TMC: ପାର୍ଟି ମୁଖ୍ୟାଳୟ ଦଖଲକୁ ନେଲେ ଋତବ୍ରତ ଗୋଷ୍ଠୀ

Jul 03, 2026 - 23:18
TMC: ପାର୍ଟି ମୁଖ୍ୟାଳୟ ଦଖଲକୁ ନେଲେ ଋତବ୍ରତ ଗୋଷ୍ଠୀ

କୋଲକାତା: ତୃଣମୂଳ କଂଗ୍ରେସ ଦଳ ଦଖଲ ପାଇଁ ଲଢ଼େଇ ଶୁକ୍ରବାର ଜୋରଦାର ହୋଇଛି। ଟିଏମସିରେ୍ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀ ଆଜି କୋଲକାତାର ମେଟ୍ରୋପଲିଟାନ ଅଞ୍ଚଳରେ ଥିବା ଦଳର ମୁଖ୍ୟ ଅଫିସ୍‌କୁ ନିୟନ୍ତ୍ରଣକୁ ନେଇଛନ୍ତି। ଫିରହାଦ ହାକିମ, ସନ୍ଦୀପନ ସାହ, ଜାଭେଦ ଖାନ୍‌ ଏବଂ ଦଳର କୋଷାଧ୍ୟକ୍ଷ ଅକରୁଜ୍ଜାମାନଙ୍କ ସମେତ ଅନେକ ବିଧାୟକ ଆଜି ପାର୍ଟି ଅଫିସ୍‌ରେ ପଶିଥିଲେ ଏବଂ ଗେଟ୍‌ର ତାଲା ବଦଳାଇ ଅଫିସ୍‌ ବାହାରେ ଏକ ପୋଷ୍ଟର୍‌ ଲଗାଇଛନ୍ତି। ସେମାନେ ମଧ୍ୟ ସେଠାରେ ଏକ ବୈଠକ କରିଛନ୍ତି।

ଏହି ଅଫିସ୍‌କୁ ସେମାନେ ଦଳର ମୁଖ୍ୟାଳୟ ଭାବେ ପରିଚାଳନା କରିବେ ବୋଲି ଘୋଷଣା କରିଛନ୍ତି। ଅକରୁଜ୍ଜାମାନ କହିଛନ୍ତି, ଘର ମାଲିକଙ୍କ ସହ ଚୁକ୍ତି ‌ଶେଷ ହୋଇଛି ଏବଂ ଏବେ ସେଠାରୁ ସମସ୍ତ ସାଂଗଠନିକ କାର୍ଯ୍ୟ ପରିଚାଳନା କରାଯିବ। ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ସାମ୍ନା ଗେଟ୍‌ରେ ଏକ ପୋଷ୍ଟର ଲଗାଇଛନ୍ତି ଏବଂ ସେମାନେ ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ରାଷ୍ଟ୍ରୀୟ ସଭାପତି ଘୋଷଣା କରିଛନ୍ତି। ଦଳର ଅଫିସ୍‌ ଭିତରେ ଥିବା ମମତା ବାନାର୍ଜୀଙ୍କ ଫଟୋ ଏବଂ କଟ୍‌ ଆଉଟ୍‌ ସବୁ କାଢ଼ି ଦିଆଯାଇଛି।

ଋତବ୍ରତ ବାନାର୍ଜୀ କହିଛନ୍ତି, ତାଙ୍କ ଗୋଷ୍ଠୀ ଶନିବାର ଠାରୁ ଅଫିସ୍‌ରେ ଔପଚାରିକ ଭାବେ କାମ ଆରମ୍ଭ କରିବ। ଋତବ୍ରତ କହିଛନ୍ତି, ଆମେ ତୃଣମୂଳ କଂଗ୍ରେସ ଏବଂ ଏହା ଆମର ମୁଖ୍ୟାଳୟ। ଉଲ୍ଲେଖଯୋଗ୍ୟ ୨୦୨୨ରୁ ଏହି ଅଫିସ୍‌ ତୃଣମୂଳ କଂ‌ଗ୍ରେସର ମୁଖ୍ୟାଳୟ ଥିଲା। ତେବେ ବି‌ଦ୍ରୋହୀ ଗୋଷ୍ଠୀ ଟିଏମ୍‌ସି ଅଫିସ୍‌ ଦଖଲ କରିଥିବା ଖବର ପ୍ରଘଟ ହେବାପରେ ମମତାଙ୍କ ସହ ଘନିଷ୍ଠ ତୃଣମୂଳ ବିଧାୟକମାନେ ଅଫିସ୍‌‌ରେ ପହଞ୍ଚିଥିଲେ। ସେମାନେ ଗେଟ୍‌ ବନ୍ଦ ଥିବା ଦେଖି ଭିତରକୁ ପଶି ପାରିନଥିଲେ। ବରିଷ୍ଠ ଟିଏମ୍‌ସି ନେତା କୁନାଲ ଘୋଷ ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

ସେ କହିଛନ୍ତି, ଦଳର ଯେକୌଣସି ବିଧାୟକଙ୍କର ଅଫିସ୍‌କୁ ଆସିବାର ଅଧିକାର ଅଛି। ଗେଟ୍‌ କାହିଁକି ଲକ୍‌ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ମଧ୍ୟ ଦାବି କରିଛି ଯେ ରାଜ୍ୟ ପ୍ରଶାସନ ଏବଂ ପୁଲିସ ସମର୍ଥନରେ ସେମାନେ ଅଫିସ୍‌କୁ ନିୟନ୍ତ୍ରଣକୁ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଋତବ୍ରତ ବାନାର୍ଜୀ ଏବଂ ତାଙ୍କ ସହଯୋଗୀ ଦିଲ୍ଲୀରେ ନିର୍ବାଚନ କମିସନ୍‌ଙ୍କୁ ଭେଟିବାପରେ ଆଜି ଏହି କାର୍ଯ୍ୟପନ୍ଥା ଗ୍ରହଣ ହୋଇଛି। ସେମାନେ ନିର୍ବାଚନ କମିସନଙ୍କ ନିକଟରେ ଦଳର ନାମ, ଚିହ୍ନ, ସାଂଗଠନିକ ନିର୍ମାଣ ଏବଂ ସମ୍ପତ୍ତି ଦାବି କରିଥିଲେ। ଗୁରୁବାର ବିଦ୍ରୋହୀ ଗୋଷ୍ଠୀଙ୍କ ସହ ବୈଠକ ପରେ ନିର୍ବାଚନ କମିସନ୍‌ ଉଭୟ ପକ୍ଷଙ୍କୁ ସେମାନଙ୍କ ଦାବି ଉପରେ ଜୁଲାଇ ୬ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।