ବିରୋଧ କରି ଅଙ୍କୁର ଅଗ୍ରୱାଲ ଅଲିଗଡ଼ ଜିଲ୍ଲା ଉପଭୋକ୍ତା ଆୟୋଗରେ ଅଭିଯୋଗ କରିଥିଲେ। ଶୁଣାଣି ସମୟରେ ସେ ପାଣି ବୋତଲର ବିଲ୍‌ ଏବଂ ବୋତଲର ଫଟୋ ଦାଖଲ କରିଥିଲେ। ବିଲ୍‌ରେ ବୋତଲର ମୂଲ୍ୟ ୨୦ ଟଙ୍କା ଥିବାବେଳେ ବୋତଲ ଉପରେ ୧୮ ଟଙ୍କା ଏମ୍‌ଆର୍‌ପି ଲେଖାଥିଲା। ଏହି ପ୍ରମାଣ ଅଭିଯୋଗକାରୀଙ୍କ ପକ୍ଷକୁ ମଜଭୁତ କରିଥିଲା।

ଅଭିଯୋଗକାରୀଙ୍କୁ ମିଳିବ ୬ ହଜାର ଟଙ୍କା

ରେସ୍ତୋରାଁକୁ ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇଥିଲା। କିନ୍ତୁ ରେସ୍ତୋରାଁ ପକ୍ଷରୁ ମାମଲାରେ କୌଣସି ପକ୍ଷ ରଖାଯାଇ ନଥିଲା। ଏହା ପରେ ଉପଲବ୍ଧ ଦସ୍ତାବିଜ ଆଧାରରେ ଆୟୋଗ ଏକପାଖିଆ ରାୟ ଶୁଣାଇଥିଲେ। ୧୨ ଅକ୍ଟୋବର ୨୦୨୬ରେ ଶୁଣାଯାଇଥିବା ରାୟରେ ଏମ୍‌ଆର୍‌ପିଠାରୁ ଅଧିକ ମୂଲ୍ୟ ଆଦାୟକୁ ଅନୁଚିତ ବ୍ୟବସାୟିକ ଆଚରଣ ବୋଲି ଆୟୋଗ ଦର୍ଶାଇଥିଲେ।

ଆୟୋଗ ରେସ୍ତୋରାଁକୁ ନିମ୍ନଲିଖିତ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  • ୧ ଲକ୍ଷ ଟଙ୍କା:ଉପଭୋକ୍ତା କଲ୍ୟାଣ ପାଣ୍ଠିରେ ଜମା କରିବାକୁ।

  • ୧ ହଜାର ଟଙ୍କା:ଅଭିଯୋଗକାରୀଙ୍କୁ କ୍ଷତିପୂରଣ ବାବଦରେ ଦେବାକୁ।

  • ୫ ହଜାର ଟଙ୍କା:ମାମଲାର ଖର୍ଚ୍ଚ ବାବଦରେ ଅଭିଯୋଗକାରୀଙ୍କୁ ଦେବାକୁ।

୪୫ ଦିନ ମଧ୍ୟରେ ଜମା କରିବାକୁ ପଡ଼ିବ ଟଙ୍କା

ଆୟୋଗ ରାୟ କାର୍ଯ୍ୟକାରୀ କରିବା ପାଇଁ ରେସ୍ତୋରାଁକୁ ୪୫ ଦିନ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ନିର୍ଦ୍ଦେଶ ପାଳନ ନକଲେ ରେସ୍ତୋରାଁ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ମଧ୍ୟ  ଦିଆଯାଇଛି।

ଏହି ଘଟଣାର ବିଶେଷତ୍ୱ ହେଉଛି, ପାଣି ବୋତଲରେ ମାତ୍ର ୨ ଟଙ୍କା ଅଧିକ ନେବା ଯୋଗୁଁ ରେସ୍ତୋରାଁକୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି। ଏହି ରାୟ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଏକ ଚେତାବନୀ। ଗ୍ରାହକଙ୍କଠାରୁ ଏମ୍‌ଆର୍‌ପିଠାରୁ ଅଧିକ ମୂଲ୍ୟ ଆଦାୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)