Tankapani Bridge: ଟଙ୍କପାଣି ବ୍ରିଜ୍‌ରେ ଘନ ଅନ୍ଧାର: ଜଳୁନି ୭୦ଟିଯାକ ଷ୍ଟ୍ରିଟ୍‌ ଲାଇଟ୍‌, ଜମୁଛି ଅସାମାଜିକଙ୍କ ଆଡ଼ା

Jul 04, 2026 - 06:21
Tankapani Bridge: ଟଙ୍କପାଣି ବ୍ରିଜ୍‌ରେ ଘନ ଅନ୍ଧାର: ଜଳୁନି ୭୦ଟିଯାକ ଷ୍ଟ୍ରିଟ୍‌ ଲାଇଟ୍‌, ଜମୁଛି ଅସାମାଜିକଙ୍କ ଆଡ଼ା

ବାଲିଅନ୍ତା: କୁଆଖାଇ ନଦୀ ଟଙ୍କପାଣି ବ୍ରିଜ୍‌ରେ ଲାଗିଥିବା ୭୦ଟିଯାକ ସୋଲାର୍‌ ଷ୍ଟ୍ରିଟ ଲାଇଟ୍‌ ଅଚଳ ହୋଇଯାଇଛି। ଅଧିକାଂଶ ବଲ୍‌ବ ଫ୍ୟୁଜ୍‌ ହୋଇଯାଇଥିବା ବେଳେ କିଛି ଷ୍ଟାଣ୍ଡପୋଷ୍ଟ  ଭାଙ୍ଗିକି ଖୁଣ୍ଟରେ ଝୁଲୁଛି। ରକ୍ଷଣାବେକ୍ଷଣ ଅଭାବରୁ ବହୁତ ଦିନ ହେଲା ଏଭଳି ଅବସ୍ଥା ଉପୁଜିଛି। ତେଣୁ ସଂଜ ବୁଡ଼ୁବୁଡ଼ୁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ରିଜ୍‌ରେ ଅସାମାଜିକଙ୍କ ଆଡ଼ା ଜମିଯାଉଛି। ଭୁବନେଶ୍ୱର-ପୁରୀ ବାଇପାସ୍‌ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଟଙ୍କପାଣି ବ୍ରିଜ୍‌ରେ ବ୍ରାଉନ୍‌ସୁଗାର ଓ ଗଞ୍ଜେଇ ବେପାରୀଙ୍କ ଆସର ଜମୁଛି। ସେହିଭଳି ଛିନ୍‌ତାଇ କରୁଥିବା ଲୁଟେରାମାନେ ରାତିରେ ଏହି ବ୍ରିଜ୍‌ ଉପରେ ଛକି ରହୁଛନ୍ତି।  

Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ବ୍ରିଜ୍‌ଟି ବାଲିଅନ୍ତା ବ୍ଲକ୍‌ର ବହୁ ଅଞ୍ଚଳ ପାଇଁ ଏକ ପ୍ରକାର ଜୀବନରେଖା। ଏହି ବାଟ ଦେଇ ପ୍ରତିଦିନ ହଜାର ହଜାର ଲୋକ ରାଜଧାନୀ ସହ ଯୋଡ଼ି ହୁଅନ୍ତି। ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ଶ୍ରମଜୀବୀ, କର୍ମଜୀବୀ, ବେପାରୀମାନେ ଏହି ବ୍ରିଜ୍‌ ଉପରେ ଯାତାୟାତ ପାଇଁ ନିର୍ଭର କରନ୍ତି। ଭୋର୍‌ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଲିଅନ୍ତା ଗ୍ରାମାଞ୍ଚଳ ଲୋକେ ଏହି ବ୍ରିଜ୍‌ ଦେଇ ଭୁବନେଶ୍ବରକୁ ଯା’ଆସ କରନ୍ତି। ସେହିଭଳି ବାଲିଅନ୍ତା ଅଞ୍ଚଳରେ ଗଢ଼ି ଉଠିଥିବା ନୂଆ ନୂଆ କଲୋନି, ଆପାର୍ଟମେଣ୍ଟ ଓ ଡ୍ୟୁପ୍ଲେକ୍ସର ବାସିନ୍ଦାମାନଙ୍କ ପାଇଁ ଏହି ବ୍ରିଜ୍‌ଟି ରାଜଧାନ ସେତୁ ସଦୃଶ ହୋଇରହିଛି। ମାତ୍ର ଲାଇଟ୍‌ ଗୁଡ଼ିକ ଅଚଳ ହେବା ପରେ ସମସ୍ତେ ଭୟଭୀତ ଅବସ୍ଥାରେ ଯା’ଆସ କରୁଛନ୍ତି। ଉମାଦେଇ ପଞ୍ଚାୟତ ଅଧୀନରେ ଥିବାରୁ ବ୍ଲକ୍‌ ପ୍ରଶାସନ ଏହି ଲାଇଟ୍‌ ଦାୟିତ୍ବ ନେବା କଥା। କିନ୍ତୁ ବିଡିଓ ରଶ୍ମିତା ନାଥ ଏଥିପାଇଁ ଅସହାୟତା ପ୍ରକାଶ କରିଛନ୍ତି। ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ପାଇଁ ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରିବା ସମ୍ଭବ ହେଉନଥିବାରୁ ଏହି ବ୍ରିଜ୍‌କୁ ପଞ୍ଚାୟତ ସେବା ପରିସରଭୁକ୍ତ କରିହେଉ ନାହିଁ ବୋଲି ସେ କହିଛନ୍ତି।  

Climate Panchayat: ପରିବେଶ ସୁରକ୍ଷା ପାଇଁ ଆହ୍ବାନ

ସୂଚନାଯୋଗ୍ୟ ଯେ ୨୦୧୮/୧୯ରେ ତତ୍କାଳୀନ ବିଧାୟକ ଶଶିଭୂଷଣ ବେହେରାଙ୍କ ଉଦ୍ୟମରେ ଓଡ଼ିଶା ଖଣି ନିଗମ ସହାୟତାରେ ଏହି ବ୍ରିଜ୍‌ରେ ୭୦ଟି ସୋଲାର୍‌ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିଲା। ବାଲିଅନ୍ତା ବିଜେଡି ସଭାପତି ଅଚ୍ୟୁତାନନ୍ଦ ପାତ୍ରଙ୍କ ସୂଚନାନୁସାରେ ସେତେବେଳେ ଟଙ୍କପାଣି ବ୍ରିଜ୍‌ର ୭୦ଟି ଲାଇଟ୍‌ ସହ ଭିଙ୍ଗାରପୁର କୁଶଭଦ୍ରା ବ୍ରିଜ୍‌, ପ୍ରତାପରୁଦ୍ରପୁର ଜୟଦେବ ବ୍ରିଜ୍‌ ଓ ବନମାଳୀପୁର ବ୍ରିଜ୍‌ରେ ୨୮୦ଟି ସୋଲାର୍‌ ଷ୍ଟ୍ରିଟ ଲାଇଟ ଲଗାଯାଇଥିଲା। କାଳକ୍ରମେ ଖରାପ ହୋଇପଡ଼ିଥିବା ଲାଇଟ୍‌ଗୁଡ଼ିକୁ ମରାମତି କରାଯିବା ଜରୁରୀ ହୋଇପଡ଼ିଛି। ରାଜଧାନୀକୁ ଲାଗି ରହିଥିବା ଏହି ବ୍ରିଜ୍‌ଟି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହୋଇଥିବାରୁ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।