Textbook Controversy Probe: ପିଲାଙ୍କ ବହି ବିଭ୍ରାଟ ମାମଲାର ତନାଘନା, SCERT ଅଫିସରେ ୬ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଖୋଳତାଡ
ଆକ୍ସନ ମୋଡ୍ ରେ କ୍ରାଇମବ୍ରାଞ୍ଚ୍
ଗତକାଲି SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ
ଆଜି ଅଫିସ୍ ରେ ଛାନଭିନ୍
ପାଠ୍ୟପୁସ୍ତକ ପାଇଁ ଗଠନ ହୋଇଥିବା କମିଟି ଓ ଟେଣ୍ଡର୍ ପ୍ରକ୍ରିୟା ନେଇ ଖୋଳତାଡ଼
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ହୋଇଥିବା ସାଂଘାତିକ ତ୍ରୁଟିର ତଦନ୍ତଭାର କ୍ରାଇମବ୍ରାଞ୍ଚ ନେବାପରେ ଜୋରଦାର୍ ହୋଇଛି ଘଣ୍ଟାଚକଟା। ଗତକାଲି ବହି ବିଭ୍ରାଟ ପଛର ମୁଖ୍ୟ ଖଳନାୟକ କୁହାଯାଉଥିବା SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଆଉ ଆଜି SCERT ଅଫିସରେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍।
ପ୍ରଥମେ FIR ଦେଇଥିବା SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କୁ ଭେଟି ଆଲୋଚନା କରିଥିଲେ। ତା ପରେ ଅଫିସରେ ଆରମ୍ଭ କରିଥିଲେ ଖୋଳତାଡ଼। କ୍ରାଇମବ୍ରାଞ୍ଚ୍ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ ଦୁଇଭାଗରେ ବିଭକ୍ତ ହୋଇ SCERT ଅଫିସ୍ ର କରିକୁଲମ୍ ସେଲ୍ ଏବଂ କନଫରେନ୍ସ ରୁମ୍ ରେ ତ୍ରୁଟିଥିବା ୫୫ଟି ବହିକୁ ମଗାଇ ତନ୍ନ ତନ୍ନକରି ଯାଞ୍ଚ କରିଥିଲେ। ସେହି ସମୟରେ ନିର୍ଦ୍ଦେଶିକା ଓ ଅନ୍ୟ କିଛି କର୍ମଚାରୀ ଉପସ୍ଥିତ ଥିଲେ।
ସେପଟେ ବହି ବିଭ୍ରାଟ ଘଟଣାକୁ ନେଇ ଆଜି ବିଜେପି ଏକ ସାମ୍ବାଦିକ ସମ୍ମିଳନୀକରି କହିଛି ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି ମୋହନ ସରକାର। ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗରିଫ କରାଯାଇଛି। ଅନ୍ୟ ଯେଉଁମାନେ ସରକାରକୁ ବଦନାମ କରିବାକୁ ଅପଚେଷ୍ଟା କରିଛନ୍ତି ସମସ୍ତଙ୍କୁ ଖୋଜି ବାହାର କରିବ କ୍ରାଇମବ୍ରାଞ୍ଚ। ସେପଟେ ବିଜେଡି ଦାବି କରିଛି, ଷଡ଼ଯନ୍ତ୍ରକାରୀଙ୍କୁ କ୍ରାଇମବ୍ରାଞ୍ଚ ତୁରନ୍ତ ଲୋକଲୋଚନକୁ ଆଣୁ। କଂଗ୍ରେସ ଘଟଣାର ସିବିଆଇ ତଦନ୍ତ ଦାବି କରିଛି।
ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତି ବେଳେ ମନୋଜ ପାଢ଼ୀଙ୍କ ସହ ଅନ୍ୟ କେଉଁମାନେ ଦାୟିତ୍ବରେ ଥିଲେ? ସେମାନଙ୍କର ଭୂମିକା କଣ ଥିଲା? ସଫ୍ଟ କପିଠାରୁ ଆରମ୍ଭ କରି ଛାପିବା ପର୍ଯ୍ୟନ୍ତ ହୋଇଥିବା ସମସ୍ତ ପ୍ରକାରର ପ୍ରମାଣ ଏକାଠି କରୁଛି ତଦନ୍ତକାରୀ ଟିମ୍।
ସେପଟେ ଶିକ୍ଷାବିତ୍ କହିଛନ୍ତି କେବଳ ମନୋଜ ପାଢ଼ୀଙ୍କୁ ଗିରିଫ କରି ଦୋଷ ଛଡ଼ାଇଲେ ହେବନି, ବହି ଛପାଯିବା ପୂର୍ବରୁ ବିଷୟ ବସ୍ତୁ ସ୍ଥିର କରିବା, ତାକୁ ଯାଞ୍ଚ କରିବା ଏବଂ ମୁଦ୍ରଣ ପାଇଁ ପଠାଯିବା ପର୍ଯ୍ୟନ୍ତ ଯେଉଁ ଯେଉଁ କମିଟିର ଭୂମିକା ଥିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର।
ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ପାଇଁ ରାଜ୍ୟ ରାଜକୋଷରୁ ପ୍ରାୟ ୧୭୫ କୋଟି ଟଙ୍କାର କ୍ଷତି ହୋଇଛି। ଆଗକୁ ଏହି ଘଟଣାରେ ଆଉ କେଉଁମାନଙ୍କୁ କ୍ରାଇମବ୍ରାଞ୍ଚ ବାନ୍ଧୁଛି ଏବେ ତା ଉପରେ ନଜର।.....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।