Hanuman Ansh teaser: 'ହନୁମାନ ଅଂଶ' ଟିଜର ରିଲିଜ୍, ନୀବ କରୋରୀ ବାବାଙ୍କ ଜୀବନରୁ ପ୍ରେରିତ ଏହି ଫିଲ୍ମ ନୁହେଁ ସାଧାରଣ ବାୟୋପିକ୍
ଶ୍ରୀ ନୀବ କରୋରୀ ବାବାଙ୍କ ଜୀବନ ଓ ଶିକ୍ଷାରୁ ପ୍ରେରଣା ନେଇ ନିର୍ମିତ ଆଗାମୀ ଚଳଚ୍ଚିତ୍ର 'ହନୁମାନ ଅଂଶ'ର ଟିଜର ମୁକ୍ତିଲାଭ କରିଛି। ଫିଲ୍ମର ଟିଜରରେ ଆଧ୍ୟାତ୍ମିକତା, ଭକ୍ତି ଏବଂ ମାନବୀୟ ଭାବନାର ଏକ ଭିନ୍ନ ଝଲକ ଦେଖିବାକୁ ମିଳିଛି।
ଚଳଚ୍ଚିତ୍ରର ଲେଖକ ଓ ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ କହିଛନ୍ତି ଯେ 'ହନୁମାନ ଅଂଶ' କେବଳ ଏକ ପାରମ୍ପରିକ ବାୟୋପିକ୍ ନୁହେଁ, ଏହା ଏକ ଆଧ୍ୟାତ୍ମିକ ଯାତ୍ରା। ଏହି ଫିଲ୍ମ ଶ୍ରୀ ନୀବ କରୋରୀ ବାବାଙ୍କ ଜୀବନ, ଚିନ୍ତାଧାରା ଓ ମାନବ ସେବାର ମୂଲ୍ୟବୋଧକୁ କେନ୍ଦ୍ର କରି ତିଆରି କରାଯାଇଛି।
ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀ କହିଛନ୍ତି ଫିଲ୍ମର ନାମକରଣ ପଛରେ ଏକ ବିଶେଷ ଚିନ୍ତାଧାରା ରହିଛି। ରିସର୍ଚ୍ଚ ସମୟରେ ନୀବ କରୋରୀ ଗାଁକୁ ଯିବା ପରେ ସେଠାକାର ଲୋକମାନେ ବାବାଙ୍କୁ ହନୁମାନଙ୍କ ଅଂଶ ସହ ଯୋଡ଼ି ଦେଖୁଥିବା କହିଥିଲେ।
ତେବେ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି ଯେ ଫିଲ୍ମ ସିଧାସଳଖ ଭାବେ ବାବାଙ୍କୁ କୌଣସି ଦେବତା ଭାବେ ଦର୍ଶାଉନାହିଁ। ଏହା ତାଙ୍କ ଶିକ୍ଷା, ଚିନ୍ତାଧାରା ଓ ଆଧ୍ୟାତ୍ମିକ ଯାତ୍ରାକୁ ନେଇ ଏକ କାହାଣୀ।
'ହନୁମାନ ଅଂଶ' ପାଇଁ ସେ ଦୀର୍ଘ ସମୟ ଧରି ଗବେଷଣା କରିଥିଲେ। ନୀବ କରୋରୀ ବାବାଙ୍କ ସହ ଜଡ଼ିତ ସ୍ଥାନ, ପୁସ୍ତକ ଓ ତାଙ୍କ ଅନୁଗାମୀମାନଙ୍କ ସହ ଆଲୋଚନା ଆଧାରରେ ଏହି କାହାଣୀ ପ୍ରସ୍ତୁତ ହୋଇଛି।
ଏହି ଫିଲ୍ମ ତାଙ୍କ ପୁସ୍ତକ 'ଡିଭାଇନ୍ ଡିଟୁର୍' ଦ୍ୱାରା ପ୍ରେରିତ ଏକ ଆଧ୍ୟାତ୍ମିକ ତ୍ରିଲୋଜିର ପ୍ରଥମ ଭାଗ ବୋଲି କୁହାଯାଉଛି।
ଫିଲ୍ମର କାହାଣୀ ଏକ କାଳ୍ପନିକ ଗ୍ରାମ ଅଞ୍ଜନାଦ୍ରିକୁ ନେଇ ଆଗକୁ ବଢ଼ିଛି। ଏଥିରେ ହନୁମନ୍ତୁ ନାମକ ଜଣେ ଛୋଟ ପିଲାର ଆଧ୍ୟାତ୍ମିକ ସନ୍ଧାନ ଓ ଜୀବନ ପରିବର୍ତ୍ତନର ଯାତ୍ରାକୁ ଦେଖାଯାଇଛି। ଏହି ଫିଲ୍ମ ସେବା, ଦୟା ଓ ବିଶ୍ୱାସ ଭଳି ମୂଲ୍ୟବୋଧ ଉପରେ ଆଧାରିତ।
'ହନୁମାନ ଅଂଶ'ରେ ଶୋଭିନା ଡବ୍ଲୁ ସତ୍ୟା, ବିହାନ ଏସ୍ ହେଗଡେ, ଚନ୍ଦନ ଆନନ୍ଦ, ପୂର୍ଣ୍ଣିମା ତିୱାରୀ, ଅନିଲ କେ ରସ୍ତୋଗୀ ଏବଂ ଗୁଲଶନ ପାଣ୍ଡେ ପ୍ରମୁଖ ଭୂମିକାରେ ଅଛନ୍ତି।
ରାଗିଣୀ ଏସ୍, ନମ୍ରତା ଜି. ସିଂ, ଅନୁପ୍ରିୟା ଏ. ନାଗର ଏବଂ ବିଶାଲ ଚତୁର୍ବେଦୀଙ୍କ ପ୍ରଯୋଜନାରେ ନିର୍ମିତ ଏହି ଆଧ୍ୟାତ୍ମିକ ଚଳଚ୍ଚିତ୍ର ଜୁଲାଇ ୩୧ରେ ସାରା ଭାରତର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।