The Wait Ends Tomorrow: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା, ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ
ଭକ୍ତମୟ ପୁରୀ ସହର... ଭକ୍ତିମୟ ବଡ଼ଦାଣ୍ଡ... ଜୟ ଜଗନ୍ନାଥ, ଧ୍ବନୀରେ କମ୍ପୁଛି କାଳିଆ ଦୁଆର...। ରାତି ପାହିଲେ ଶ୍ରୀକ୍ଷେତ୍ରରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ବର୍ଷକେ ଥରେ, ନିଜର ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପାଇଁ ରତ୍ନ ସିଂହାସନ ଛାଡ଼ି ରଥକୁ ବିିଜେ କରିବେ ମହାବାହୁ। ଆଉ ଏପଟେ କାଳିଆର ଏ ଦିବ୍ୟ ଓ ଭବ୍ୟ ଲୀଳା ଦେଖିବାକୁ ଏବେଠୁ ଭାବ-ଭକ୍ତିରେ ବୁଡ଼ିଗଲାଣି ବଡ଼ଦାଣ୍ଡ।
କିଏ କେତେ ଦୂରରୁୁ କେତେ ଭାବନା ନେଇ ଧାଇଁ ଆସିଛି ଶ୍ରୀକ୍ଷେତ୍ର ଧାମ। କାଲି ରଥ ଉପରେ ନିଜ ପ୍ରିୟ ଠାକୁରଙ୍କୁ ଟିକିିଏ ଆଖି ପୂରେଇ ଦେଖିବ, ଆଉ ମନର କଥା କହିବାକୁ ଅପଲକ ନୟନରେ ଅପେକ୍ଷା କରିଛି ଭକ୍ତ।
ବିଜେ କାହାଳୀ ବାଜିବା ପରେ ଦିନ ପ୍ରାୟ ଗୋଟାଏ ୧୦ ବେଳକୁ ଶ୍ରୀମନ୍ଦିରରୁ ୩ ରଥ ପାଇଁ ଆଜ୍ଞାମାଳ ଆସିବାର ପର୍ବ ଆରମ୍ଭ ହୋଇଥିଲା। ୩ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ଶ୍ରଦ୍ଧାର ସହ ୩ ରଥରେ ବିଜେ କରିଥିଲେ। ପ୍ରଥମେ ବଡ଼ଠାକୁରଙ୍କ ତାଳଧ୍ବଜ, ପରେ କାଳିଆ ଠାକୁରଙ୍କର ନନ୍ଦିଘୋଷ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ରଥରେ ଆଜ୍ଞାମାଳ ପ୍ରଦାନ ପରେ ରଥଖଳାରୁ ସିଂହଦ୍ବାର ସାମ୍ନାକୁ ଗଡ଼ିଥିଲେ ଗୋଟିଏ ପରେ ଗୋଟିଏ ରଥ।
ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ବଜ ରଥ ସୁରକ୍ଷା ବାହିନୀଙ୍କ ଦ୍ବାରା ସିଂହଦ୍ବାର ସାମ୍ନାରେ ଲାଗିଥିଲା। ଆଉ ଏଥିସହ ଆସନ୍ତାକାଲି ଚତୁର୍ଦ୍ଧାମୂରତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ବୋଲି ତିନି ଠାକୁରଙ୍କୁ ସୂଚାଇ ଦେଇଥିଲେ ତିନି ରଥ।
ଆଜି ପୁରୀରେ ଭଲ ବର୍ଷା ସତ୍ତ୍ବେ ବେଶ୍ ଶୃଙ୍ଖଳିତ ଆଉ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତିକାନ୍ତି ସମାପନ ହୋଇଛି। ସକାଳୁ ବର୍ଷା ପରେ ମଧ୍ୟହ୍ଣରେ ଶୁଖିଲା ପାଗ ପାଇଁ ନୀତିକାନ୍ତି କିମ୍ବା ୩ ରଥକୁ ସିଂହଦ୍ବାର ସାମ୍ନାକୁ ନେବାରେ କୌଣସି ଅସୁବିଧା ହୋଇନି। ଏପଟେ ଆଜି ଉଭା ଅମାବାସ୍ୟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିବାରୁ, କାଳିଆ ଦର୍ଶନ ପାଇଁ ଆତୁର ନୟନରେ ଅପେକ୍ଷା କରିଥିବା ପତିତପାବନଙ୍କ ଦର୍ଶନ କରି ତୃପ୍ତ ହୋଇଥିଲେ। ଆଉ ଏପଟେ କାଲି ପାଇଁ ଆଜିଠୁ ନିଜକୁ ପ୍ରସ୍ତୁତ କରୁଥିଲେ ସବୁ ନିଯୋଗର ସେବାୟତ।
ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଦ୍ଧାରଣ ଅନୁସାରେ ଆସନ୍ତାକାଲି ଅପରାହ୍ଣ ୪ଟାରେ ହେବ ରଥଟଣା। ତା ପୂର୍ବରୁ ସକାଳ ୯ଟାରେ ରଥ ପ୍ରତିଷ୍ଠା, ସାଢ଼େ ୯ରୁ ସାଢ଼େ ୧୨ଟା ଭିତରେ ପହଣ୍ଡି ଏବଂ ଅପରାହ୍ଣ ୨ଟାରୁ ୩ଟା ଭିତରେ ଛେରା ପହଁରା ପାଇଁ ସମୟ ସ୍ଥିର ହୋଇଛି। ଆଉ ଆସନ୍ତାକାଲିରେ ସେ ଦିବ୍ୟ ମୁହୂର୍ତ୍ତକୁ ଉତ୍ସାହର ଅପେକ୍ଷା କରିଛନ୍ତି କାଳିଆ ସାଆନ୍ତଙ୍କର କୋଟି କୋଟି ଭକ୍ତ।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।