Supreme Court: ଅହମଦାବାଦ ବିମାନ ଦୁର୍ଘଟଣା: ଅକ୍ଟୋବରରେ ସୁପ୍ରିମକୋର୍ଟରେ ଦାଖଲ ହେବ ଚୂଡ଼ାନ୍ତ ରିପୋର୍ଟ
"ନୂଆଦିଲ୍ଲୀ: ୨୦୨୫ ଜୁନ୍ ୧୨ ତାରିଖରେ ହୋଇଥିବା ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା ଏଏଆଇବି ( ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ) ଆସନ୍ତା ଅକ୍ଟୋବର ମାସରେ ସୁପ୍ରିମକୋର୍ଟରେ ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବ।
ସରକାରୀ ପରିଚାଳିତ ଏହି ତଦନ୍ତକାରୀ ସଂସ୍ଥା ଖଣ୍ଡପୀଠଙ୍କୁ ସ୍ପଷ୍ଟ କରିଛି ଯେ ଏହି ତଦନ୍ତ କେବଳ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ) ମଧ୍ୟରେ ସୀମିତ ଥିବା କୌଣସି ଆଭ୍ୟନ୍ତରୀଣ ତଦନ୍ତ ନୁହେଁ।
ଦୁର୍ଘଟଣାରେ ନିହତ ବିଦେଶୀ ନାଗରିକଙ୍କ ଦେଶର ବିଶେଷଜ୍ଞ ଏବଂ ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି।
ଜୁନ୍ ୧୨ ଦୁର୍ଘଟଣା ମାମଲାରେ କୋର୍ଟଙ୍କ ତତ୍ବାବଧାନରେ ତଦନ୍ତ ଦାବି କରି ହୋଇଥିବା ଆବେଦନର ଶୁଣାଣି ସମୟରେ ଏଏଆଇବି ସୁପ୍ରିମକୋର୍ଟଙ୍କୁ ଆଜି ଏହା ଅବଗତ କରିଛନ୍ତି।
କ୍ୟାପଟେନ ସୁମିତ ସଭରୱାଲ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ପାଇଲଟ୍ସ ପକ୍ଷରୁ ଏହି ଆବେଦନ କରାଯାଇଥିଲା।Advertisment କୃତ୍ରିମ ସୂର୍ଯ୍ୟ ତିଆରି କରୁଛି ଚୀନ୍: ବିଶ୍ୱର ସବୁଠାରୁ ବଡ଼ ଚୁମ୍ବକର ପରୀକ୍ଷଣ ସଫଳ ସେମାନେ ଚାଲିଥିବା ତଦନ୍ତରେ ବିଭିନ୍ନ ଅସଙ୍ଗତି ଥିବା ଅଭିଯୋଗ କରି ଅଦାଲତଙ୍କ ନିରୀକ୍ଷଣରେ ତଦନ୍ତ କରିବାକୁ ଦାବି କରିଥିଲେ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆବେଦନକାରୀ ଏବଂ ଏଏଆଇବିର ପକ୍ଷ ଶୁଣିଥିଲେ।
ଏଏଆଇବି ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣାର କାରଣ ଏବଂ ଘଟଣାକ୍ରମକୁ ପୁନଃସ୍ଥାପନ ପାଇଁ ବୈଷୟିକ ବିଶ୍ଳେଷଣ କରାଯାଉଛି।
ଏଏଆଇବି ପକ୍ଷରୁ ହାଜର ଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟା ସୁପ୍ରିମକୋର୍ଟଙ୍କୁ ଆଶ୍ବାସନା ଦେଇଛନ୍ତି ଯେ ଅକ୍ଟୋବର ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟକୁ ଜଉମୁଦ ଲଫାପାରେ ଦାଖଲ କରାଯିବ।
ଉଲ୍ଲେଖଯୋଗ୍ୟ ପୂର୍ବରୁ ଏଏଆଇବି କହିଥିଲା ଯେ, ଜାନୁଆରି ସୁଦ୍ଧା ରିପୋର୍ଟ ପ୍ରସ୍ତୁତ ହୋଇଯିବ।
ତେବେ ଏହା ବିଳମ୍ବ ହେବାର କାରଣ ବ୍ୟାଖ୍ୟା କରି ତୁଷାର ମେହେଟା ଖଣ୍ଡପୀଠଙ୍କୁ କହିଥିଲେ ଯେ, ବିମାନର କିଛି ଯନ୍ତ୍ରାଂଶକୁ ବିଦେଶକୁ ସ୍ୱତନ୍ତ୍ର ଫରେନସିକ୍ ଏବଂ ବୈଷୟିକ ପରୀକ୍ଷା ପାଇଁ ପଠାଇ ପୁଣି ଭାରତକୁ ଫେରାଯାଇଥିଲା।
ଏହି ପ୍ରକ୍ରିୟାରେ ଅଧିକ ସମୟ ଲାଗିଥିଲା।
ସୁପ୍ରିମକୋର୍ଟ ଅକ୍ଟୋବରରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବରର ଶେଷ ସପ୍ତାହରେ କରିବାକୁ ସ୍ଥିର କରିଛନ୍ତି।
ଉଲ୍ଲେଖଯୋଗ୍ୟ ୨୦୨୫ ଜୁନ୍ ୧୨ ତାରିଖ ଅପରାହ୍ନରେ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ ଉଡ଼ାଣର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବିମାନରେ ଥିବା ୧୨ ଜଣ କ୍ରୁ ସଦସ୍ୟ ଏବଂ ୨୩୦ ଯାତ୍ରୀଙ୍କ ମଧ୍ୟରୁ ୨୨୯ ଜଣଙ୍କର ମୃତ୍ୟୁ ହୋଇଥିଲା।
ବିମାନଟି ଅହମଦାବାଦର ଏକ ମେଡିକାଲ୍ କଲେଜର ଛାତ୍ରାବାସ ଉପରେ ଖସିପଡ଼ିଥିବାରୁ ଭୂମିରେ ଥିବା ଆଉ ୧୯ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
କେବଳ ଜଣେ ଯାତ୍ରୀ ଏହି ଦୁର୍ଘଟଣାରୁ ଜୀବିତ ଉଦ୍ଧାର ହୋଇଥିଲେ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ଦୁର୍ଘଟଣାର କିଛି ସେକେଣ୍ଡ ପୂର୍ବରୁ ଉଭୟ ଇଞ୍ଜିନର ଫୁଏଲ କଣ୍ଟ୍ରୋଲ୍ ସ୍ୱିଚ୍ "ରନ୍" ଅବସ୍ଥାରୁ "କଟଅଫ୍" ଅବସ୍ଥାକୁ ଚାଲିଯାଇଥିଲା।
ଏହାର ଏକ ମାସ ପରେ ଏଏଆଇବି ଦୁର୍ଘଟଣାର ସମ୍ଭାବ୍ୟ କାରଣ ସମ୍ପର୍କରେ ଏକ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।