Triple Talaq & Rape Case: ସାନ ଭାଇ ଦେଲା ତିନ୍ ତଲାକ, ବଡ଼ ଭାଇ କଲା ଦୁଷ୍କର୍ମ

Jul 06, 2026 - 13:35
Triple Talaq & Rape Case: ସାନ ଭାଇ ଦେଲା ତିନ୍ ତଲାକ, ବଡ଼ ଭାଇ କଲା ଦୁଷ୍କର୍ମ

ଉତ୍ତରପ୍ରଦେଶ (Uttar Pradesh) ର ବିଜନୋର ଜିଲ୍ଲାରୁ ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନ୍ ତଲାକ୍ (Triple Talaq) ଦେବା ପରେ ମହିଳାଜଣକ ଦୁଷ୍କର୍ମ (Rape Case) ର ଶିକାର ହୋଇଛନ୍ତି। ଆଉ ଦୁଷ୍କର୍ମ କରିଛନ୍ତି ଖୋଦ ତଲାକ୍ ଦେଇଥିବା ବ୍ୟକ୍ତିଙ୍କ ବଡ଼ ଭାଇ। ଏନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ମହିଳା ଜଣକ ତାଙ୍କ ଏତଲାରେ କହିଛନ୍ତି ଯେ, ସେ ବର୍ଷକ ପୂର୍ବରୁ ନଦୀମଙ୍କୁ ବିବାହ କରିଥିଲେ। ବିବାହରେ ତାଙ୍କ ପରିବାର ଲୋକେ ଯୌତୁକ ବାବଦକୁ ଘରୋଇ ଆସବାବପତ୍ର, ଏକ ମୋଟରସାଇକେଲ, ଗହଣା ଏବଂ ୨ ଲକ୍ଷ ନଗଦ ଟଙ୍କା ଦେଇଥିଲେ। କିନ୍ତୁ ଏତିକିରେ ସନ୍ତୁଷ୍ଟ ନଥିଲେ ତାଙ୍କ ଶାଶୁଘର ଲୋକେ। ଯେଉଁଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। 

ମହିଳା କହିଛନ୍ତି, ମେ ୧୯ ତାରିଖ ରାତିରେ ତାଙ୍କ ସ୍ବାମୀ ତାଙ୍କୁ ମାରପିଟ୍ କରିଥିଲେ। ଯେଉଁଥିପାଇଁ ପୂର୍ବରୁ ସର୍ଜରୀ ହୋଇଥିବା ସ୍ଥାନରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ନଦୀମ ତାଙ୍କୁ ତିନି ଥର ତଲାକ କହି ଘରୁ ବାହାରିଯିବାକୁ କହିଥିଲେ। ଏହା ପରଦିନ ସେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ନଦୀମ ଓ ତାଙ୍କ ପରିବାର ଲୋକ ବୁଝାସୁଝା କରିବା ସହ ପୁଣି ଆଉ ଥରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଘରକୁ ନେଇଥିଲେ। 

ହେଲେ ସ୍ଥିର ହୋଇଥିବା ମେ ୩୦ ତାରିଖରେ ବିବାହ ପୂର୍ବରୁ ନଦୀମଙ୍କ ବଡ଼ ଭାଇ ୱାସିମ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ମହିଳା ତାଙ୍କ ପରିବାର ଲୋକଙ୍କୁ ଜଣାଇବାକୁ ଚାହୁଁଥିଲେ ମଧ୍ୟ ନଦୀମ ଓ ତାଙ୍କ ପରିବାର ଲୋକେ ମହିଳାଙ୍କୁ ଘର ଭିତରେ ବନ୍ଦୀ ଭାବେ ରଖଥିଲେ। ତେବେ ପର ମୁହୁର୍ତ୍ତରେ କୌଣସିମତେ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଏବଂ ସେମାନେ ମହିଳାଙ୍କୁ ତାଙ୍କ ଶାଶୁଘରୁ ନେଇଯାଇଥିଲେ। 

ଏହାପରେ ମହିଳା ଜଣକ ଥାନାରେ ଏତଲା ଦେବା ପରେ ପୋଲିସ ନାଦୀମ ଓ ୱାସିମଙ୍କୁ ଗିରଫ କରିବା ସହିତ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।