Soil of Mayurbhanj: ମୟୂରଭଞ୍ଜ ମାଟିରୁ ବିଶ୍ବ ମାରାଥନ

Oct 22, 2026 - 05:00
Soil of Mayurbhanj: ମୟୂରଭଞ୍ଜ ମାଟିରୁ ବିଶ୍ବ ମାରାଥନ

"ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): ମୟୂରଭଞ୍ଜର ଯଶିପୁର ମାଟିରୁ ଜାପାନର ବ୍ୟସ୍ତବହୁଳ ସହର ଟୋକିଓର ମାରାଥନ୍ ଟ୍ରାକ୍ ପର୍ଯ୍ୟନ୍ତ, ଦେବେନ୍ଦ୍ର ମହାନ୍ତଙ୍କ ଯାତ୍ରା କେବଳ ଜଣେ ଧାବକଙ୍କ କାହାଣୀ ନୁହେଁ, ବରଂ ସ୍ୱପ୍ନ, ସଂଘର୍ଷ ଓ ଅଦମ୍ୟ ଇଚ୍ଛାଶକ୍ତିର ଏକ ପ୍ରେରଣାଦାୟୀ ଗାଥା।

ଓଡ଼ିଶାଠାରୁ ହଜାର ହଜାର କିଲୋମିଟର ଦୂରରେ ରହି ମଧ୍ୟ ସେ ନିଜ ଲକ୍ଷ୍ୟପଥରେ ଅଟଳ।

କର୍ପୋରେଟ୍‌ ବୋର୍ଡ ରୁମ୍‌ରୁ ବାହାରି ଆବୋଟ୍‌ ବିଶ୍ବ ମେଜର ମାରାଥନର ୬ଟି କଠିନ ପ୍ରତିଯୋଗିତାକୁ ସଫଳତାର ସହ ଶେଷ କରିବା ପର୍ଯ୍ୟନ୍ତ, ଉଭୟ କ୍ରୀଡ଼ା ଓ କାରବାରର ସଫଳ ପଥିକ ସାଜିଛନ୍ତି ଦେବେନ୍ଦ୍ର।

ସୁଦୂର ଜାପାନରେ ମଧ୍ୟ ସେ ପାଲଟିଛନ୍ତି ଓଡ଼ିଶାର ମହନୀୟ କଳା, ସଂସ୍କୃତି ଓ ଐତିହ୍ୟର ଅନନ୍ୟ ଦୂତ।

ଛୋଟ ସହରରୁ ବିଶ୍ୱନଗରୀର ଦୌଡ଼ପଥ ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ପ୍ରମାଣ କରେ ଯେ, ସ୍ୱପ୍ନ ପୂରଣ ପାଇଁ ବଡ଼ ସହର କି ବଡ଼ ସୁଯୋଗ ନୁହେଁ, ବରଂ ଦରକାର ଏକ ଦୃଢ଼ ମନ, ଅସୀମ ପରିଶ୍ରମ ଓ ପ୍ରଥମ ପାଦଟି ଆଗକୁ ବଢ଼ାଇବାର ଅଦମ୍ୟ ସାହସ।Advertisment କର୍ପୋରେଟ୍‌ ଜୀବନରୁ ସିକ୍ସ ଷ୍ଟାର୍‌ ଫିନିସର୍‌ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗିଥିବା ଛୋଟ ଟାଉନ୍‌ ଯଶିପୁରର ବାସିନ୍ଦା ସ୍ବର୍ଗତ ସୀତାନାଥ ମହାନ୍ତ ଓ କେଶବତୀ ମହାନ୍ତଙ୍କ ସୁପୁତ୍ର ଦେବେନ୍ଦ୍ର ମହାନ୍ତଙ୍କ ଜନ୍ମ ହୋଇଥିଲା ୧୯୭୧ ମସିହା ଜୁନ୍‌ ୨୭ ତାରିଖରେ।

ଗାଁରେ ଥିଲା ବେ‌ଳେ ଗିଲି-ଡଣ୍ଡା ବା ଡାବଳପୁଆ ଖେଳିବା, ଆମ୍ବ ଗଛରେ ଚଢ଼ିବା ଏବଂ ଶଗଡ଼ଗାଡ଼ିରେ ବୁଲିବାକୁ ବେଶ୍‌ ପସନ୍ଦ କରୁଥିଲେ ସେ।

ଦୌଡ଼ାଦୌଡ଼ିରେ ମଧ୍ୟ ବିଶେଷ ରୁଚି ଥିଲା।

ଗାଁରେ ପିଲାବେଳ କଟିବା ସହ ଦେବେନ୍ଦ୍ରଙ୍କ ସ୍କୁଲ୍‌ ଜୀବନ କଟିଥିଲା ରାଉରକେଲା ନିକଟସ୍ଥ ପୁରୁଣାପାଣିରେ।

ପରେ କଟକର ରେଭେନ୍‌ସା କଲେଜରେ ପଢ଼ିବାର ସୁଯୋଗ ପାଇଥିଲେ ସେ।

ସେଠାରୁ ଦ୍ବାଦଶ ଶିକ୍ଷା ଶେଷ କରି ଧାନବାଦର ସମ୍ମାନଜନକ ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ମାଇନ୍ସରେ ନାମ ଲେଖାଇଥିଲେ।

ପରେ ଏହି ସ୍କୁଲ୍‌ରୁ ନାମ ହଟାଇ ଏନ୍‌ଆଇଟି ରାଉରକେଲାରେ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ।

ପାଠ ଶେଷ ହେବା ପରେ ହିଣ୍ଡାଲ୍‌କୋ କମ୍ପାନିରେ ଯୋଗ ଦେଇଥିଲେ।

ଆଇଆଇଟି ଖଡ଼ଗପୁରରୁ ଏମ୍‌ବିଏ ଡିଗ୍ରି ହାସଲ କରିବା ପରେ ଏଲ୍‌ ଆଣ୍ଡ୍‌ ଟି, ଇନ୍‌ଫୋସିସ୍‌ ଓ ଏଚ୍‌ସିଏଲ୍‌ ଭଳି ବଡ଼ ବଡ଼ କମ୍ପାନିରେ କାମ କରିବାର ସୁଯୋଗ ପାଇଥିଲେ।

କାଳକ୍ରମେ ଚାକିରି ଛାଡ଼ି ବ୍ୟବସାୟ ଦୁନିଆରେ ପାଦ ଥାପିଥିଲେ ସେ।

ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଥିଲା ତାଙ୍କର ମୂଳଲକ୍ଷ୍ୟ।

ଜାପାନରେ ଓଡ଼ିଶା ସ୍ବପ୍ନକୁ ସାକାର କରୁଛନ୍ତି ଦେବେନ୍ଦ୍ର ଇତ୍ୟବସରରେ ସେ ଜାପାନ ଯାଇ ଟୋକିଓରେ ବସବାସ କରିବା ଆରମ୍ଭ କରିଥିଲେ।

ଜାପାନରେ ରହିବା ସମୟରେ ହିଁ ତାଙ୍କର କ୍ରୀଡ଼ା ପ୍ରତି ରୁଚି ବଢ଼ିଥିଲା।

ବୃତ୍ତିଗତ ଜୀବନ ସହ ମାରାଥନରେ ସେ ମନୋନିବେଶ କରିଥିଲେ।

ଏଥିରେ ତାଙ୍କୁ ଝିଅ ଦେବାଙ୍ଗୀ ଓ ପତ୍ନୀ ଜୟଶ୍ରୀ ସହାୟତା କରିଥିଲେ।

ଦେବାଙ୍ଗୀ ନିଜେ ଟେନିସ୍‌ ଖେଳିବା ସହ ସ୍କୁଲ୍‌ ସ୍ତରରେ ମାରାଥନ ଦୌଡ଼ରେ ଭାଗ ନେଉଥିଲେ।

ତାଙ୍କଠାରୁ ପ୍ରେରଣା ପାଇ ଦେବେନ୍ଦ୍ର ମଧ୍ୟ ମାରାଥନ ଦୁନିଆରେ ପାଦ ଥାପିଥିଲେ।

କ୍ରୀଡ଼ା ସହ କର୍ମନିଯୁକ୍ତିଦେବେନ୍ଦ୍ର, ଆବୋଟ୍‌ ୱାର୍ଲଡ ମେଜର ମାରାଥନର ପାରମ୍ପରିକ ୬ଟି ରେସ୍‌ ଯଥା ନ୍ୟୁୟର୍କ, ସିକାଗୋ, ବର୍ଲିନ, ଲଣ୍ଡନ, ଟୋକିଓ ତଥା ‌ବୋଷ୍ଟନ୍‌ ପର୍ଯ୍ୟାୟକୁ ସଫଳତାର ସହ ଶେଷ କରି ସିକ୍ସ ଷ୍ଟାର୍‌ ଫିନିସର୍‌ ଉପାଧି ଲାଭ କରି ସାରିଛନ୍ତି।

ଆଗକୁ ସେ କେପ୍‌ଟାଉନ୍‌ ଓ ସିଡ୍‌ନି ମାରାଥନରେ ଦୌଡ଼ି ଏଇଟ୍‌ ଷ୍ଟାର୍‌ ହଲଅଫ୍‌ ଫେମ୍‌ରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି।

ମାରାଥନ ଦୌଡ଼ିବା ସହ ସେ ମଧ୍ୟ ୨୦୨୨ରୁ ଇନାହୋ ଡିଜିଟାଲ ସଲ୍ୟୁସନ୍‌ ନାମରେ ଏକ କମ୍ପାନି ସ୍ଥାପନ କରି ଓଡ଼ିଶାର ପିଲାମାନଙ୍କୁ କର୍ମନିଯୁକ୍ତି ପ୍ରଦାନ କରି ଆସୁଛନ୍ତି।

ଏହି କମ୍ପାନିର ଦୁଇଟି କାର୍ଯ୍ୟାଳୟ ସଂପ୍ରତି ଭୁବନେଶ୍ବରରେ କାର୍ଯ୍ୟକ୍ଷମ ଅଛି।

ଆଚାର୍ଯ୍ୟବିହାରସ୍ଥିତ ଓଡ଼ିଶା ଟେକ୍ନୋଲୋଜି ସେଣ୍ଟର ଏବଂ ସିଆର୍‌ପି ଅଞ୍ଚଳରେ ଥିବା କଂପାନିର ଏହି ଦୁଇ କାର୍ଯ୍ୟାଳୟରେ ପାଖାପାଖି ୨୦୦ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି।

ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳର।

ଦେବେନ୍ଦ୍ରଙ୍କ ଝିଅ ଦେବାଙ୍ଗୀ ମଧ୍ୟ ସଂପ୍ରତି ଆମେରିକାରେ ଏକ ବହୁରାଷ୍ଟ୍ରୀୟ କମ୍ପାନିରେ କାମ କରୁଛନ୍ତି।

ଉଚ୍ଚତର ଶିକ୍ଷା ବି ଲାଭ କରୁଛନ୍ତି।

ଓଡ଼ିଶାର ଗାଁ ଗହଳିର ଅଧିକରୁ ଅଧିକ ପିଲାଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ତାଙ୍କ କଂପାନିର ମୂଳଲକ୍ଷ୍ୟ ବୋଲି ଦେବେନ୍ଦ୍ର "ସମ୍ବାଦ"କୁ କହିଛନ୍ତି।

ଖେଳାଳି ଖୋଜିବାରେ ମନଓଡ଼ିଶାରେ ଏକ ମାରାଥନ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦେବେନ୍ଦ୍ର।

ଏହା ଛଡ଼ା ରାଜ୍ୟର ଜଣେ ଦୁଇଜଣ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଆର୍ଥିକ ତଥା ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ମଧ୍ୟ ଇଚ୍ଛୁକ ଅଛନ୍ତି।

ସେହିଭଳି ଜମି ଓ ଅନ୍ୟାନ୍ୟ ଭିତ୍ତିଭୂମି ମିଳିଲେ ଓଡ଼ିଶାରେ ଏକ ମାରାଥନ ଏକାଡେମୀ ସ୍ଥାପନ କରିବାକୁ ସେ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି।

ଏହି କ୍ଷେତ୍ରରେ ଜାପାନର ବୈଷୟିକ ଜ୍ଞାନକୌଶଳ ଓ କ୍ରୀଡ଼ା ବିଜ୍ଞାନର ଉନ୍ନତ ପଦ୍ଧତିକୁ ଓଡ଼ିଶାରେ ପ୍ରୟୋଗ କରିବାକୁ ସେ ଚାହୁଛନ୍ତି।

ଏଥିନେଇ ଦେ‌ବେନ୍ଦ୍ର କହିଛନ୍ତି, ଜାପାନର କ୍ରୀଡ଼ା ସଂସ୍କୃତି ଆମଠାରୁ ଭିନ୍ନ।

ସେଠାରେ ଅନେକ ଗୁଡ଼ିଏ କ୍ରୀଡ଼ା ବିଶ୍ବବିଦ୍ୟାଳୟ ରହିଛି।

କେବଳ ପେସାଦାର ହେବାକୁ ନୁହେଁ, ନିଜକୁ ଫିଟ୍‌ ରଖିବାକୁ ମଧ୍ୟ ଜାପାନୀମାନେ ବହୁ ପାରମ୍ପରିକ ଓ ଆଧୁନିକ କ୍ରୀଡ଼ା ଖେଳନ୍ତି।

ଯାହାର ପ୍ରଭାବ ଆପଣ ନିକଟରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ାରେ ମଧ୍ୟ ଦେଖିଥିବେ।

ଏକ ଛୋଟିଆ ଦେଶ ହେଲେ ମଧ୍ୟ ଜାପାନ ଆମଠାରୁ ଢେର ଅଧିକ ପଦକ ଜିତି ପାରିଥିଲା।

ଦେବେନ୍ଦ୍ର ବି ଜଣେ ଜଗନ୍ନାଥ ସଂସ୍କୃତିପ୍ରେମୀ।

ଅନେକ ବର୍ଷ ଧରି ସେ ଓଡ଼ିଶା କମ୍ୟୁନିଟି ଜାପାନ ଟୋକିଓ (ଓସିଜେଟି)ର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି।

ଜାପାନରେ ରଥଯାତ୍ରା, ଗଣେଶ ଓ ସରସ୍ବତୀ ପୂଜା ସହ ଓଡ଼ିଶାର ଅନେକ ପର୍ବପର୍ବାଣୀ ଆୟୋଜନର ସେ ହେଉଛନ୍ତି ମୁଖ୍ୟ ପୁରୋଧା।

ସେହିଭଳି "ବୁଲକ୍‌କାର୍ଟ ଟୁ ବିଜ୍‌ନେସ୍‌" ନାମକ ଏକ ପୁସ୍ତକ ଲେଖି ନିଜ ଜୀବନର ସଂଘର୍ଷଯାତ୍ରାକୁ ଏଥି‌ରେ ନିଖୁଣ ଭାବେ ସ୍ଥାନ ଦେଇଛନ୍ତି ୫୫ ବର୍ଷୀୟ ଦେବେନ୍ଦ୍ର।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)