Sweet Offering to Donkeys for Monsoon: ବର୍ଷା ଆଶାରେ ନିଆରା ପରମ୍ପରା, ଗଧ ପାଇଁ ଗୁଲାବ ଜାମୁନ୍ ଭୋଜି!

Jul 19, 2026 - 14:39
Sweet Offering to Donkeys for Monsoon: ବର୍ଷା ଆଶାରେ ନିଆରା ପରମ୍ପରା, ଗଧ ପାଇଁ ଗୁଲାବ ଜାମୁନ୍ ଭୋଜି!

ଚଳିତ ବର୍ଷ ଦୁର୍ବଳ ମୌସୁମୀ ଯୋଗୁଁ ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ମଧ୍ୟପ୍ରଦେଶରେ ବି ବର୍ଷାର ଅଭାବ ରହିଛି। ତେଣୁ ରାଜଧାନୀ ଭୋପାଳରେ ବର୍ଷା ହେବା ପାଇଁ ସ୍ଥାନୀୟ ଲୋକେ ପାରମ୍ପରିକ ପ୍ରଥା ଅନୁସାରେ ଗଧକୁ ଗୁଲାବ ଜାମୁନ ଖାଇବାକୁ ଦେଇଛନ୍ତି। ଲୋକଙ୍କ ବିଶ୍ୱାସ ରହିଛି ଯେ, ଗଧକୁ ମିଠା ଖାଇବାକୁ ଦେବା ଦ୍ୱାରା ଇନ୍ଦ୍ର ଦେବ ପ୍ରସନ୍ନ ହୁଅନ୍ତି ଓ ସଅଳ ବୃଷ୍ଟି କରାନ୍ତି।

ଗଧକୁ ମିଠା ଖାଇବାକୁ ଦେବାର କିଛି ଭିଡିଓ ଅନଲାଇନରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଦେଇଛି ଯେ, କିଛି ଲୋକ ଏକାଠି ହୋଇ ଗଧକୁ ମିଠା ଖାଇବାକୁ ଦେଉଛନ୍ତି। ଗଧମାନଙ୍କୁ କେବଳ ମିଠା ଖୁଆଯାଇନଥିଲା, ବରଂ ସେମାନଙ୍କୁ ସୁସଜ୍ଜିତ କରାଯାଇଥିଲା। ସେମାନଙ୍କ ଗଳାରେ ଫୁଲମାଳ ପିନ୍ଧାଇ, କପାଳରେ ତିଲକ ଲଗାଇ ବହୁତ ଶ୍ରଦ୍ଧାର ସହ ଗୁଲାବ ଜାମୁନ୍ ଖୁଆଯାଇଥିଲା। 

ସ୍ଥାନୀୟ ଲୋକଙ୍କ ମତରେ, ଏହି ପ୍ରଥା ବହୁ ବର୍ଷରୁ ପାଳନ ହୋଇ ଆସୁଛି। ଯେତେବେଳେ ମୌସୁମୀ ବିଳମ୍ବରେ ଆସେ କିମ୍ବା ବର୍ଷା କମ୍ ହୋଇଥାଏ ବା ମରୁଡି ଦେଖାଦେଇଥାଏ, ଏଭଳି କରିଥାନ୍ତି ସ୍ଥାନୀୟ ଲୋକେ। ଏହା ବର୍ଷା କରାଉଥିବା ଇନ୍ଦ୍ର ଦେବଙ୍କୁ ଖୁସି କରାଇବା ଉଦ୍ଦେଶ୍ୟରେ କରାଯାଏ। ମରୁଡି ଭଳି ସଙ୍କଟ ସମୟରେ ଗଧମାନଙ୍କୁ ମିଠା ଖୁଆଇ ଆଦର କଲେ ବର୍ଷା ଦେବତା ସନ୍ତୁଷ୍ଟ ହୁଅନ୍ତି ଏବଂ ଶୀଘ୍ର ବର୍ଷା ହୁଏ। ପୂର୍ବରୁ ମଧ୍ୟ ଏଭଳି ସଙ୍କଟ ସମୟରେ ଗଧମାନଙ୍କୁ ମିଠା ଖୁଆଇବା ଦ୍ୱାରା ଭଲ ବର୍ଷା ହୋଇଥିବାର ସ୍ଥାନୀୟ ଲୋକେ କହିଛନ୍ତି।

ସାଧାରଣତଃ ବର୍ଷା ହେବା ନ ହେବା ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଜଣାପଡିଥାଏ। କିନ୍ତୁ ଏବେ ବି ଗ୍ରାମାଞ୍ଚଳମାନଙ୍କରେ ଏପରି ପାରମ୍ପରିକ ରୀତିନୀତି ପାଳନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।