Textbook: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ବାବୁମାନଙ୍କ ଛାତି ଧଡ଼ଧଡ଼, ତ୍ରୁଟି ଜାଣି ବି ବହି ଛାପିଲେ କେମିତି?
ଭୁବନେଶ୍ୱର: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଏସ୍ସିଇଆରଟି ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ଗିରଫ ହୋଇଛନ୍ତି। ତାଙ୍କ ଅବହେଳା ଯୋଗୁଁ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକ ପ୍ରକାଶନ ଓ ବଣ୍ଟନ ହୋଇଥିଲା, ଯେଉଁଥିପାଇଁ ରାଜ୍ୟ ରାଜକୋଷକୁ ପ୍ରାୟ ୧୭୫ କୋଟି ଟଙ୍କାର କ୍ଷତି ହୋଇଥିଲା। ଜନସ୍ୱାର୍ଥ ପ୍ରତି ଆଘାତ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଛି। କୋଟି କୋଟି ଟଙ୍କା କ୍ଷତି ପଛରେ କ’ଣ କେବଳ ମନୋଜ ପାଢ଼ୀ ଅଛନ୍ତି ନା ଆଉ କିଏ? ଏସ୍ସିଇଆର୍ଟି ବ୍ୟତୀତ ଗଣଶିକ୍ଷା ବିଭାଗ ଅଧୀନ ଅନ୍ୟ ସମସ୍ତ ସଂସ୍ଥା ନିଜର କାର୍ଯ୍ୟ ଠିକ୍ ଭାବେ ତୁଲାଇଥିଲେ କି? ବହି ଛାପିବାକୁ ଅର୍ଥ ପ୍ରଦାନ କରିଥିବା ଓସେପା ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାଇଛି ତ? ଡିଟିପି ଓ ଡିଜାଇନ୍ କରିଥିବା ଉଚ୍ଚଶିକ୍ଷା ବିଭାଗ ଅଧୀନ ସଂସ୍ଥା ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଦାୟିତ୍ୱ ସମ୍ପାଦନା କରିଛି ତ? ସମ୍ପାଦନା ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ, ବିଷୟ ବିଶେଷଜ୍ଞ ନିଜର କର୍ତ୍ତବ୍ୟ ତୁଲାଇଛନ୍ତି ନା ସେମାନେ ବି ଖାମଖିଆଲି ଭାବେ କାର୍ଯ୍ୟ କରିଛନ୍ତି? ଏଭଳି ପ୍ରଶ୍ନ ଉଠିବା ସହ ଅନ୍ୟମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ, ତାହାକୁ ନେଇ ଆଲୋଚନା ଜୋର୍ ଧରିଛି।
ବର୍ତ୍ତମାନର ନିର୍ଦ୍ଦେଶକ ଜାଣିଥିଲେ ମଧ୍ୟ ଚୁପ୍ ଥିଲେ
ମନୋଜଙ୍କ ଗିରଫ ପରେ କାହା ପାଳି ତାହାକୁ ନେଇ ଗଣଶିକ୍ଷା ବିଭାଗରେ ଏବେ କମ୍ପନ ସୃଷ୍ଟି ହୋଇଛି। ଏମିତିକି ଏସ୍ସିଇଆର୍ଟିରେ ଆହୁରି ଅନେକ ଅଧିକାରୀ ରହିଛନ୍ତି ଯେଉଁମାନେ କି ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଅସହଯୋଗ କରିଥିଲେ। ଠିକ୍ ଭାବେ ନିଜର ଦାୟିତ୍ୱ ତୁଲାଇବା ବଦଳରେ ଚଳେଇ ନେବା ଢାଞ୍ଚାରେ କାମ କରିଥିଲେ। ପୁସ୍ତକର ସଂଯୋଜନା ଦାୟିତ୍ୱରେ ରହିଥିଲେ ମଧ୍ୟ କାମ ଠିକ୍ ଭାବେ କରି ନ ଥିଲେ। ନହେଲେ ଏତେ ବଡ଼ ତ୍ରୁଟି ହୋଇ ନ ଥାନ୍ତା। ପାଠ୍ୟପୁସ୍ତକ ପ୍ରୁଫ ରିଡିଙ୍ଗ୍ ପରେ କିମ୍ୱା ବହି ଛାପିବା ପରେ ତାହାକୁ ଯାଞ୍ଚ କରିବା କିମ୍ବା ପଢ଼ିବାକୁ ସମ୍ପାଦନା ମଣ୍ଡଳୀକୁ ଦିଆଯାଇ ନ ଥିଲା। ଏହି ଦାୟିତ୍ବରେ ଥିବା ଅଧିକାରୀ ଠିକ୍ ଭାବେ ନିଜର ଦାୟିତ୍ବ ତୁଲାଇଛନ୍ତି ତ? ଓସେପା ଅଧିକାରୀଙ୍କ କାର୍ଯ୍ୟକଳାପ ଓ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅର୍ଥ ଦେବା ପରେ ମଧ୍ୟ ବହିଗୁଡ଼ିକ ପିଲାଙ୍କ ନିକଟକୁ ଯିବା ପୂର୍ବରୁ ଏକ କମିଟି ମାଧ୍ୟମରେ ଓସେପା ତାହାର ଯାଞ୍ଚ କରିବା କଥା। ମାତ୍ର ଓସେପା ତାହା କରି ନ ଥିଲା। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଅଧିକାରୀ ଏସ୍ସିଇଆର୍ଟିର ବର୍ତ୍ତମାନ ନିର୍ଦ୍ଦେଶିକା ଓ ଅନ୍ୟ ଅଧିକାରୀଙ୍କୁ ଦୁଇ ଦିନ ହେଲା ଜେରା କରୁଥିବାରୁ ଆଗକୁ କାହା ପାଳି ପଡ଼ିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି।
ଅନ୍ୟପକ୍ଷରେ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ଜଡ଼ିତ ରହିଥିବା କୋର୍ କମିଟି, ରାଜ୍ୟ ଷ୍ଟିୟରିଂ କମିଟି, ସମ୍ପାଦନା ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ, ସଂଯୋଜକମାନେ ଏକପ୍ରକାର ଛାନିଆ ହୋଇପଡ଼ିଛନ୍ତି। ସେମାନେ ଠିକ୍ ଭାବେ ଦାୟିତ୍ବ ତୁଲାଇଛନ୍ତି କି ନାହିଁ ତାହାର ସିସିଟିଭି ଯାଞ୍ଚ କରିପାରେ କ୍ରାଇମବ୍ରାଞ୍ଚ। ପାଠ୍ୟପୁସ୍ତକ ଛପାଯିବା ସମୟରେ ତ୍ରୁଟି ସାମନାକୁ ଆସିଥିଲେ ମଧ୍ୟ ଛପା କାର୍ଯ୍ୟ ବନ୍ଦ କରାଯାଇ ନ ଥିଲା। ମନୋଜଙ୍କ ବଦଳି ପରେ ଏପ୍ରିଲ ମାସରୁ ମଧୁସ୍ମିତା ସାହୁ ନିର୍ଦ୍ଦେଶିକା ଭାବେ ଦାୟିତ୍ବ ନେଇଥିଲେ ମଧ୍ୟ ସେ ଚୁପ୍ ରହିଥିଲେ। ସେ ଚାହିଁଥିଲେ ବହିଛପା ଅଧାରେ ବନ୍ଦ କରିପାରିଥାନ୍ତେ। ତାହା ନ କରି ସଂଶୋଧନ କରି ପିଲାଙ୍କୁ ପଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ଗୁରୁତ୍ବର ସହ ନେଇଛି। ଛପା କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।