Student Dies During Septic Tank Cleaning: ମଦ୍ରାସାରେ ସେପ୍ଟିକ୍ ଟ୍ୟାଙ୍କ ସଫା କରିବା ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ, ୧୨ ଜଣ ଆହତ
ରାଜସ୍ଥାନର ଦୀଗ ଜିଲ୍ଲାର ଏକ ମଦ୍ରାସାରେ ସେପ୍ଟିକ୍ ଟ୍ୟାଙ୍କ ସଫା କରିବା ସମୟରେ ଏକ ଦୁର୍ଘଟଣାରେ ଜଣେ ୧୭ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ ଜଣ ଛାତ୍ର ଆହତ ହୋଇଛନ୍ତି। ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି ଅବହେଳାର ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ମଦ୍ରାସା ପରିସରରେ ଥିବା ଦୀର୍ଘଦିନ ଧରି ଅବ୍ୟବହୃତ ସେପ୍ଟିକ୍ ଟ୍ୟାଙ୍କକୁ ସଫା କରିବା କାମରେ ହଷ୍ଟେଲରେ ରହୁଥିବା ୧୩ ଜଣ ଛାତ୍ର ନିୟୋଜିତ ଥିଲେ। ସେମାନେ ଟ୍ୟାଙ୍କ ଉପରେ ରଖାଯାଇଥିବା ଏକ କାଠ ସିଢ଼ି ଉପରେ ଠିଆ ହୋଇ ସଫେଇ କରୁଥିବା ବେଳେ ହଠାତ୍ ସନ୍ତୁଳନ ହରାଇ ସେପ୍ଟିକ୍ ଟ୍ୟାଙ୍କ ଭିତରକୁ ଖସିପଡ଼ିଥିଲେ। ଟ୍ୟାଙ୍କ ଭିତରେ ଥିବା ବିଷାକ୍ତ ଗ୍ୟାସ ଏବଂ ଶ୍ୱାସରୁଦ୍ଧ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ମୃତ ଛାତ୍ର ଜଣକ ହେଲେ ହରିୟାଣାର ବାସିନ୍ଦା ୧୭ ବର୍ଷୀୟ ରୋହିନ୍ ଭାବେ ହୋଇଛି। ଆହତ ୧୨ ଜଣଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅଲୱାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେପ୍ଟିକ୍ ଟ୍ୟାଙ୍କଟି ଦୀର୍ଘଦିନ ଧରି ବ୍ୟବହାର ହେଉନଥିଲା ଏବଂ ସେଥିରେ ପାଣି ଓ ଆବର୍ଜନା ଜମି ରହିଥିଲା। ମଦ୍ରାସା କର୍ତ୍ତୃପକ୍ଷ ଛାତ୍ରମାନଙ୍କୁ ଏହି ସଫେଇ କାମରେ ଲଗାଇଥିଲେ କି ନା ସେମାନେ ସ୍ୱଇଚ୍ଛାରେ ଏହା କରୁଥିଲେ, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ଘଟଣା ପରେ ପୋଲିସ ମଦ୍ରାସା ପରିଚାଳନା କମିଟିର ଭୂମିକାକୁ ନେଇ ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ନିୟମ ପାଳନ କରାଯାଇଥିଲା କି ନାହିଁ ଏବଂ ଏହି ଦୁର୍ଘଟଣାରେ କାହାର ଅବହେଳା ରହିଛି, ତାହା ତଦନ୍ତ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।