Speculation Mounts Over Odisha Cabinet Reshuffle: ବଦଳିପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା, ମୋହନ-ମନମୋହନଙ୍କ ଦିଲ୍ଲୀ ଗସ୍ତ ପରେ ଚର୍ଚ୍ଚା
ବୋର୍ଡ-ନିଗମ ଅଧ୍ୟକ୍ଷ ପଦବୀ ନିଯୁକ୍ତି ନେଇ ବଢ଼ିଲା ଆଶା। ଅଚାନକ ମୋହନ-ମନମୋହନଙ୍କ ଦିଲ୍ଲୀ ଗସ୍ତ ପରେ ଜୋରଦାର୍ ଚର୍ଚ୍ଚା। କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଦୁଇଦିନ ତଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇ ଫେରିବା ପରେ ଆଜି ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିଙ୍କୁ ଅଚାନକ ଦିଲ୍ଲୀ ଡକରା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଏହି ଗସ୍ତ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସହ ଉଭୟଙ୍କର ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ତେବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏହା ଏକ ରୁଟିନ୍ ଭିଜିଟ୍। ଏବେ SIR ପ୍ରକ୍ରିୟା ଚାଲିଛି। ତେଣୁ ସେ ସଂପର୍କରେ ଆଲୋଚନା ହେବ। ସେ ଆହୁରି ମଧ୍ୟ କହିଛନ୍ତ, ଠିକ୍ ସମୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ଏଥିପାଇଁ ହୋମ୍ ୱର୍କ ସରିଛି। ଏହାସହ ଚଳିତ ମାସ ଶେଷ ସୁଦ୍ଧା ବୋର୍ଡ ଓ ନିଗମ ପଦବି ଘୋଷଣା ହେବ।
ମନ୍ତ୍ରୀ ପରିଷଦରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୧୬ ଜଣ ମନ୍ତ୍ରୀ ଥିବା ବେଳେ ନିୟମ ଅନୁଯାୟୀ ବିଧାନସଭାର ମୋଟ୍ ଆସନର ୧୫ ପ୍ରତଶତ ଅର୍ଥାତ୍ ୨୧ ଜଣ ମନ୍ତ୍ରୀ ରହିପାରିବେ। ଅନ୍ୟପକ୍ଷରେ ଜଣେ ଜଣେ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଓଭରଲୋଡିଂ ଯୋଗୁ ସରକାରୀ କାମ ବି ବାଧାପ୍ରାପ୍ତ ହେଉଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଲେ କିଏ ବାଦ୍ ପଡ଼ିବେ, କାହାକୁ ସୁଯୋଗ ମିଳିବ ତାକୁ ନେଇ ବି ବଢିଛି ଚର୍ଚ୍ଚା। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ କିଛି ଦିନ ପୂର୍ବରୁ ମନ୍ତ୍ରୀମାନେ ନିଜ ନିଜର ପୋଗ୍ରେସ୍ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଅଭିଜ୍ଞତା ଏବଂ ସରକାରଙ୍କ ବିଶ୍ବାସକୁ ଜିଣି ପାରୁଥିବା ବିଧାୟକଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି।
ସମ୍ଭାବ୍ୟ ତାଲିକାରେ ଜାଏଣ୍ଟ କିଲର୍ କୁହାଯାଉଥିବା ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ବାଲେଶ୍ବର ବିଧାୟକ ମାନସ ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପଶ୍ଚିମ ଓଡିଶାରୁ ଇରାଶିଷ ଆଚାର୍ଯ୍ୟ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗିରହିଛି। ସେହିପରି ଯାଜପୁରରୁ ଆକାଶ ଦାସ ନାୟକ, ଏକାମ୍ର ବିଧାୟକ ବାବୁ ସିଂଙ୍କ ନାଁ ବି ଆଗରେ ଥିବା କୁହାଯାଉଛି।
ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶାରୁ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କୋରାପୁଟର ରଘୁରାମ ମାଛ ଓ ସରୋଜ ପ୍ରଧାନଙ୍କ ନାଁକୁ ଯୋଡ଼ା ଯାଇପାରେ। ସେପଟେ ରାଜନୈତିକ ସମୀକ୍ଷକ କହିଛନ୍ତି ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଯେଉଁସବୁ ଜିଲ୍ଲାଗୁଡ଼ିକରେ ବିଜେପିର ସ୍ଥିତି ଦୁର୍ବଳ ରହିଛି, ସେଠାକାର ନେତାମାନଙ୍କୁ ପ୍ରାଧାନ୍ୟ ମିଳିପାରେ।
ବୋର୍ଡ, ନିଗମ ଓ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ସେନେଇ ଦଳ ଭିତରେ ଅଙ୍କ ଛିଡୁନଥିବାରୁ ପ୍ରକ୍ରିୟା ବିଳମ୍ବ ହେଉଥିଲା। ଏବେ ସେ ସମସ୍ୟା ଦୂର ହେବା ପରେ କେତେ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଉଛି ଏବଂ ବୋର୍ଡ, ନିଗମ ପଦବୀ କେବେ ଘୋଷଣା ହେଉଛି ତା ଉପରେ ନଜର ।