Tej Pratap Yadav Arrested: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ, ପୋଲିସର ବଡ଼ ଆକ୍ସନ
ବିହାରରେ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରାଯାଉଥିବା ବେଳେ 'ବିହାର ବନ୍ଦ' ଡାକରା ଦିଆଯାଇଥିଲା। ଏହି ସମୟରେ ଛାତ୍ର ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ପୋଲିସ ଉପରକୁ ଆନ୍ଦୋଳନକାରୀମାନେ ଟେକା ପଥର ଫିଙ୍ଗିବା ସହ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ତେବେ ଏହି ହିଂସାତ୍ମକ ଆନ୍ଦୋଳନ ମଧ୍ୟରେ ଜନଶକ୍ତି ଜନତା ଦଳ (JJD) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ପାଟନା ପୋଲିସ ଗିରଫ କରିଛି। ପରେ ତାଙ୍କୁ ସିଜେଏମ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିବା ବେଳେ ତାଙ୍କୁ ପାଟନାର ବେଉର ଜେଲକୁ ପଠାଯାଇଛି।
ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ପାଟନାର ସିଟି ସେଣ୍ଟର ମଲ୍ ନିକଟରୁ ପୋଲିସ ତେଜ ପ୍ରତାପଙ୍କୁ ଅଟକ ରଖିଥିଲା। ସମର୍ଥକଙ୍କ ବିରୋଧ ଓ ଭିଡ଼କୁ ଏଡ଼ାଇବା ପାଇଁ ତାଙ୍କୁ ଦୀଘା, ଦାନାପୁର ଓ ନଉବତପୁର ସମେତ ବିଭିନ୍ନ ଥାନାକୁ ନିଆଯାଇଥିଲା। ପରେ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା।
ନିଟ୍ ପ୍ରଶ୍ନପତ୍ର ଲିକ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଏବଂ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିଚାର୍ଜକୁ ବିରୋଧ କରି ‘ବିହାର ବନ୍ଦ’ ଡାକରା ଦିଆଯାଇଥିଲା। ସେହି ଦିନ ଗାନ୍ଧୀ ମୈଦାନ ନିକଟରେ ତେଜ ପ୍ରତାପ ଆନ୍ଦୋଳନର ନେତୃତ୍ୱ ନେଉଥିବା ବେଳେ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା।
ପଥରମାଡ଼ରେ କେତେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ପୋଲିସ ଅଭିଯୋଗ କରିଛି ଯେ ତେଜ ପ୍ରତାପ ଭିଡ଼କୁ ଉସକାଉଥିଲେ। ଯାହାଫଳରେ ଆଇନ-ଶୃଙ୍ଖଳା ବିଗିଡିଥିଲା।
ଅନ୍ୟପଟେ ତେଜ ପ୍ରତାପଙ୍କ ଓକିଲ ଜଗନ୍ନାଥ ସିଂହ ପୋଲିସ କାର୍ଯ୍ୟାନୁଷ୍ଠାନକୁ ପ୍ରଶ୍ନ କରିଛନ୍ତି। ତାଙ୍କ କହିବା ଅନୁସାରେ, ତେଜ ପ୍ରତାପଙ୍କୁ ଜୁଲାଇ ୨୫ ତାରିଖରେ ଅଟକ ରଖାଯାଇଥିଲା, କିନ୍ତୁ ଏଫ୍ଆଇଆର୍ ଜୁଲାଇ ୨୬ ତାରିଖରେ ରୁଜୁ ହୋଇଛି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପୋଲିସ ଏଫ୍ଆଇଆର୍ର କପି ଦେଇନଥିଲା। ଖୁବଶୀଘ୍ର ଜାମିନ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି।
ଏହି ଘଟଣାକୁ ନେଇ ବିହାରରେ ରାଜନୈତିକ ଉତ୍ତେଜନା ବଢ଼ିଛି। ତେଜ ପ୍ରତାପଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ବିରୋଧୀ ଦଳ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ବିହାର ବନ୍ଦ ସମୟରେ ଘଟିଥିବା ହିଂସାକାଣ୍ତ ଘଟଣାରେ ରାଜ୍ୟର ୧୦ଟି ଜିଲ୍ଲାରୁ ୪୨୩ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।