Sri Jagannath’s Suna Besha Draws Huge Crowd: ସୁନା ବେଶରେ ଶ୍ରୀଜିଉ, ଦର୍ଶନ ପାଇଁ ପ୍ରବଳ ଭିଡ଼; ପାର୍କିଂ ସ୍ପେସ୍ ଫୁଲ୍ ପରେ ନାକେଦମ୍ ପୋଲିସ୍
କଟକ, ଉତ୍ତରା, ପିପିଲି, ମାଳତୀପାଟପୁର । ଗାଡ଼ିର ଲମ୍ବା ଧାଡ଼ି। ଘଣ୍ଟାପ୍ରତି ବେଗ ୧୦ରୁ ୧୫ କିଲୋମିଟର। ଆଖି ଯେଉଁଯାଏ ପାଉଛି ସେଇଯାଏ ଜାମ୍। ଭିଡ଼ ଅସମ୍ଭାଳ। ଦେଖିଲେ ଲାଗୁଛି ରାସ୍ତା ନୁହେଁ ତ...ଯେମିତି ଗାଡ଼ିର ସମୁଦ୍ର। ସୁନାବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଶାତୀତ ସ୍ରୋତ ଯୋଗୁଁ ପୁରୀ ରାସ୍ତାରେ କିଲୋମିଟର କିଲୋମିଟର ଯାଏଁ ଟ୍ରାଫିକ୍ ଜାମ୍।
ଭୁବନେଶ୍ବରରୁ ପୁରୀ, ଯେଉଁଠି ଦେଖିବେ, ସେଇଠି କେବଳ ଗାଡ଼ିର ଲମ୍ବା ଲାଇନ୍। ସ୍ଥିତି ଏଭଳି ଯେ, ୫ରୁ ୭ କିଲୋମିଟର ଯିବାକୁ ଲାଗିଯାଉଛି ଘଣ୍ଟା ଘଣ୍ଟା ସମୟ। ମଝିରେ ମଝିରେ ଲୋକଙ୍କୁ ସତର୍କ କରିବାକୁ ଆଲର୍ଟ ଜାରି କରୁଥିଲା ଟ୍ରାଫିକ୍ କ୍ରାଉଡ କଣ୍ଟ୍ରୋଲ ବା TCC।
ବେଳ ଗଡ଼ିବା ସହିତ ଗାଡ଼ିଙ୍କ ଭିଡ଼ ବି ବଢୁଥିଲା। ସମୟ ମଧ୍ୟାହ୍ନ ୧୨ଟା। TCCର ଆଲର୍ଟ ଅନୁସାରେ, ମାଳତୀପାଟପୁରରେ ୱେଟିଂ ସମୟ ରହିଥିଲା ଦେଢ ଘଣ୍ଟା। ଆଉ ଗୋଟାଏ ୧୫ ବେଳକୁ ଲାଗିଯାଉଥିଲା ଦୁଇ ଘଣ୍ଟା। ଏହାର ଠିକ୍ ୧୫ ମିନିଟ ପରେ ମାଳତୀପାଟପୁରରେ ୱେଟିଂ ଟାଇମ୍ ବଢିଯାଇଥିଲା ସିଧା ଅଢେଇ ଘଣ୍ଟାକୁ। ଏପଟେ ରାସ୍ତା ସାରା ୪୦ଟି ଏଲଇଡି ମାଧ୍ୟମରେ ପ୍ରତିଟି ମୁହୂର୍ତ୍ତର ଟ୍ରାଫିକ୍ ଅପଡେଟ୍ ଜାରି ହେଉଥିଲା। ପ୍ରବଳ ଜାମ୍ ଭିତରେ ଗାଡ଼ିର ବେଗ ସିନା କମିଯାଇଥିଲା, ହେଲେ ଗାଡ଼ି କେଉଁଠି ଅଟକି ରହୁନଥିଲା।
ସୁନାବେଶର ଆକର୍ଷଣ କାଲିଠୁ ଭକ୍ତଙ୍କୁ ପୁରୀ ମନସ୍କ କରିସାରିଥିଲା। ଗତକାଲି ରାତିରେ ହଜାର ହଜାର ଗାଡ଼ି ଭୁବନେଶ୍ବରରୁ ପୁରୀ ଅଭିମୁଖେ ଗତି କରୁଥିଲା। ସୂଚନା ଅନୁସାରେ, ପୁରୀକୁ ଭୁବନେଶ୍ବର ଆଡ଼ୁ ପ୍ରତି ମିନିଟରେ ୪୦ ଗାଡ଼ି ପ୍ରବେଶ କରୁଥିବାବେଳେ ବାହାରୁଛି ମାତ୍ର ୪। ଫଳରେ ପାର୍କିଂ ସମସ୍ୟା ସଂଗୀନ ହୋଇପଡ଼ିଛି। ଭୁଦାନ ପାର୍କିଂ ଫୁଲ୍ ହୋଇଯିବାରୁ ଗେଟ୍ ବନ୍ଦ କରିଦିଆଯାଇଛି। ତାଳବଣିଆରେ ଗାଡ଼ି ଫୁଲ୍, ଅନ୍ୟ ପାର୍କିଂ ପ୍ଲେସ୍ ସ୍ଥିତି ବି ଟଳମଳ। ଗାଡ଼ି ରଖିବାକୁ କଲବଲ ହେଇଛନ୍ତି ଶ୍ରଦ୍ଧାଳୁ।
ଏପଟେ ଟ୍ରାଫିକ୍ ସ୍ଥିତି ଉପରେ ରଖାଯାଇଛି କଡ଼ା ନଜର । ୪୦୦ ସିସି କ୍ୟାମେରା ସହିତ ପୁରୀର ଟ୍ରାଫିକ୍ କଣ୍ଟ୍ରୋଲ ସେଣ୍ଟର ଓ କମିଶନରେଟ ପୋଲିସର ସ୍ମାର୍ଟସିଟି କଣ୍ଟ୍ରୋଲ ରୁମକୁ ଇଣ୍ଟିଗ୍ରେଟେଡ୍ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ପୋଲିସ ଡିଜି ଟ୍ରାଫିକ କଣ୍ଟ୍ରୋଲ ସେଣ୍ଟରକୁ ଯାଇ ସମୀକ୍ଷା କରିଥିବାବେଳେ ଟୁଇନସିଟି କମିଶନର ରାସ୍ତାକୁ ଓହ୍ଲାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ସୁନା ବେଶ। କୁହାଯାଏ ରଥ ଉପରେ ଶ୍ରୀଜିଉଙ୍କ ଦୁର୍ଲଭ ବେଶ ଦେଖିବା ଲାଗି ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ମଧ୍ୟ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏଣୁ ପ୍ରତିବର୍ଷ ସୁନାବେଶରେ ପୁରୀ-ଭୁବନେଶ୍ବର ଜାମ୍ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ବର୍ଷ ବର୍ଷକୁ ଶ୍ରଦ୍ଧାଳୁଙ୍କ ଆଗମନ ବଢୁଥିବାବେଳେ ଟ୍ରାଫିକ୍ ଓ ପାର୍କିଂ ସମସ୍ୟା ପୋଲିସ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।