Undercover Transport Minister: ମନ୍ତ୍ରୀଙ୍କ ପାଖରେ ଖୁଚୁରା ନଥିବାରୁ ବସ୍ରୁ ଓହ୍ଲାଇଦେଲେ କଣ୍ଡକ୍ଟର
ମାସ୍କ ପିନ୍ଧି ସାଧାରଣ ଯାତ୍ରୀ ସାଜି ବସରେ ଚଢ଼ିଲେ ପରିବହନ ମନ୍ତ୍ରୀ, ୧୦୦ ଟଙ୍କା ଦେବା ପରେ କଣ୍ଡକ୍ଟର କହିଲେ– 'ଓହ୍ଲାଇ ପଡ଼ନ୍ତୁ'
ସାର୍ବଜନୀନ ପରିବହନ ସେବାର ପ୍ରକୃତ ସ୍ଥିତି ଜାଣିବା ପାଇଁ କର୍ଣ୍ଣାଟକର ପରିବହନ ମନ୍ତ୍ରୀ ବି. ସୁରେଶ ଏକ ଭିନ୍ନ ଉପାୟ ଆପଣାଇଛନ୍ତି। ମାସ୍କ ପିନ୍ଧି ସାଧାରଣ ଯାତ୍ରୀ ସାଜି ସେ ବେଙ୍ଗାଳୁରୁ ମହାନଗର ପରିବହନ ନିଗମର ବିଭିନ୍ନ ବସରେ ଯାତ୍ରା କରି ଅଚାନକ ଯାଞ୍ଚ କରିଥିଲେ। ଏହି ସମୟରେ ସେ ନିଜେ ମଧ୍ୟ ଖୁଚୁରା ଟଙ୍କାକୁ ନେଇ ସାଧାରଣ ଯାତ୍ରୀମାନଙ୍କ ପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୧୦ରୁ ରାତି ୯ଟା ୧୦ ପର୍ଯ୍ୟନ୍ତ ବି. ସୁରେଶ ବେଙ୍ଗାଲୁରୁର ବିଭିନ୍ନ ରୁଟରେ ୧୦ରୁ ଅଧିକ ବସରେ ଯାତ୍ରା କରିଥିଲେ। ଜୟମହଲ, ଆର୍ଟି ନଗର, ହେବ୍ବାଳ, ନାଗଭାରା, ହେନ୍ନୁର ଓ ଗେଦ୍ଦଲାହଲ୍ଲି ଭଳି ଅଞ୍ଚଳରେ ସେ ଯାତ୍ରୀଙ୍କ ସହ ସିଧାସଳଖ କଥା ହୋଇ ସେବା ସମ୍ପର୍କିତ ଅଭିଯୋଗ ଓ ମତାମତ ଶୁଣିଥିଲେ।
ହେବ୍ବାଳ–ନାଗଶେଟ୍ଟିହଲ୍ଲି ରୁଟର ଏକ ବସରେ ଟିକେଟ୍ କିଣିବା ପାଇଁ ମନ୍ତ୍ରୀ ୧୦୦ ଟଙ୍କାର ନୋଟ୍ ଦେଇଥିଲେ। କିନ୍ତୁ କଣ୍ଡକ୍ଟରଙ୍କ ପାଖରେ ଖୁଚୁରା ଟଙ୍କା ନଥିବାରୁ ସେ ମନ୍ତ୍ରୀଙ୍କୁ "ବସ୍ରୁ ଓହ୍ଲାଇ ପଡ଼ନ୍ତୁ" ବୋଲି କହିଥିଲେ। ଏହି ଘଟଣା ସାଧାରଣ ଯାତ୍ରୀମାନେ ପ୍ରତିଦିନ ସମ୍ମୁଖୀନ ହେଉଥିବା ସାମ୍ନାକୁ ଆସିଥିଲା।
ଅଚାନକ ଯାଞ୍ଚ ସମୟରେ KA 57 F 3372 ନମ୍ବର ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ବିରୋଧରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଥିଲା। ଜଣେ ଯାତ୍ରୀ ସଙ୍କେତ ଦେଇଥିଲେ ମଧ୍ୟ ଫନ୍ ୱାର୍ଲ୍ଡ ବସ୍ ଷ୍ଟପରେ ବସ୍ ନ ଅଟକାଇବାରୁ ମନ୍ତ୍ରୀ ଉଭୟଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ଭଡ଼ା ନେଉଥିବା ଅଟୋ ଚାଳକଙ୍କୁ ତାଗିଦ -
ଯାଞ୍ଚ ବେଳେ ନାଗଶେଟ୍ଟିହଲ୍ଲିରେ ଜଣେ ଅଟୋ ଚାଳକ ମିଟରରେ ୩୦ ଟଙ୍କା ଦେଖାଉଥିବା ସତ୍ତ୍ୱେ ଯାତ୍ରୀଙ୍କଠାରୁ ୩୬ ଟଙ୍କା ଆଦାୟ କରୁଥିବା ଜଣାପଡ଼ିଥିଲା। ଏହାକୁ ନେଇ ମନ୍ତ୍ରୀ ସମ୍ପୃକ୍ତ ଅଟୋ ଚାଳକଙ୍କୁ କଡ଼ା ତାଗିଦ କରିଥିଲେ।
ପରିବହନ ମନ୍ତ୍ରୀ ବି. ସୁରେଶ କହିଛନ୍ତି, ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ଅଧିକ ବିଶ୍ୱସନୀୟ ଓ ସୁରକ୍ଷିତ କରିବା ପାଇଁ ଏଭଳି ଯାଞ୍ଚ ଆଗାମୀ ଦିନରେ ସହରର ବିଭିନ୍ନ ସ୍ଥାନରେ ଜାରି ରହିବ। ସେ କହିଛନ୍ତି, କର୍ମଚାରୀଙ୍କ ମଧ୍ୟରେ ଶୃଙ୍ଖଳା ବଜାୟ ରଖିବା ସହ ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇବା ହିଁ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।