SIR Deletion Controversy: SIRରେ କଟିଲେ ୨୦ ଲକ୍ଷ, ଛାନିଆ ନାଁ କଟିଥିବା ଭୋଟର

Jul 06, 2026 - 20:43
SIR Deletion Controversy: SIRରେ କଟିଲେ ୨୦ ଲକ୍ଷ, ଛାନିଆ ନାଁ କଟିଥିବା ଭୋଟର

SIR ବା ସ୍ବତନ୍ତ୍ର ସଘନ ସଂଶୋଧନ ପରେ ପ୍ରକାଶ ପାଇଥିବା ଚିଠା ଭୋଟର୍ ତାଲିକାରେ ଗଞ୍ଜାମ ଜିଲ୍ଲାରୁ ବାଦ୍ ପଡ଼ିଛନ୍ତି ସର୍ବାଧିକ ୨ ଲକ୍ଷ ୭ ହଜାର ୬୨୪ ଭୋଟର। ଦ୍ବିତୀୟରେ ରହିଛି କଟକ, ଏହି ଜିଲ୍ଲାରୁ ବାଦ୍ ପଡ଼ିଛନ୍ତି ୧ ଲକ୍ଷ ୫୫ ହଜାର ୧୬୪ ଜଣ ଭୋଟର। ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ୧ ଲକ୍ଷ ୧୧ ହଜାର ୨୬୭ ଜଣ ଓ ଯାଜପୁର ଜିଲ୍ଲାରୁ ୧ ଲକ୍ଷ ୫ ହଜାର ୧୪ ଭୋଟର ବିଭିନ୍ନ କାରଣରୁ ବାଦ୍ ପଡିଛନ୍ତି। ତେବେ ଏତେ ସଂଖ୍ୟାରେ ଭୋଟରଙ୍କ ପରିଗଣନା ଫର୍ମ ନମିଳିବା ପଛରେ କାରଣ ହେଉଛି ଭୋଟରଙ୍କ ମୃତ୍ୟୁ, ସ୍ଥାନାନ୍ତର, ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାଁ ରହିବା ସହ ଅନ୍ୟ କିଛି କାରଣ ବି ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗଞ୍ଜାମ ଜିଲ୍ଲାରୁ ୨୦ ହଜାର ୪୯୭ ଜଣ ଭୋଟରଙ୍କ ପତ୍ତା ମିଳୁନି। ଯେଉଁଥିପାଇଁ ସେମାନଙ୍କୁ ଖୋଜି ପାଇନାହାନ୍ତି BLO। ତେବେ ବିଭିନ୍ନ ଜିଲ୍ଲାରୁ ଏମିତି ମାଳ ମାଳ ଅଭିଯୋଗ ସାମ୍ନାକୁ ଆସୁଛି। ସଂଖ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଭୋଟରଙ୍କ ନାଁ ବାଦ ପଡ଼ିଥିବା ବେଳେ ପ୍ରତିଶତ ହିସାବରେ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୧୦.୨୫ ପ୍ରତିଶତ ଭୋଟର୍ ବାଦ ପଡିଛନ୍ତି।

ଗତକାଲି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ SIR ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ଭୋଟର୍ ବିଭିନ୍ନ କାରଣ ପାଇଁ ଡ୍ରାଫଟ୍ ଭୋଟର ଲିଷ୍ଟରୁ ବାଦ୍ ପଡିଛନ୍ତି। ସେମାନଙ୍କଠାରୁ ପରିଗଣନା ଫର୍ମ ମିଳିପାରିନି। ତେବେ ଅଗଷ୍ଟ ୪ ତାରିଖ ଭିତରେ ଆପତ୍ତି ଅଭିଯୋଗ ଆସିଲେ ତର୍ଜମା କରାଯାଇ ନାଁଗୁଡ଼ିକୁ ପୁଣିଥରେ ତାଲିକାରେ ସାମିଲ କରାଯାଇପାରିବ। କିନ୍ତୁ କାହାକୁ ଜାଣିଶୁଣି ନୁହଁ ବରଂ କେହି ଯୋଗ୍ୟ ଭୋଟର ଯେମିତି ତାଲିକାରୁ ବାଦ୍ ନପଡ଼ିବେ ସେଥିପାଇଁ ଅତି ସ୍ବଚ୍ଛତାର ସହ ଏହି ପ୍ରକ୍ରିୟାକୁ ସଂପନ୍ନ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।