Stephen Fleming Appoints England Test Coach: ଷ୍ଟିଫେନ୍ ଫ୍ଲେମିଂ ହେଲେ ଇଂଲଣ୍ଡ ଟେଷ୍ଟ ଦଳର ନୂଆ କୋଚ୍, ଜୋ ରୁଟ୍ ପୁଣି ଅଧିନାୟକ
ଇଂଲଣ୍ଡ ଟେଷ୍ଟ କ୍ରିକେଟ୍ ଦଳରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ୫ ଥର ଚାମ୍ପିଅନ୍ କରାଇଥିବା ସଫଳ କୋଚ୍ ତଥା ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଂଙ୍କୁ ଇଂଲଣ୍ଡ ଟେଷ୍ଟ ଟିମ୍ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଏହାସହ ଦଳର ଅଭିଜ୍ଞ ବ୍ୟାଟର ଜୋ ରୁଟ୍ଙ୍କୁ ପୁଣିଥରେ ଟେଷ୍ଟ ଦଳର କାପ୍ଟେନ୍ସି ଭାର ଦେଇଛି ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ECB)।
ନିକଟରେ ପୂର୍ବତନ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ଏବଂ ବ୍ରେଣ୍ଡନ୍ ମ୍ୟାକକୁଲମ୍ଙ୍କୁ ଟେଷ୍ଟ କୋଚ୍ ପଦରୁ ହଟାଯିବା ପରେ ଇଂଲଣ୍ଡ ଟେଷ୍ଟ ଟିମ୍ରେ ଏହି ବଡ଼ ପରିବର୍ତ୍ତନ କରାଯାଇଛି। ମ୍ୟାକକୁଲମ୍ ଏବେ କେବଳ ସୀମିତ ଓଭର ଟିମ୍ର କୋଚ୍ ଭାବେ କାର୍ଯ୍ୟ କରିବେ।
୩୫ ବର୍ଷୀୟ ଜୋ ରୁଟ୍ ୨୦୧୭ ରୁ ୨୦୨୨ ମଧ୍ୟରେ ୬୪ଟି ଟେଷ୍ଟରେ ଇଂଲଣ୍ଡର ଅଧିନାୟକତ୍ବ କରିସାରିଛନ୍ତି। ଟେଷ୍ଟ କ୍ରିକେଟ୍ରେ ୧୪,୦୦୦ରୁ ଅଧିକ ରନ୍ ସହ ସଚିନ୍ ତେନ୍ଦୁଲକରଙ୍କ ପଛକୁ ସେ ସର୍ବାଧିକ ରନ୍ହାସଲକାରୀ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି।
୫୩ ବର୍ଷୀୟ ଫ୍ଲେମିଂ ବିଶ୍ବ କ୍ରିକେଟ୍ର ଅନ୍ୟତମ ଚତୁର ଓ ସଫଳ ମାଷ୍ଟରମାଇଣ୍ଡ। IPLରେ CSKକୁ ୫ଟି ଟ୍ରଫି ଜିତାଉଥିବା ଫ୍ଲେମିଂ ପ୍ରଥମ କରି କୌଣସି ଅନ୍ତର୍ଜାତୀୟ ଟେଷ୍ଟ ଟିମ୍ର କୋଚିଂ ଦାୟିତ୍ବ ନେଉଛନ୍ତି।
ପୁଣିଥରେ ଅଧିନାୟକ ଦାୟିତ୍ବ ପାଇବା ପରେ ଜୋ ରୁଟ୍ କହିଛନ୍ତି, "ଇଂଲଣ୍ଡ ଟେଷ୍ଟ ଟିମ୍ର ଅଧିନାୟକ ହେବା ଏକ ଗର୍ବ ଓ ସମ୍ମାନର ବିଷୟ। ଷ୍ଟିଫେନ୍ ଫ୍ଲେମିଂଙ୍କ ଭଳି ଜଣେ ଚମତ୍କାର ନେତା ଓ କ୍ରିକେଟ୍ ଜ୍ଞାନୀଙ୍କ ସହ କାମ କରିବାକୁ ମୁଁ ବେଶ୍ ଉତ୍ସାହିତ।"
ଅପରପକ୍ଷରେ ନୂଆ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଆମର ଲକ୍ଷ୍ୟ ସଦାବେଳେ ବିଜୟୀ ହେବା। ରୁଟ୍ଙ୍କ ଭଳି ଜଣେ ପ୍ରତିଭାବାନ୍ ଖେଳାଳିଙ୍କ ସହ କାମ କରିବା ଏବଂ ଦଳର ଯୁବ ପ୍ରତିଭାମାନଙ୍କୁ ଆଗକୁ ନେବା ମୋ ପାଇଁ ଅତ୍ୟନ୍ତ ଖୁସିର କଥା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।