Suicide Mystery Of Beauty Mohanty: କାହିଁକି ଜୀବନ ହାରିଲେ ଚାଉଳିଆଗଞ୍ଜ IIC ବିୟୁଟି ମହାନ୍ତି

Jul 05, 2026 - 21:08
Suicide Mystery Of Beauty Mohanty: କାହିଁକି ଜୀବନ ହାରିଲେ ଚାଉଳିଆଗଞ୍ଜ IIC ବିୟୁଟି ମହାନ୍ତି

କଟକ ଚାଉଳିଆଗଞ୍ଜ ଥାନା IIC ବ୍ୟୁଟି ମହାନ୍ତି କାହିଁକି ହାରିଦେଲେ ଜୀବନ ? ଏମିତି କେଉଁ ଚାପ ବାଧ୍ୟ କଲା ତାଙ୍କୁ ଜୀବନ ହାରିବା ପାଇଁ ? ପାରିବାରିକ, ବୃତ୍ତିଗତ ନା ବ୍ୟକ୍ତିଗତ ? ମୃତ୍ୟୁକୁ ୨ ଦିନ ବିତିଗଲାଣି। ନା ପରିବାର ଲୋକେ କହିପାରୁଛନ୍ତି, ନା ସହକର୍ମୀ ଜାଣିପାରୁଛନ୍ତି ନା ଅନ୍ୟ କେହି କାରଣ ସଂପର୍କରେ ମୁହଁ ଖୋଲୁଛନ୍ତି। ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପୋଲିସ, ପରିବାର ସମେତ କିଛି ପୋଲିସ ଅଧିକାରୀଙ୍କୁ ପଚରାଉଚରା କରିଛି। ଜୀବନ ହାରିବା ଆଗରୁ କାହା ସହ କଥା ହେଇଥିଲେ, କଲ୍ ଡିଟେଲ୍ସ ରେକର୍ଡ ସହ ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ପୋଲିସ ଯାଞ୍ଚ କରିଛି। ଏହାସହ ତାଙ୍କ ମୋବାଇଲକୁ ଫୋରେନସିକ ଯାଞ୍ଚ ପାଇଁ ପୋଲିସ ଯୋଜନା କରୁଛି। 

ବିୟୁଟି ମହାନ୍ତିଙ୍କ ସ୍ବାମୀ ସମୀର ସ୍ବାଇଁ ମୁମ୍ବାଇରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ସେ ସ୍ପଷ୍ଟ କରିସାରିଛନ୍ତି, ତାଙ୍କ ଦାମ୍ପତ୍ୟ ଜୀବନରେ କିମ୍ବା ପରିବାରରେ ସେଭଳି କୌଣସି ବିବାଦ ହିଁ ନଥିଲା। ଅଘଟଣ ଘଟିବାର ପୂର୍ବ ରାତିରେ ବିୟୁଟିଙ୍କୁ କଲ୍ କରି ଭଲମନ୍ଦ ପଚାରିଥିଲେ, ୪/୫ ମିନିଟ୍ ଯାଏଁ ଭଲରେ କଥା ବି ହୋଇଥିଲେ। କିନ୍ତୁ କ’ଣ ଘଟିଗଲା କେଜାଣି, ପତ୍ନୀଙ୍କ କେମିତି ଝୁଲନ୍ତା ମୃତଦେହ ଉଦ୍ଧାର ହେଲା, ସେ ଜାଣିପାରୁନଥିବା କହିଛନ୍ତି। 

ବିୟୁଟିଙ୍କ ସ୍ବାମୀଙ୍କ କହିବା କଥା, ମହିଳା ଥାନାରୁ ଚାଉଳିଆଗଞ୍ଜ ଥାନାକୁ ଟ୍ରାନସଫର ହୋଇ ଆସିବାକୁ ଚାହୁଁନଥିଲେ ବିୟୁଟି। ଏ ସଂପର୍କରେ ଡିସିପିଙ୍କୁ ବି ଜଣାଇଥିଲେ। ଡିସିପି କହିଥିଲେ, ଅନ୍ୟ ଥାନାକୁ ବଦଳି ପାଇଁ ପ୍ରସ୍ତୁତ ହୋଇକି ରୁହ। ତେବେ ଏ ସଂପର୍କରେ କଟକ ଡିସିପିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

ଯଦି ପାରିବାରିକ ସମସ୍ୟା ନଥିଲା ତେବେ କର୍ମକ୍ଷେତ୍ରରେ ଥିଲା କି କୌଣସି ଚାପ କି ବିବାଦ ? ଏଭଳି କେଉଁ ଚାପ ତାଙ୍କୁ ବାଧ୍ୟ କଲା ଡ୍ୟୁଟିକୁ ଆସି ଥାନାର ରେଷ୍ଟରୁମରେ ଜୀବନ ହାରିବାକୁ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ଓଡ଼ିଶା ପୋଲିସ ଅଫିସର୍ସ ସଂଘ। ସଭାପତି କହିଛନ୍ତି, ବଡ଼ ବଡ଼ ଅଧିକାରୀଙ୍କ ଚାପ ତଳିଆ କର୍ମଚାରୀଙ୍କ ଉପରେ ରହୁଛି। ଛୁଟି ମଂଜୁରୀ ବଦଳରେ କାମର ଚାପ ପକାଯାଉଛି। ପରିବାରଠାରୁ ଦୂରରେ ରହି ମାନସିକ ଅଶାନ୍ତି ଭିତରେ ପୋଲିସ କର୍ମଚାରୀ ରହୁଛନ୍ତି। ତେଣୁ ବିୟୁଟି ମହାନ୍ତିଙ୍କ କ୍ଷେତ୍ରରେ ବି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ନବସୁ। ଅପରପକ୍ଷେ ପୋଲିସ କମିଶନର କର୍ମକ୍ଷେତ୍ରରେ ଚାପ କଥାକୁ କାଲିଠାରୁ ଖଣ୍ଡନ କରିବା ସହ ବିୟୁଟିଙ୍କ ଜୀବନ ହାରିବା ପଛରେ କୌଣସି ଏକ ବ୍ୟକ୍ତିଗତ କାରଣ ବୋଲି ଆଶଙ୍କା କରିଛନ୍ତି।

ଥାନା IIC ବିୟୁଟି ମହାନ୍ତି ଥିଲେ ସାହସୀ ଲେଡ଼ି। ପୋଲିସ-ପବ୍ଲିକ ସମ୍ପର୍କ ହେଉ କୌଣସି ମାମଲାର ତଦନ୍ତ ପ୍ରକ୍ରିୟା। ବେଶ ନିଷ୍ଠାର ସହ କର୍ତ୍ତବ୍ୟ କରୁଥିଲେ। ତେବେ ଏଭଳି ଜଣେ ଦୃଢ଼ମନା ମହିଳା କାହିଁକି ହାରିଦେଲେ ଜୀବନ ? ପ୍ରତିଟି କ୍ଷେତ୍ରରେ ନିଜକୁ ମଜଭୁତ କରୁଥିବା ବିୟୁଟି କେଉଁ ଘଟଣା ପାଇଁ ଭାଙ୍ଗିପଡ଼ିଲେ ? ମନସ୍ତତ୍ତ୍ବବିତଙ୍କ ମତ, କୌଣସି ଏକ ଘଟଣାରୁ ଦୀର୍ଘଦିନ ଧରି ବିୟୁଟି ମହାନ୍ତି ମାନସିକ ଅବସାଦରେ ଥିବେ, ଆଉ ସେହି କାରଣରୁ ହିଁ ଜୀବନ ହାରିଥାଇପାରନ୍ତି। ଅପେକ୍ଷା, ଲେଡି ଆଇଆଇସିଙ୍କ ଏଭଳି ମୃତ୍ୟୁ ପଛରେ କେବେ ସାମ୍ନାକୁ ଆସୁଛି ସତ।