Senior Odisha Police Officers Face Criminal Cases: ପୋଲିସ ବାବୁଙ୍କୁ ଘାରିଛି କି ଗିରଫଦାରୀ ଭୟ ? ଆଇନକୁ ହାତକୁ ନେଇ ଅଡୁଆରେ ଟପ୍ ଅଫିସର

Jul 05, 2026 - 20:49
Senior Odisha Police Officers Face Criminal Cases: ପୋଲିସ ବାବୁଙ୍କୁ ଘାରିଛି କି ଗିରଫଦାରୀ ଭୟ ? ଆଇନକୁ ହାତକୁ ନେଇ ଅଡୁଆରେ ଟପ୍ ଅଫିସର

ଲକ୍ଷ୍ମଣ ରେଖା ଡେଉଁଛନ୍ତି ପୋଲିସ୍ ବାବୁ। ଆଇନକୁ ହାତକୁ ନେଇ ଏବେ ଅଡୁଆରେ ଏକାଧିକ ପୋଲିସ୍ ଅଧିକାରୀ। ଯେଉଁମାନଙ୍କ ବିରୋଧର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ପୋଲିସ୍ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ରୁଜୁ ହୋଇଛି ମାମଲା। 

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ପୂର୍ବତନ ଏସଡିପିଓ ମଦନମୋହନ ପ୍ରଧାନ। ସସପେଣ୍ଡ ଥିବା ମଦନମୋହନଙ୍କ ବିରୋଧରେ ରହିଛି ସଂଗୀନ ଅଭିଯୋଗ। ଅଭିଯୋଗ ଅନୁଯାୟୀ ସେ ଏସଡିପିଓ ଥିବା ବେଳେ ଫତେଗଡ଼ ଥାନାକୁ ନ୍ୟାୟ ପାଇବା ଆଶାରେ ଆସିଥିଲେ ଜଣେ ମହିଳା। ବାବୁ ତାଙ୍କ ମାମଲା ବୁଝିବା ପାଇଁ ଫୋନ୍ ନମ୍ବର ନେଇଥିଲେ। ହେଲେ ମାମଲା ବୁଝିବେ କଣ, ରୋଜ୍ ରାତିରେ ଭିଡିଓ କଲ୍ କରି କୁଆଡ଼େ ଅଶ୍ଲୀଳ ଇଙ୍ଗିତ କରୁଥିଲେ। ଏନେଇ ମହିଳା ଜଣଙ୍କ ପୋଲିସ୍ ଡିଜିଙ୍କ ନିକଟରେ ଅଭିଯୋଗ କରିବା ପରେ ମଦନ ମୋହନଙ୍କୁ ସସପେଣ୍ଡ କରାଯିବ ସହିତ ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଏହାପରେ ଆଗୁଆ ଜାମିନ ପାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମଦନ ମୋହନ। 

ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ। ଏ ବାବୁ ବି କୁଆଡେ ରାତି ହେଲେ ଜଣେ ମହିଳାଙ୍କୁ ଭିଡିଓ କଲ୍ କରି ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଯେଉଁଥି ପାଇଁ ତାଙ୍କୁ ନିଲମ୍ବନ କରାଯିବା ସହ ତାଙ୍କ ନିଜ ଥାନାରେ ହିଁ ସଂଗୀନ ଦଫାରେ ରୁଜୁ ହୋଇଛି ମାମଲା। ଗିରଫଦାରୀ ଭୟରେ ସୁଜିତ୍ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

କେନ୍ଦ୍ରାପଡ଼ା ତାଳଚୁଆ ମେରାଇନ୍ ଥାନାର ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନା। ମାଡାମ୍ କିଭଳି ଥାନା ଭିତରେ ମା ପୁଅଙ୍କୁ ଥାର୍ଡ ଡିଗ୍ରୀ ଦେଉଥିଲେ ସେ ଭିଡିଓ ଭାଇରାଲ୍ ହୋଇଥିଲା। ଘଟଣା ସାମ୍ନାକୁ ଆସିବା ପର ପୋଲିସ ଡିଜି ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପୋଇଁ ନିର୍ଦ୍ଦେଶ ଦେଇଥିଲେ। ସଂଧ୍ୟାରାଣୀ ମଧ୍ୟ ଆଗୁଆ ଜାମିନ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୂର୍ବତନ ପୋଲିସ୍ ଡିଜିଙ୍କ କହିବା ଅନୁସାର ଏଭଳି ଅଫିସରଙ୍କ ବିରୋଧରେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ନଚେତ୍ ଏହି ବ୍ୟାଧି ଅନ୍ୟ ଅଫିସରଙ୍କୁ ମାଡ଼ିବା ସହ ପୋଲିସ ଉପରେ ଲୋକଙ୍କର ଭରଷା ରହିବ ନାହିଁ।

କେବଳ ଥାନା ଅଧିକାରୀଙ୍କ ଏଭଳି କାରନାମା ପାଇଁ ରାଜ୍ୟ ପୋଲିସ୍ ଦୁର୍ନାମ ମୁଣ୍ଡାଉ ନାହିଁ, ବଡ଼ବଡ଼ିଆ ଅଫିସରଙ୍କ ପାଇଁ ବି କିଛି ଦିନ ହେବ ପୋଲିସକୁ ନେଇ ନାନା ଚର୍ଚ୍ଚା। ଏଡିଜି ଦୟାଲ ଗଙ୍ଗୱାରଙ୍କ ପାଇଁ ରାଜ୍ୟ ପୋଲିସ୍ ବଦନାମ୍ ହେବା ପରେ ମୁଖ୍ୟମନ୍ତ୍ରୀ ନେଇଛନ୍ତି କଡ଼ା ପଦକ୍ଷେପ। ପ୍ରଥମେ ଏଡିଜି ଆଧୁନୀକରଣ ପଦବିରୁ ହଟାଇ OSD ପରେ ନିଲମ୍ବିତ ହୋଇଛନ୍ତି। ଏହାପରେ ଗୃହ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। GRP କନଷ୍ଟେବଳ ସୌମ୍ୟରଂଜନ ହତ୍ୟା ମାମଲାରେ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ସିଧାସଳଖ ଗଙ୍ଗୱାରଙ୍କ ବିରୋଧରେ ଥିଲା। ଅନ୍ୟପକ୍ଷରେ ପୋଲିସ୍ ଡିଜିଙ୍କ କହିବା କଥା, ଅଭିଯୋଗ ଯେ କୌଣସି ଲୋକଙ୍କ ବିରୋଧରେ ଆସୁ କାର୍ଯ୍ୟାନୁଷ୍ଠାନ ଆଇନ ଅନୁସାରେ ହେବ।

କେବଳ ଏଭଳି ମାମଲା ନୁହେଁ, ଗୋ ମାଫିଆକୁ ପୋଲିସ୍ ରେଡ୍ ସଂପର୍କରେ ଆଗୁଆ ସୂଚନା ଦେଇଥିବା ଅଭିଯୋଗରେ ମୟୂରଭଞ୍ଜ ଝାରପୋଖରିଆ ଥାନାର ASI ରଣଜିତ ନାଏକ, କନେଷ୍ଟବଳ ଆଶିଷ ନାଏକଙ୍କୁ ନିଳମ୍ବନ କରାଯାଇଛି। ହୋମଗାର୍ଡ ସୁବ୍ରତ ପାଢ଼ୀଙ୍କୁ ଚାକିରିରୁ କାହିଁକି ବହିଷ୍କୃତ କରାନଯିବ ସେ ନେଇ ମଗାଯଆଇଛି ସୋକଜ୍।

ତଥ୍ୟ ଅନୁଯାୟୀ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏବେ ପାଖାପାଖି ୧୫ ହଜାର ମାମଲା ବିଚାରାଧୀନ ରହିଛି। ଚିନ୍ତାର ବିଷୟ ହେଉଛି, ଏସବୁ ମାମଲା ମଧ୍ୟରୁ ୯ ହଜାର ମାମଲା କେବଳ ପୋଲିସ ବିରୋଧରେ।