WEDNESDAY
08 JULY 2026

Welcome!

Unlock your personalized experience.
Sign Up

Success After Failure: ୪୨୦ ଥର ପ୍ରତ୍ୟାଖ୍ୟାନ ପରେ ମିଳିଲା ସ୍ୱପ୍ନର ଚାକିରି; କହିଲେ– ‘ଚାକିରି ଜୀବନ ନୁହେଁ, ଜୀବନର ଏକ ଅଂଶ’

Jul 08, 2026 - 10:46
Success After Failure: ୪୨୦ ଥର ପ୍ରତ୍ୟାଖ୍ୟାନ ପରେ ମିଳିଲା ସ୍ୱପ୍ନର ଚାକିରି; କହିଲେ– ‘ଚାକିରି ଜୀବନ ନୁହେଁ, ଜୀବନର ଏକ ଅଂଶ’

ନୂଆଦିଲ୍ଲୀ, ୮।୭: ସଫଳତା ପଛରେ ଥାଏ ଅନେକ ବିଫଳତାର କାହାଣୀ । କିନ୍ତୁ ୪୨୦ ଥର ପ୍ରତ୍ୟାଖ୍ୟାନ ପରେ ମଧ୍ୟ ହାର୍ ନମାନି ନିଜ ସ୍ୱପ୍ନକୁ ସାକାର କରି ଦେଖାଇଛନ୍ତି ଜଣେ ଭାରତୀୟ ଝିଅ । ଆମେରିକାର ନ୍ୟୁୟର୍କରେ ଚାକିରି ପାଇବା ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଦିବ୍ୟା ବଂଶଲ । ତେବେ ଚାକିରି ପାଇବାର ଖୁସି ମନାଇବା ସହ ସେ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ଏବେ ଇଣ୍ଟରନେଟରେ ଲୋକଙ୍କ ମନ ଜିଣିବାରେ ଲାଗିଛି । ଦିବ୍ୟା କହିଛନ୍ତି, "ଚାକିରି ମୋ ଜୀବନ ନୁହେଁ, ବରଂ ଏହା ଜୀବନର ଏକ ସେଗମେଣ୍ଟ ବା ଅଂଶ ମାତ୍ର ।" ନିକଟରେ ନ୍ୟୁୟର୍କ ୟୁନିଭର୍ସିଟିରୁ ଗ୍ରାଜୁଏଟ୍ ହୋଇଥିବା ଦିବ୍ୟାଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା । ଜଣେ ଅନ୍ତର୍ଜାତୀୟ ଛାତ୍ରୀ ଭାବରେ ତାଙ୍କ ପାଖରେ ସୀମିତ ସୁଯୋଗ ଥିଲା ଏବଂ ଭିସାକୁ ନେଇ ଅନେକ ସଂଘର୍ଷ କରିବାକୁ ପଡ଼ୁଥିଲା । ଚାକିରି ପାଇଁ ଆବେଦନ କରିବା ପରେ ତାଙ୍କୁ ୪୨୦ ଥର ପ୍ରତ୍ୟାଖ୍ୟାନର ସାମ୍ନା କରିବାକୁ ପଡ଼ିଥିଲା । ଏତେ ସାରା ରିଜେକ୍ସନ ପରେ ମାତ୍ର ୩ଟି କମ୍ପାନୀରୁ ତାଙ୍କୁ ଇଣ୍ଟରଭ୍ୟୁ କଲ୍ ଆସିଥିଲା, ଯେଉଁଥିରୁ ୨ଟି କମ୍ପାନୀ ତାଙ୍କୁ ଚାକିରିର ଅଫର ଦେଇଥିଲେ ।

ଏହା ବି ପଢ଼ନ୍ତୁ... Bangladesh Terrorist ISIS Connection: ଯଦି ଭାରତ ଟାର୍ଗେଟରେ ଥିଲା, ISIS ଆତଙ୍କବାଦୀଙ୍କ ବିଷୟରେ କାହିଁକି ମିଛ ପ୍ରଚାର କରୁଛି ବାଂଲାଦେଶ ?

‘ଚାକିରି ମୋର ପରିଚୟ ସାଜିବ ନାହିଁ’

ଆଜିର ସମୟରେ ଯେଉଁଠି ମଣିଷର ଯୋଗ୍ୟତା ଓ ପରିଚୟକୁ ତାଙ୍କର ଆର୍ଥିକ ସ୍ଥିତି ଏବଂ ଚାକିରି ସହ ଯୋଡ଼ି ଦେଖାଯାଏ, ସେଠାରେ ଦିବ୍ୟାଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଅଲଗା । ସେ କହିଛନ୍ତି, "ଏହି ଚାକିରି ମୋ ପାଇଁ ବହୁତ ବଡ଼ ସଫଳତା, କିନ୍ତୁ ଏହା ଏତେ ବି ବଡ଼ ନୁହେଁ ଯେ ମୋର ପୂରା ଜୀବନ କେବଳ ଏହା ଚାରିପାଖରେ ହିଁ ରହିବ । ଚାକିରି ମୋତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ, ମୋର ବିଲ୍ ପେମେଣ୍ଟ କରିବାରେ ସାହାଯ୍ୟ କରିବ, କିନ୍ତୁ ଏହା ଜଣେ ମଣିଷ ଭାବରେ ମୋତେ ପରିଭାଷିତ କରିପାରିବ ନାହିଁ ।" ଦିବ୍ୟାଙ୍କ କହିବା ଅନୁସାରେ, ସେ ଚାକିରି ସହିତ ନିଜ ପାଇଁ ମଧ୍ୟ ସମୟ ବାହାର କରିବେ । ଡାନ୍ସ କରିବା, ଜିମ୍ ଯିବା, ରୋଷେଇ କରିବା ଏବଂ ନିଜ ପ୍ରିୟଜନଙ୍କ ସହ ସମୟ ବିତାଇବା ସେ ଜାରି ରଖିବେ । କାରଣ ଯେତେବେଳେ ଜଣେ ବ୍ୟକ୍ତି କେବଳ କାମକୁ ହିଁ ନିଜର ପୂରା ପରିଚୟ ବନାଇଦିଏ, ସେତେବେଳେ ସେ ଧୀରେ ଧୀରେ ଜୀବନର ଅନ୍ୟ ସବୁ ଜିନିଷରୁ ଆଗ୍ରହ ହରାଇ ବସେ ।

ସାକାର ହେଲା ୧୦ ବର୍ଷ ତଳର ସ୍ୱପ୍ନ:

ଦିବ୍ୟା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, "୧୦ ବର୍ଷ ପୂର୍ବେ ଯଦି କେହି ମୋତେ କହିଥାନ୍ତା ଯେ ଦିନେ ତୁମେ ନ୍ୟୁୟର୍କରେ ଚାକିରି କରିବ, ତେବେ ହୁଏତ ମୁଁ ହସିଥାନ୍ତି । କିନ୍ତୁ ଆଜି ସେହି ସ୍ୱପ୍ନ ସତ ହୋଇଛି ।"  ବର୍ତ୍ତମାନ ସୋସିଆଲ ମିଡିଆରେ ଦିବ୍ୟାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଲୋକେ ତାଙ୍କର ଏହି ସଫଳତାକୁ ପ୍ରଶଂସା କରିବା ସହ ତାଙ୍କର ୱର୍କ-ଲାଇଫ୍ ବାଲାନ୍ସ ଚିନ୍ତାଧାରାକୁ ସଲାମ ଜଣାଉଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।