Srimandir Celebrates Divine Wedding: ଶ୍ରୀମନ୍ଦିରରେ ରୁକ୍ମିଣୀଙ୍କୁ ବିବାହ କଲେ ମଦନମୋହନ
ଆଜି ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ। ପବିତ୍ର ଏକାଦଶୀତିଥିରେ ମହାପ୍ରଭୁ ବିବାହ କରିଛନ୍ତି ରୁକ୍ମିଣୀଙ୍କୁ। ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଏହି ତିଥିରେ ରୁକ୍ମଣୀଙ୍କୁ ହରଣ କରିବା ସହ ବିବାହ କରିଥିଲେ। ଯେହେତୁ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କର ଏକ ଅବତାର ବୋଲି କୁହାଯାଏ ସେଥିଲାଗି ଶ୍ରୀମନ୍ଦିରରରେ ବିଧି ପରମ୍ପରା ଅନୁସାରେ ରୁକ୍ମିଣୀ ବିବାହ ନୀତି ସମ୍ପର୍ଣ୍ଣ କରାଯାଇଥାଏ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଯଥାବିଧି ଅନୁଯାୟୀ ରୁକ୍ମଣୀ ରୁପି ମହାଲକ୍ଷ୍ମୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏଥିପାଇଁ ଶ୍ରୀମନ୍ଦିରର ଚାରିଦ୍ୱାରରେ ଶୁଭୁଛି ତେଲିଙ୍ଗି ବାଜା। ଯାହା କେବଳ ବିବାହ ଉତ୍ସବରେ ବାଜିବାର ପରମ୍ପରା ରହିଛି।
ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ଉଠିବା ପରେ ମହାଲକ୍ଷ୍ମୀ ଆଜ୍ଞାମାଳ ପାଇ ସାତପାହଚ ନିକଟରେ ପାଲିଙ୍କିରେ ବସି ଜଗମୋହନକୁ ବିଜେ କରିବେ। ଏହାପରେ ମହାସ୍ନାନ ବଢି ମାଜଣା,ବନକ ଲାଗି ଏବଂ ଅଳଙ୍କାର ଲାଗି କରାଯିବା ପରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ନିକଟକୁ ଚିଟାଉ ଲେଖିଥିଲେ। ଚିଠି ପାଇବା ପରେ ମହାପ୍ରଭୁ ମହାଲକ୍ଷ୍ମୀ ଅର୍ଥାତ ରୁକ୍ମଣୀଙ୍କୁ ହରଣ କରିବା ସହ ଶିଶୁପାଳକୁ ଯୁଦ୍ଧରେ ପରାସ୍ତ କରି ବିବାହ କରିବେ।
ବିବାହ ବନ୍ଧନରେ ଆବଦ୍ଧ ହେବାପରେ ଶୁକ୍ରବାର ଦ୍ବାଦଶୀ ତିଥିରେ ଦେବଦମ୍ପତ୍ତିଙ୍କର ଗୁଆଲି ଯାତ୍ରା ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି। ସେପଟେ ଆଜି ଗୁରୁବାର ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୧.୦୦ଟିକା ଠାରୁ ସନ୍ଧ୍ୟା ଘ.୬.୦୦ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।