The incorporeal drink: ଅଶରୀରୀ ପାନ କରିବେ ମହାପ୍ରଭୁଙ୍କ ଅଧରାମୃତ
"ସାଢ଼େ ୪ ଫୁଟର ଅଧର ହାଣ୍ଡି, ହାଣ୍ଡି ପ୍ରସ୍ତୁତି ନସରିବା ଯାଏ ପଡ଼େନି କାହାର ଦୃଷ୍ଟି ପୁରୀ: ମହାପ୍ରଭୁ ରଥଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବା ପରେ କ୍ଳାନ୍ତି ମେଣ୍ଟାଇବା ପାଇଁ ପଣା ପିଇବେ।
ଶରୀରୀ ଓ ଅଶରୀରୀମାନଙ୍କୁ ନିଜ ଅଧର ସ୍ପର୍ଶ ହୋଇଥିବା ପଣା ରୂପକ ଅମୃତକୁ ପାନ କରାଇ ତୋଷ କରାଇବେ।
ଏହି ମାନବୀୟ ଲୀଳା ସଂରଚନାରେ ବି ଥାଏ ଅନେକ ସେବକଙ୍କ ଶ୍ରମର ଫଳଶ୍ରୁତି।
ରଥ ଓରାରୁ ମହାପ୍ରଭୁଙ୍କ ଓଠ ଛୁଇଁଲା ଭଳି ତୁମ୍ବକାର ମାଟି ହାଣ୍ଡି ପ୍ରସ୍ତୁତ କରି ସାଇତି ସାରିଲେଣି କୁମ୍ଭକାର ସେବକ।
ବଡ଼ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ଲେଖାଏଁ କରି ମୋଟ୍ ୯ଟି ହାଣ୍ଡି ତିନି ରଥ ଲାଗି ପ୍ରସ୍ତୁତ କରାଯାଇଛି।Advertisment ରାଘବ ଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ବଂଶାନୁକ୍ରମିକ ଭାବେ ୬ଟି ଅଧର ହାଣ୍ଡି ପ୍ରସ୍ତୁତ କରି ଆସୁଛନ୍ତି ଟିକରପଡ଼ା କୁମ୍ଭାର ସାହିର ଅଜୟ କୁମାର ବିଶୋଇ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉ ୩ଟି ଅଧର ହାଣ୍ଡି ପ୍ରସ୍ତୁତ କରନ୍ତି ଲକ୍ଷ୍ମୀଧର ବିଶୋଇ।
ଅଜୟ ବିଶୋଇଙ୍କ କହିବା ମୁତାବକ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ପାଇଁ ସାଢ଼େ ୪ଫୁଟରୁ ୫ ଫୁଟ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ପାଖାପାଖି ୪ ଫୁଟର ତୁମ୍ବକାର ମାଟି ହାଣ୍ଡି ପ୍ରସ୍ତୁତ କରିଥାଉ।
ମଠ ପକ୍ଷରୁ ପ୍ରତି ବର୍ଷ ଭଳି ଏ ବର୍ଷ ୬ଟି ହାଣ୍ଡି ପାଇଁ ବରାଦ ପାଇଥିବା ବେଳେ ଏଥିପାଇଁ ତାଙ୍କୁ ବର୍ଷ ତମାମ ଶ୍ରୀମନ୍ଦିର ପକ୍ଷରୁ ଖେଇ ଅର୍ଥାତ ମହାପ୍ରସାଦ ମିଳି ଆସୁଛି।
ଅଧର ହାଣ୍ଡି ତିଆରି ନିମନ୍ତେ ୭ଝୁଡ଼ି ମାଟି, ୨ ଝୁଡ଼ି ବାଲି ଲାଗୁଥିବା ବେଳେ ଗୋଟିଏ ଲେଖାଏଁ ହାଣ୍ଡି ୩୦ରୁ ୪୦ କେଜି ଓଜନ ବିଶିଷ୍ଟ।
ଏହାକୁ ବହୁତ ନିଷ୍ଠା ଓ ଆନ୍ତରିକତାର ସହ ସେ ପ୍ରସ୍ତୁତ କରନ୍ତି।
ହାଣ୍ଡି ପ୍ରସ୍ତୁତି ବେଳେ ଓ ଶେଷ ନହେବା ପର୍ଯ୍ୟନ୍ତ ଯେପରି ଏହା ଉପରେ ମହିଳା ଓ ଅନ୍ୟମାନଙ୍କ ଦୃଷ୍ଟି ନପଡ଼େ ସେ ପରଦା ଟାଣି ଏହାକୁ ପ୍ରସ୍ତୁତ କରନ୍ତି।
ଏପରି କରିବା ପଛର ଉଦ୍ଦେଶ୍ୟ ସମ୍ପର୍କରେ ସେ କହିଛନ୍ତି ଯେ ଜେଜେ ବାପାଙ୍କ ଅମଳରୁ ଏକ ଧାରଣା ପ୍ରଚଳିତ ହୋଇଆସିଛି ଯେ ଏହାକୁ ପ୍ରସ୍ତୁତ କରିବା ବେଳେ କେହି ମହିଳା ଏହାକୁ ଦେଖିବେ ନାହିଁ।
ତେଣୁ ଏହାକୁ ତିଆରି କରିବା ବେଳେ ଅନ୍ୟମାନଙ୍କ ଦୃଷ୍ଟି ଆଢ଼ୁଆଳ ପାଇଁ ପରଦା ଟାଣି ପ୍ରସ୍ତୁତ କରନ୍ତି।
ଏକ ଘଟଣା ପ୍ରବାହକୁ ମନେ ପକେଇ ସେ କୁହନ୍ତି, ୨୦୦୭ ମସିହାରେ ଜଣେ ବ୍ୟକ୍ତି ଅଧର ହାଣ୍ଡି ପ୍ରସ୍ତୁତି ଦେଖିବା ସହ ଭାବବିହ୍ବଳ ହୋଇ ଏହାକୁ ସ୍ପର୍ଶ କରିଦେଇଥିବାରୁ ତାହା ଭାଟିରେ ପୋଡ଼ାଯିବା ବେଳେ ନଷ୍ଟ ହୋଇଗଲା।
ତେଣୁ ତୁରନ୍ତ ଆଉ ଥରେ ହାଣ୍ଡି ପ୍ରସ୍ତୁତ କରିବାକୁ ପଡ଼ିଥିଲା।
ବର୍ଷଯାକ ସେ ଶ୍ରୀମନ୍ଦିରକୁ ମାଟି କୁଡ଼ୁଆ ଯୋଗାଇ ଆସୁଥିବା ବେଳେ ଏହି ଅଧର ହାଣ୍ଡି ପ୍ରସ୍ତୁତି ତାଙ୍କୁ ସବୁଠୁ ବେଶି ଆନନ୍ଦ ଦିଏ ବୋଲି କହିଛନ୍ତି।
ସାଢ଼େ ୪ଫୁଟର ହାଣ୍ଡି ପ୍ରସ୍ତୁତ କରିବା ସହଜ କଥା ନୁହେଁ, ବରଂ ଭଗବାନ ନିଜେ ଆମ ହାତରେ ଏପରି କରାଇ ଦିଅନ୍ତି ବୋଲି ତାଙ୍କର ମତ।
ଆଜି ଗରୁଡ଼ ଶୟନପୁରୀ: ଦ୍ବାଦଶୀ ତିଥିରେ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହେବ।
ମହାପ୍ରଭୁଙ୍କ ଭଳି ପ୍ରଭୁ ଗରୁଡ଼ ବି ଶୟନରତ ରହିବେ।
ମହାପ୍ରଭୁ ଚାରିମାସ ପରେ ଉଠିବା ପରେ ପ୍ରଭୁ ଗରୁଡ଼ ମଧ୍ୟ ନିଦ୍ରାରୁ ଉଠିବେ।
ରବିବାର ସଂଧ୍ୟାଧୂପ ପରେ ଗରୁଡ଼ଙ୍କୁ ଗାଧୁଆପାଧୁଆ କରାଯାଇ ବସ୍ତ୍ରାଦି ଆଭୂଷଣରେ ବେଶ କରାଯିବ।
ପଞ୍ଚଭୂତରେ ଭୋଗ ହୋଇ ଗରୁଡ଼ ମହାପ୍ରଭୁଙ୍କୁ ଆବାହନ କରାଯିବ।
ପରେ ମହାପ୍ରଭୁ ଶୟନ କରିଥିବା ଭଣ୍ଡାର ଘର ଖଟ ତଳେ ପ୍ରଭୁ ଗରୁଡ଼ ଶୋଇରହିବେ।
ଆଷାଢ଼ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ଚାରିମାସ ଶୟନ କରୁଥିବାରୁ ଏହାକୁ ଚତୁର୍ମାସ୍ୟା କୁହାଯାଏ।
ଏହି ସମୟରେ ସାଧୁ, ସନ୍ଥ, କିଛି ଭକ୍ତ ବୃନ୍ଦ ଚତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି।
୪ମାସ ଶୟନ ଗଲେ ହରି ସୁନାବେଶରେ ଦର୍ଶନ ପରେ ଶୟନ ଯାଇଛନ୍ତି ମହାପ୍ରଭୁ।
ଆଷାଢ଼ ଶୁକ୍ଳ ଏକାଦଶୀରେ ବିଳମ୍ବିତ ରାତିରେ "ହରିଶୟନ ଏକାଦଶୀ" ଅନୁଷ୍ଠିତ ହୋଇଛି।
ବିଧି ଆଧାରରେ ଆଜିଠାରୁ ୪ ମାସ ପର୍ଯ୍ୟନ୍ତ ଠାକୁରେ ଶୟନ ଯିବେ।
ଭାଦ୍ରବ ମାସରେ କଡ଼ ଲେଉଟାଇବେ। ।
ମହାପ୍ରଭୁ ନିଦ୍ରା ଯାଇଥିବାରୁ ଆଜିଠାରୁ ମାଙ୍ଗଳିକ କାର୍ଯ୍ୟ, ଯଥା ବିବାହ, ବ୍ରତ ଆଦି ନିଷେଧ ରହିଛି।
ମହାପ୍ରଭୁଙ୍କ ସମେତ ହରିଙ୍କ ସମସ୍ତ ରୂପ ବି ଆଜିଠାରୁ ଶୟନରେ ଯାଇଛନ୍ତି।
ଭାଦ୍ରବରେ ମହାପ୍ରଭୁ କଡ଼ ଲେଉଟାଇବା ପରେ ଅନ୍ୟ ଦେବଦେବୀ ମଧ୍ୟ କଡ଼ ଲେଉଟାଇବେ।
ଆଜି ରଥରେ ତିନି ଠାକୁରଙ୍କ ବଡ଼ସିଂହାର ଭୋଗ ପରେ ଶ୍ରୀବଳଭଦ୍ରଙ୍କ ଶୟନ ଠାକୁର ପ୍ରଭୁ ବାସୁଦେବ, ଦେବୀ ସୁଭଦ୍ରାଙ୍କ ଶୟନ ଠାକୁରାଣୀ ମା" ଭୁବନେଶ୍ବରୀ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ଠାକୁର ପ୍ରଭୁ ନାରାୟଣଙ୍କ ଅଙ୍ଗଲାଗି ନୀତି ସଂପନ୍ନ ହୋଇ ଶ୍ରୀମନ୍ଦିର ଭଣ୍ଡାରଘରେ ଶୟନ ପାଇଁ ଆବାହନ କରାଯାଇଥିଲା।
ଶୟନ ଘରେ ପୂର୍ବରୁ ପେଡ଼ି, ତାଟ, ଶେଯ, ମାଣ୍ଡି ପ୍ରସ୍ତୁତ ରହିଥିଲା।
ଠାକୁରମାନେ ଏଥିରେ ଶୟନ କରିଥିଲେ।
ଏହି ସମୟରେ ପ୍ରସାଦଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି, ସାତକାହାଳୀ, ସଞ୍ଜବତୀ ଓ ଦୁର୍ବାକ୍ଷତ ବନ୍ଦାପନା ପରେ ପେଡ଼ି ବନ୍ଦ କରାଯାଏ।
ପେଡ଼ି ଉପରେ ଖୋଳ ପକାଯାଏ।
ଏସବୁ ସରି ସମସ୍ତେ ବାହାରକୁ ଆସିଲେ ଶୟନ ଘର ଦ୍ୱାର ମଦନମୋହନଙ୍କ ମୁଦରେ ମୁଦ ଦିଆଯାଇ ବନ୍ଦ କରାଯାଏ।
ଭଣ୍ଡାର ଘର ଖଟ ଉପରେ ଠାକୁରମାନେ ଦକ୍ଷିଣକୁ ମୁହଁ କରି ଶୟନ କରିଥାନ୍ତି।
ଅତୀତରେ ୩ ଦିନ ହେଉଥିଲା ଅଧରପଣାଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ବାର ନିକଟରେ ପହଞ୍ଚିବା ପରେ "ଅଧର ପଣା" ଭୋଗ ହେବାର ପରମ୍ପରା ରହିଛି।
ମାତ୍ର ସମୟ ଅଭାବରୁ ଏହା ଏକାଦଶୀ ଦିନ କରାଯାଉଥିଲା।
ମାତ୍ର ଅନେକ ବର୍ଷ ହେଲା ଏହା ଏକାଦଶୀ ଦିନ ମଧ୍ୟ ହୋଇନପାରି ଦ୍ବାଦଶୀ ତିଥିରେ ହେଉଛି।
ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦ ମୁତାବକ, ପୂର୍ବରୁ ବାହୁଡ଼ା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ତିଥିରେ ତିନି ହାଣ୍ଡି ଓ ଦ୍ବାଦଶୀ ଦିନ ତିନି ହାଣ୍ଡି ଏହିପରି ୯ହାଣ୍ଡି ଅଧର ପଣା ହୋଇଥାଏ।
ଏହା ବ୍ୟତୀତ ଶ୍ରୀବଳଭଦ୍ରଙ୍କ ରଥରେ ରାମ, କୃଷ୍ଣଙ୍କ ଉଦ୍ଦେଶ୍ୟରେ ୨ଟି ସାନ ହାଣ୍ଡି, ଶ୍ରୀଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ଉଦ୍ଦେଶ୍ୟରେ ଗୋଟିଏ ସାନ ହାଣ୍ଡି ପଣା ଭୋଗ ହେଉଥିଲା।
ଅର୍ଥାତ ମୋଟ ୧୨ ହାଣ୍ଡି ଅଧର ପଣା ଭୋଗ କରାଯାଉଥିଲା।
କିନ୍ତୁ ବହୁ ବର୍ଷ ହେଲା ଏଥିରେ ପରିବର୍ତନ ଘଟିଛି।
ତିନି ଦିନ ପରିବର୍ତେ କେବଳ ଦ୍ବାଦଶୀ ତିଥିରେ ମୋଟ ୯ଟି ହାଣ୍ଡିରେ ଅର୍ଥାତ ତିନି ରଥରେ ତିନିଟି ଲେଖାଏଁ ହାଣ୍ଡିରେ ଅଧରପଣା ଭୋଗ କରାଯାଉଛି।
ଛାଚି, ସର, କର୍ପୂର, ଜାଇଫଳ...ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର ଓ ଜାଇଫଳ ପଡ଼ି ପଣା ପ୍ରସ୍ତୁତ ହୋଇଥାଏ।
ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ପ୍ରସ୍ତୁତି ତଥା ନୀତି ଆରମ୍ଭ ହୁଏ।
ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ଓଡ଼ିଆ ମଠ ପଣା ପ୍ରସ୍ତୁତି ସାମଗ୍ରୀ ଯୋଗାଇ ଦେଇଥାନ୍ତି।
ସଂପ୍ରତି ପ୍ରସ୍ତୁତ ହେଉଥିବା ୯ଟି ତୁମ୍ଭାକାର ମାଟି ହାଣ୍ଡି ମଧ୍ୟ ଏହି ଦୁଇ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଉଛି।
ପଣା ସାମଗ୍ରୀ ସବୁକୁ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି।
ବଡ଼ ଓଡ଼ିଆ ମଠ ପକ୍ଷରୁ ଯୋଗାଇ ଦିଆଯାଉଥିବା ଭୋଗ ସାମଗ୍ରୀ ହେଉଛି ୩ କଲୋଗ୍ରାମ ସର, ୩ କିଲୋଗ୍ରାମ ଛେନା, ୩ଶହ ଗ୍ରାମ ଗୋଲମରିଚ, ୧୫ ଭରି କର୍ପୂର, ୫ ହାତର ଗାମୁଛା ସହ ପ୍ରତି ରଥର ଚକ ଅନୁଯାୟୀ ୧୨-୧୪-୧୬ଟି ଲେଖାଏଁ ହୋଇ ମୋଟ ୪୨ଟି ଦେଶୀ ପାଚିଲା କଦଳୀ ଏବଂ ରଥ ଚକ ଅନୁସାରେ ୪୨ଗୋଟି କଳା କୁଡ଼ୁଆରେ ଚିନି (ଛାଚି) ଯୋଗାଇ ଦିଆଯାଇଥାଏ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।