Ketan death case: ୪ ମାସ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା, ବିବାହ ପ୍ରମାଣ ଖୋଜୁଛି ପୁଲିସ୍
ନୂଆଦିଲ୍ଲୀ,୦୮/୦୭; ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟାକାଣ୍ଡ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସେ ଅନୁସାରେ, କେତନଙ୍କ ଭାବିପତ୍ନୀ ସିୟା ଗୋୟଲ ତାଙ୍କ ସହ ନିର୍ବନ୍ଧ ପରେ ନିଜ ପ୍ରେମିକ ଚେତନ ଚୌଧୁରୀଙ୍କୁ ଗୋପନରେ ବିବାହ କରିଥିଲେ । କେତନଙ୍କ ହତ୍ୟାକାଣ୍ଡର ପ୍ରାୟ ୪ ମାସ ପୂର୍ବରୁ ପୁନେର ରେଜିଷ୍ଟ୍ରାରଙ୍କ ଅଫିସ୍ରେ ଏହି ବିବାହ ହୋଇଥିଲା । ଏପରିସ୍ଥଳେ ପୁଲିସ ବିବାହ ପ୍ରମାଣପତ୍ର ଏବଂ ଅନ୍ୟ ପ୍ରମାଣକୁ ଖୋଜୁଛି । ସିୟାଙ୍କ ଦୁଇଜଣ ବାନ୍ଧବୀଙ୍କୁ ପଚରାଉଚରା କରାଯାଉଛି । ବିବାହ ସମୟରେ ସେମାନେ ସାକ୍ଷୀ ଭାବେ ସେଠାରେ ଉପସ୍ଥିତ ରହିଥିଲେ ।
ସେହିପରି ପୁଲିସ ଏକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ୍ ହୋଇଥିବା କିଛି ଫଟୋକୁ ରିକଭର କରିବାକୁ ଉଦ୍ୟମ କରୁଛି । ସେହି ଫଟୋରେ ସିୟା ଏବଂ ଚେତନ ବରମାଳା ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଉଭୟ ସ୍ୱତନ୍ତ୍ର ବିବାହ ଆଇନ ଅନୁସାରେ ବିବାହ ପଞ୍ଜୀକରଣ କରାଇଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ଚେତନଙ୍କ ବ୍ୟାଙ୍କ ରେକର୍ଡ ମଧ୍ୟ ଅଣ୍ଡାଳୁଛି ପୁଲିସ । ବିବାହ ପ୍ରକ୍ରିୟା ଶୀଘ୍ର ଶେଷ କରାଇବା ଲାଗି କୌଣସି ମଧ୍ୟସ୍ଥିଙ୍କୁ ଟଙ୍କା ଦିଆଯାଇଥିଲା କି ନାହିଁ ସେଥିନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ସିୟା ଏବଂ କେତନଙ୍କର ଫେବ୍ରୁଆରୀରେ ନିର୍ବନ୍ଧ ହୋଇଥିଲା । ନଭେମ୍ବରରେ ରାଜସ୍ଥାନର ଉଦୟପୁରରେ ବିବାହ ଅନୁଷ୍ଠିତ ହୋଇଥାନ୍ତା । ତେବେ ସିୟା ଏହି ବିବାହକୁ ନେଇ ଖୁସି ନଥିଲେ । ତେଣୁ ବିବାହ ପ୍ରସ୍ତୁତି ଆଗେଇବା ପରେ ସେ ପ୍ରେମିକ ଚେତନ ମିଶି ଜୁନ୍ ୧୮ରେ କେତନଙ୍କୁ ଲୋହାଗଡ଼ ଦୁର୍ଗରୁ ଠେଲି ହତ୍ୟା କରିଥିବା ଅଭିଯୋଗ ରହିଛି । ତରବରିଆ ଭାବେ ଏହି ହତ୍ୟାକାଣ୍ଡକୁ ରୂପରେଖ ଦିଆଯାଇଥିବା ପୁଲିସ ଆଶଙ୍କା କରୁଛି ।
ପ୍ରେମିକ ଚେତନଙ୍କୁ ବାହା ହେବା ପରେ ବି କେତନଙ୍କ ସହ ଛଳନା କରୁଥିଲେ ସିୟା । ଖାଲି ସେତିକି ନୁହେଁ କେତନଙ୍କ ମୃତ୍ୟୁ ପରେ ପରିବାରକୁ ମିଛ ଆଶ୍ୱସନା ଦେଇଥିଲେ । ଧୈର୍ଯ୍ୟ ରଖିବାକୁ କହୁଥିଲେ । କେତନ ଆମକୁ ଉପରୁ ଦେଖୁଛନ୍ତି ବୋଲି କହି କେତନଙ୍କ ବାପାମାଙ୍କୁ ବୁଝାଉଥିଲେ । ଖାଲି ସେତିକି ନୁହେଁ, ଷଡ଼ଯନ୍ତ୍ର ପୂର୍ବରୁ ସିୟା ରାଜା ରଘୁବଂଶୀ ହତ୍ୟାକାଣ୍ଡକୁ ଗୁଗ୍ଲ କରିଥିଲେ । ଏବେ କେତନ ହତ୍ୟାକାଣ୍ଡ ଅଭିଯୁକ୍ତ ଚେତନ ଏବଂ ସିୟାଙ୍କୁ ଜୁଲାଇ ୧୬ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ।
ଏହା ବି ପଢନ୍ତୁ...Ketan Agrawal case: ହତ୍ୟା କରିବା ପରେ ବି ସିଆର ମନରେ ନଥିଲା ସଙ୍କୋଚ, କେତନଙ୍କ ବାପାଙ୍କୁ ବୁଝାଇ କହୁ ଥିଲା ମନକୁ ଦୃଢ କର ….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।