Sugar: ଖୁଚୁରା ବଜାରରେ ଚିନି ~୭୫: ଚାପରେ ମିଠା ବ୍ୟବସାୟୀ, ଚା ଦୋକାନୀ
ଭୁବନେଶ୍ବର: ପାଇକାରୀ ବଜାରରେ ଦର ହ୍ରାସ ସତ୍ତ୍ବେ ରାଜ୍ୟର ଖୁଚୁରା ବଜାରରେ ଚିନି ଶସ୍ତା ହେଉନାହିଁ। କେଜି ପିଛା ୭୫ ଟଙ୍କା ଏବଂ କେତେକ ସ୍ଥାନରେ ତା’ଠାରୁ ଅଧିକ ଦରରେ ଚିନି ବିକ୍ରି ହେଉଛି। ଯୋଗାଣରେ କୌଣସି ସମସ୍ୟା ନଥିବା ସତ୍ତ୍ବେ ଦରରେ ଏଭଳି ବୃଦ୍ଧି ଚିନ୍ତାର ବିଷୟ ହୋଇଛି। ଗତ ଦୁଇ ମାସ ମଧ୍ୟରେ ଖୁଚୁରା ବଜାରରେ ଚିନି କ୍ବିଣ୍ଟାଲ ପିଛା ଦାମ୍ ୪୦୦୦ ଟଙ୍କାରୁ ବୃଦ୍ଧି ପାଇ ୬୪୦୦ ଟଙ୍କା ହୋଇଥିଲା। ତେଣୁ ପାଇକାରୀ ବଜାରରେ ଚିନି କେଜି ଯାହା ୪୦ ଟଙ୍କା ଥିଲା ତାହା ୬୪ ଟଙ୍କାରୁ ୬୬ ଟଙ୍କାକୁ ବୃଦ୍ଧି ପାଇଥିଲା। ଖୁଚୁରା ବଜାରରେ ତାଠାରୁ ୫-୮ ଟଙ୍କା ଅଧିକ ଦରରେ ଚିନି ବିକ୍ରି ହେଉଥିଲା। ବର୍ତ୍ତମାନ ପାଇକାରୀ ବଜାରରେ ଚିନିର କ୍ବିଣ୍ଟାଲ ପିଛା ଦର ୪୦୦ ଟଙ୍କା କମ୍ ହୋଇ ୬୦୦୦ ଟଙ୍କାକୁ ଖସିଆସିଛି। ଅର୍ଥାତ ପାଇକାରୀ ବଜାରରେ ଚିନି କେଜି ୬୦ରୁ ୬୨ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ସେହି ଅନୁସାରେ ଖୁଚୁରା ବଜାର ଦରରେ ହ୍ରାସ ଘଟିନାହିଁ। ଖୁଚୁରା ଦୋକାନରେ ଚିନି ଉଚ୍ଚା ଦାମରେ ବିକ୍ରି ହେଉଛି।
Cannabis seized: ଗଞ୍ଜେଇ ଚୋରା ଚାଲାଣ, ୪ ଅଭିଯୁକ୍ତ ଗିରଫ
ଦୁଇ ମାସ ମଧ୍ୟରେ ଚିନିର ଖୁଚୁରା ଦରରେ ୮୭ ପ୍ରତିଶତ ବୃଦ୍ଧି ପାଇଛି। ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପର ଲାଭ ଏପର୍ଯ୍ୟନ୍ତ ଖୁଚୁରା ଦରରେ ପ୍ରତିଫଳିତ ହୋଇନାହିଁ। ଚିନି ମହଙ୍ଗା ରହୁଥିବାରୁ ସେଥିରୁ ପ୍ରସ୍ତୁତ ଦୁଇ ଗୁରୁତ୍ବପୂର୍ଣ୍ଣ ଜିନିଷ ମିଠା ଓ ଚା ଦର ଉପରେ ଚାପ ସୃଷ୍ଟି ହୋଇଛି। ସ୍ବଳ୍ପ ଲାଭରେ ବ୍ୟବସାୟ କରୁଥିବା ଚା ଦୋକାନୀମାନେ ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି। ମିଠା ଦୋକାନୀମାନେ ମଧ୍ୟ ଦରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଇଡ୍କଲ୍ ଅଡିଟୋରିୟମ୍ ନିକଟରେ ଚା ଦୋକାନ କରିଥିବା ଶ୍ୟାମ କହିଛନ୍ତି ଯେ କିଛିଦିନ ପୂର୍ବେ ଗ୍ୟାସ୍ ଦରବୃଦ୍ଧି ବେଳେ ଚା ଦର ବଢ଼ିଥିଲା। ଏବେ ଦରରେ କୌଣସି ବୃଦ୍ଧି କରାଯାଇନାହିଁ। ଚିିନି ଦର ଯଦି ଏହିଭଳି ଭାବେ ବଢ଼ିଚାଲିବ ତେବେ ଦରବୃଦ୍ଧିର ସମ୍ଭାବନାକୁ ଅସ୍ବୀକାର କରାଯାଇପାରିବ ନାହିଁ।
Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା
‘ଆମ ପାହାଳ ରସଗୋଲା ଫାଉଣ୍ଡେସନ୍’ର ସଭାପତି ଅକ୍ଷୟ କୁମାର ଲେଙ୍କା ଗଣମାଧ୍ୟମକୁ କହିଛନ୍ତି ଯେ ମିଠା ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବିଭିନ୍ନ ଜିନିଷ ଯଥା ଛେନା, ଚିନି ଆଦିର ଦାମ ବଢ଼ିଛି। ତାହା ମିଠା ପ୍ରସ୍ତୁତି ଖର୍ଚ୍ଚକୁ ଯଥେଷ୍ଟ ବଢ଼ାଇଦେଇଛି। ଚିନି କେଜି ପିଛା ୩୦ ଟଙ୍କା ଅଧିକ ହୋଇଯାଇଛି। ଛେନା କେଜି ଦର ବି ୨୦ ଟଙ୍କା ବଢ଼ିଗଲାଣି। ଏସବୁ ବିଷୟ ବିଚାରକୁ ନେଇ ରାଖୀପୂର୍ଣ୍ଣିମା ପରେ ଦରବୃଦ୍ଧି ସମ୍ପର୍କରେ ବିଚାର କରାଯିବ ବୋଲି ସେ କହିଛନ୍ତି।
ଚିନି ଦରବୃଦ୍ଧି ସମ୍ପର୍କରେ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ପାଇକାରୀ ବଜାରରେ ଚିନି ଶସ୍ତା ହୋଇଛି। ଯୋଗାଣକୁ ନେଇ କୌଣସି ସମସ୍ୟା ନାହିଁ। ଆବଶ୍ୟକ ପରିମାଣର ଚିନି ଆସି ପହଞ୍ଚୁଛି। ରାଜ୍ୟରେ ଦିନକୁ ୨୫୦୦ ଟନ୍, ମାସକୁ ୭୫ ହଜାର ଟନ୍ ଓ ବର୍ଷକୁ ୯ ଲକ୍ଷ ଟନ୍ ଚିନି ଦରକାର। ସେହି ଅନୁସାରେ ଚିନି ଆସିବାରେ କିଛି ଅସୁବିଧା ଦେଖାଯାଉନି। ବଡ଼ ବ୍ୟବସାୟୀ ଓ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଦରବୃଦ୍ଧିରୁ ଫାଇଦା ପାଉଛନ୍ତି। ମଲ୍ ଓ ଅନ୍ଲାଇନ୍ରେ ଅଧିକ ଦାମରେ ଚିନି ବିକ୍ରି କରାଯାଉଛି। ତାହା ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଏଭଳି ଅନେକ କାରଣ ପାଇଁ ଦର ବଢ଼ୁଥିବା ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
