Supreme Court Fines Samay Raina: 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' ବିବାଦରେ ନୂଆ ମୋଡ଼, ମିଛ କହି ଫସିଲେ ସମୟ ରାଇନା
କମେଡିଆନ୍ ସମୟ ରାଇନାଙ୍କ ଅଡୁଆ ବଢ଼ିଛି। କୋର୍ଟରେ ମିଥ୍ୟା ବିବୃତି ଦେବା ଅଭିଯୋଗରେ ସୁପ୍ରିମକୋର୍ଟ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ମଙ୍ଗଳବାର ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସମୟ ରାଇନା କୋର୍ଟଙ୍କୁ ବିଭ୍ରାନ୍ତ କରିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହି ଜରିମାନା ରାଶି ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ନିର୍ଦ୍ଧାରିତ ସମୟରେ ଅର୍ଥ ଜମା ନକରନ୍ତି, ତେବେ ତାଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।
କାହିଁକି ହେଲା କାର୍ଯ୍ୟାନୁଷ୍ଠାନ?
ସମୟ ରାଇନାଙ୍କ ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'କୁ ନେଇ ବିବାଦ ଦେଖାଦେଇଥିଲା। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜେ. ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଜେ. ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ସମୟ ରାଇନା 'ଏସଏମଏ ଫାଉଣ୍ଡେସନ' କିମ୍ବା ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସହ କୌଣସି ଯୋଗାଯୋଗ କରିନଥିଲେ। ତଥାପି ସେ ମିଥ୍ୟା ଆଫିଡେଭିଟ୍ ଦାଖଲ କରିଥିବା ଅଭିଯୋଗ ହୋଇଛି।
କୋର୍ଟରେ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ସମୟ ନିଜର ନୂଆ ସିରିଜ୍ ଆରମ୍ଭ କରିଛନ୍ତି। ସେ ସାମାଜିକ ଭାବନାକୁ ସମ୍ମାନ ଦେଉନାହାନ୍ତି। ସରକାରୀ ଓକିଲ ଅପରାଜିତା ସିଂ ମଧ୍ୟ କହିଛନ୍ତି ଯେ, ସମୟ ନିଜ ଶୋ' ଜାରି ରଖିଛନ୍ତି କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।