Owais Yaqoob Creates History: ବିଶ୍ୱ ଚାମ୍ପିଅନଙ୍କୁ ହରାଇଲେ କାଶ୍ମୀର ଯୁବକ, ରଚିଲେ ଇତିହାସ

Aug 03, 2026 - 16:43
Owais Yaqoob Creates History: ବିଶ୍ୱ ଚାମ୍ପିଅନଙ୍କୁ ହରାଇଲେ କାଶ୍ମୀର ଯୁବକ, ରଚିଲେ ଇତିହାସ

ଭାରତ ପାଇଁ ଐତିହାସିକ ସଫଳତା। କାଶ୍ମୀରର ଯୁବ MMA ଯୋଦ୍ଧା ଓୱୈସ୍ ୟାକୁବ ବୁଲଗେରିଆରେ ବିଶ୍ୱ ଚାମ୍ପିଅନଙ୍କୁ ପରାସ୍ତ କରି ନୂଆ ଇତିହାସ ରଚିଛନ୍ତି। ତାଙ୍କ ଏହି ସଫଳତା ପାଇଁ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। 

ବୁଲଗେରିଆର ବର୍ଗାସ୍ ଆରେନାରେ ଆୟୋଜିତ BRAVE CF 107 ପ୍ରତିଯୋଗିତାରେ କାଶ୍ମୀରର ପୁଲୱାମା ଜିଲ୍ଲାର ମୁର୍ରନ ଗାଁର ଯୁବ MMA ଫାଇଟର୍ ଓୱୈସ୍ ୟାକୁବ ଅଗଷ୍ଟ ୧ରେ ଅପରାଜିତ ବୁଲଗେରିଆନ୍ ଫାଇଟର୍ ଡେଲିଆନ୍ ଜର୍ଜିଏଭଙ୍କୁ ପ୍ରଥମ ରାଉଣ୍ଡରେ ଟେକ୍ନିକାଲ୍ ନକ୍ଆଉଟ୍ (TKO)ରେ ପରାସ୍ତ କରିଛନ୍ତି। ଜର୍ଜିଏଭ ଦୁଇଥର IMMAF ବିଶ୍ୱ ଚାମ୍ପିଅନ୍ ହୋଇଥିବାବେଳେ, କ୍ୟାରିୟରରେ ଏହା ଥିଲା ତାଙ୍କର ପ୍ରଥମ ପରାଜୟ।

ଓୱୈସଙ୍କ ଏହି ଐତିହାସିକ ସଫଳତା ପରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଏହା କେବଳ ଜମ୍ମୁ-କାଶ୍ମୀର ନୁହେଁ, ସମଗ୍ର ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ଭବିଷ୍ୟତରେ ଆହୁରି ବଡ଼ ସଫଳତା ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି।

ବିଜୟ ପରେ ଭାବବିହ୍ୱଳ ଓୱୈସ୍ କହିଛନ୍ତି, ଏହି ସଫଳତାକୁ ସେ ନିଜ ପରିବାର, ଜମ୍ମୁ-କାଶ୍ମୀରର ଲୋକ ଓ ସମଗ୍ର ଭାରତବାସୀଙ୍କୁ ସମର୍ପଣ କରୁଛନ୍ତି। ଏହା ତାଙ୍କ ଯାତ୍ରାର କେବଳ ଆରମ୍ଭ, ଆଗକୁ ଆହୁରି ବଡ଼ ସଫଳତା ସହ ଭାରତର ନାମକୁ ବିଶ୍ୱ ମଞ୍ଚରେ ଉଜ୍ଜ୍ୱଳ କରିବା ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।