Supreme Court Defends Peaceful Protest: 'ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସାମ୍ବିଧାନିକ ଅଧିକାର', ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

Jul 27, 2026 - 20:28
Supreme Court Defends Peaceful Protest: 'ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସାମ୍ବିଧାନିକ ଅଧିକାର', ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

ପ୍ରଦର୍ଶନକାରୀଙ୍କ ଉପରେ କେଉଁଠି ଅମାନୁଷିକ ଭାବେ ଲାଠି ଚାର୍ଜ ତ କେଉଁଠି ସିଧା ଫାୟାରିଂ। ବିହାରରେ ପେଲେଟ ଗନ୍ ବଦଳରେ ପୋଲିସ ହାତରେ ରହିଛି AK-47। ଆନ୍ଦୋଳନ ଚଳାଇଥିବା ଛାତ୍ରଛାତ୍ରୀଙ୍କ ଉପରକୁ ବେଧଡକ କରୁଛନ୍ତି ଗୁଳି। ପିସ୍ତଲ ବି ଗର୍ଜିଛି, ଫୁଟିଛି ଗୁଳି। ଗତ ୨୫ ତାରିଖ ବିହାର ସିୱାନ ଜିଲ୍ଲାରେ ଛାତ୍ର ସଂଗଠନ ପକ୍ଷରୁ ବିହାର ବନ୍ଦ ବେଳେ ମୁହାଁମୁହିଁ ହୋଇଥିଲେ ବିକ୍ଷୋଭକାରୀ-ପୋଲିସ। ଏତିକିବେଳେ ପ୍ରଦର୍ଶନକାରୀଙ୍କ ଉପରକୁ AK-47ରୁ ଫାୟାରିଂ କରିଥିଲେ ଜଣେ କନଷ୍ଟେବଲ। ଫାୟାରିଂ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗୁଳି କରିଥିବା କନଷ୍ଟେବଳଙ୍କୁ ସସପେଣ୍ଡ କରାଯାଇଛି। ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ତେବେ ସ୍ଥାନୀୟ ଏସପି କହିଛନ୍ତି, ଆନ୍ଦୋଳନ ବେଳେ ଜେପି ଛକରେ କିଛି ଅସାମାଜିକ ବ୍ୟକ୍ତିଙ୍କ ପକ୍ଷରୁ ପୋଲିସ ଉପରକୁ ପ୍ରଥମେ ଫାୟାରିଂ କରାଯାଇଥିଲା, ପରେ ପୋଲିସ ଗୁଳି ଚଳାଇଥିଲା।
 
ଆନ୍ଦୋଳନକାରୀଙ୍କ ଉପରେ AK-୪୭ରେ ପୋଲିସର ଫାୟାରିଂ ନେଇ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିଥିଲେ ଆରଜେଡି ନେତା ମନୋଜ ଝା। ସମାନ ଭାବେ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ନେଇ ବି ହୋଇଥିଲା ଏକାଧିକ ଆବେଦନ। ଉଭୟ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ଆନ୍ଦୋଳନ କିମ୍ବା ବିକ୍ଷୋଭ ବେଳେ ପୋଲିସ ପ୍ରଥମେ ଲାଠିଚାର୍ଜ କରିପାରିବନି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମସ୍ତଙ୍କ ସାମ୍ବିଧାନିକ ଅଧିକାର। ଭିଡ଼କୁ ସମ୍ଭାଳିବା ପାଇଁ ପୋଲିସକୁ କାହିଁକି ପର୍ଯ୍ୟାପ୍ତ ସୁରକ୍ଷା ଉପକରଣ ଦିଆଗଲାନି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଚିଫ୍ ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟା ବାଗଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କ ଖଣ୍ଡପୀଠ ଏକଥା ବି କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ସମାନ ପ୍ରୋଟୋକଲର ଆବଶ୍ୟକତା ରହିଛି। ଆନ୍ଦୋଳନ ନାଁରେ ପୋଲିସ କର୍ମଚାରୀଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରିବା ମଧ୍ୟ ସମ୍ପୂର୍ଣ୍ଣ ଭୁଲ୍। ଉଭୟ ଛାତ୍ର ଓ ପୋଲିସଙ୍କ ସୁରକ୍ଷା ଆମ ପାଇଁ ସମାନ ଭାବେ ଚିନ୍ତାଜନକ। ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ଭିତରେ ଅସାମାଜିକ ତତ୍ତ୍ୱ ପଶି ଯେଭଳି ହିଂସା ସୃଷ୍ଟି ନ କରନ୍ତି, ସେଥିପ୍ରତି ପୋଲିସକୁ ସଜାଗ ରହିବାକୁ ପଡ଼ିବ। ଭବିଷ୍ୟତରେ ଏଭଳି ସ୍ଥିତିକୁ ସମ୍ଭାଳିବା ପାଇଁ ଦେଶରେ ଏକ ସମାନ 'ନ୍ୟାସନାଲ୍ ପ୍ରୋଟୋକଲ୍' ପ୍ରସ୍ତୁତ କରାଯିବା ଦରକାର। ପ୍ରତିବାଦ ପାଇଁ ସହରମାନଙ୍କରେ ସ୍ୱତନ୍ତ୍ର ଓ ନିର୍ଦ୍ଦିଷ୍ଟ ସ୍ଥାନ ରହିବା ଉଚିତ, ଯେପରି ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବ ନାହିଁ।

ବିହାର ଫାୟାରିଂ ଓ ଦିଲ୍ଲୀ ଲାଠିଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତାକାଲିର ଶୁଣାଣିକୁ। କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ କେବଳ ଏହି ଦୁଇ ମାମଲା ନୁହେଁ, ଭବିଷ୍ୟତରେ ଦେଶରେ ଆନ୍ଦୋଳନ ଓ ଭିଡ଼ ନିୟନ୍ତ୍ରଣର ନୀତିକୁ ମଧ୍ୟ ନୂଆ ଦିଗ ଦେଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।