Start Your Day with Flaxseeds: ପ୍ରତିଦିନ ଏକ ଚାମଚ ଅଳସୀ ଖାଇବା କାହିଁକି ଶରୀର ପାଇଁ ଲାଭଦାୟକ
ଆଜିକାଲିର ସମୟରେ ବଦଳୁଥିବା ଜୀବନଶୈଳୀ ଓ ଅନିୟମିତ ଖାଦ୍ୟାଭ୍ୟାସ କାରଣରୁ ଆଜିକାଲି ଅନେକ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେଉଛନ୍ତି। ଏପରି ସମୟରେ ସକାଳେ ପୃଷ୍ଟିକର ଖାଦ୍ୟ ସାମିଲ କରିବା ଲାଭଦାୟକ ହୋଇଥାଏ। ସେଥିମଧ୍ୟରୁ ଅଳସୀ ଏକ ଅତ୍ୟନ୍ତ ପୃଷ୍ଟିକର ସୁପରଫୁଡ୍ ଭାବେ ପରିଚିତ।
ଏଥିରେ ଫାଇବର, ଓମେଗା–୩ ଫ୍ୟାଟି ଏସିଡ୍, ପ୍ରୋଟିନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ପୋଷକତତ୍ତ୍ୱ ପ୍ରଚୁର ପରିମାଣରେ ରହିଥାଏ। ନିୟମିତ ଭାବେ ସକାଳେ ଖାଲି ପେଟରେ ଏକ ଚାମଚ ଅଳସୀ ସେବନ କଲେ ଶରୀରକୁ ଅନେକ ଉପକାର ମିଳିପାରେ।
ହୃଦୟ ସୁସ୍ଥ ରଖିବାରେ ସହାୟକ - ଅଳସୀରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ଖରାପ କୋଲେଷ୍ଟେରଲ୍ କମାଇବା ଓ ଭଲ କୋଲେଷ୍ଟେରଲ୍ ବଢ଼ାଇବାରେ ସହାୟକ ହୋଇଥାଏ। ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ସହଯୋଗ କରିଥାଏ। କୋଷ୍ଠକାଠିନ୍ୟ ଓ ଗ୍ୟାସ ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ ଅଳସୀ ଉପକାରୀ ଅଟେ। ଏଥିରେ ଥିବା ଫାଇବର ପାଚନ ପ୍ରକ୍ରିୟାକୁ ସକ୍ରିୟ କରିବା ସହ ପେଟ ସଫା ରଖିବାରେ ସାହାଯ୍ୟ କରିଥାଏ।
ଓଜନ ନିୟନ୍ତ୍ରଣରେ ସାହାଯ୍ୟ - ଅଳସୀରେ ଥିବା ଫାଇବର ଓ ପ୍ରୋଟିନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟକୁ ଫୁଲ ରଖିଥାଏ। ଫଳରେ ବାରମ୍ବାର ଭୋକ ଲାଗିବା କମିଯାଏ। ଯେଉଁମାନେ ଓଜନ କମାଇବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଅଳସୀ ବେଶ୍ ଲାଭଦାୟକ ଅଟେ।
ତ୍ୱଚା ଓ କେଶ ପାଇଁ ଲାଭଦାୟକ - ଅଳସୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଓମେଗା-୩ ଫ୍ୟାଟି ଏସିଡ୍ ତ୍ୱଚାକୁ ଭିତରୁ ପୋଷଣ ଯୋଗାଇ ଥାଏ। ଏହା ତ୍ୱଚାର ଚମକ ବଜାୟ ରଖିବା ସହ କେଶର ମୂଳକୁ ମଜବୁତ କରି କେଶ ଝଡ଼ିବା କମାଇବାରେ ସହାୟକ ହୁଏ ବୋଲି ମନେ କରାଯାଏ।
ଅଳସୀ ମଞ୍ଜିକୁ କଞ୍ଚା ଖାଇବା ପରିବର୍ତ୍ତେ ହାଲୁକା ଭାବେ ଭାଜି ଗୁଣ୍ଡ କରି ଖାଆନ୍ତୁ। ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଚାମଚ ଅଳସୀ ଗୁଣ୍ଡକୁ ଉଷୁମ ପାଣି ସହ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ, ଏବଂ ଦିନସାରା ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଜରୁରୀ, କାରଣ ଫାଇବର ଶରୀରରେ ଭଲ ଭାବରେ କାମ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ଆବଶ୍ୟକ କରିଥାଏ।
ବିଶେଷ ସୂଚନା: ଅଳସୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥିଲେ ମଧ୍ୟ, କୌଣସି ଦୀର୍ଘସ୍ଥାୟୀ ରୋଗରେ ପୀଡ଼ିତ ଥିଲେ କିମ୍ବା ନିୟମିତ ଔଷଧ ସେବନ କରୁଥିଲେ, ଏହାକୁ ଦୈନିକ ଖାଦ୍ୟରେ ସାମିଲ କରିବା ପୂର୍ବରୁ ଡାକ୍ତର କିମ୍ବା ଡାଏଟିସିଆନଙ୍କ ପରାମର୍ଶ ନେବା ଉଚିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।