Sea Erosion Threatens 16 Villages: ଗଞ୍ଜାମର ଆଉ ୧୬ ଗାଁକୁ ଗିଳିଦେବ ସମୁଦ୍ର, ଜନବସତି ଅଞ୍ଚଳରେ ଆତଙ୍କ

ମାଡ଼ି ଆସୁଛି ସମୁଦ୍ର, ଭିଡ଼ିି ନେଉଛି ଭିଟାମାଟି। ସମୁଦ୍ର ଆଁ ଭିତରକୁ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ଗାଁ।କାହା ଘର ଚଟାଣର ରଙ୍ଗ ଲିଭିନି ତ କାନ୍ଥରେ ପୁରୁଣା ହୋଇନି ଦାମୀ ଟାଇଲ। ଜୀବନ ସାରା ପରିଶ୍ରମରେ କରିଥିବା ଘରକୁ ଭାଙ୍ଗିବାକୁ କାହା ହାତ ଯାଉନି ତ ଆଉ କିଏ ଜୀବନ ବଞ୍ଚାଇବାକୁ ସବୁ କିଛି ଛାଡ଼ି ଚାଲି ଯାଇଛି। ଗଞ୍ଜାମ ଜିଲ୍ଲାର ତଟବର୍ତ୍ତୀ ଗାଁ ପୋଡ଼ମପେଟାର। ସମୁଦ୍ର ଉପକୂଳରେ ଥିବା ଗାଁକୁ ସବୁବେଳେ ଆଖି ଦେଖାଇ ଆସୁଥିବା ସମୁଦ୍ର ଲହଡ଼ି କାଲି ତା ଆଁ ଭିତରକୁ ନେଇଛି ଆଉ କିଛି ଘର। ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ସମୁଦ୍ର ଏବେ ଉଗ୍ର ରୂପ ନେଇଥିବାରୁ ତାର ପ୍ରଭାବ ପଡିଛି ଏ ଗାଁ ଉପରେ।
2013 ମସିହାରୁ ଏ ଗାଁ ବିପଦଶଙ୍କୁଳ ଘୋଷଣା ପରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇସାରିଛନ୍ତି ଗାଁ ଲୋକ। ତେବେ ପୋଡ଼ମମେଟା ବାସିନ୍ଦା ସିନା ବର୍ତ୍ତିଗଲେ, କିନ୍ତୁ ଗଞ୍ଜାମ ବ୍ଲକର ଆହୁରି 2ଟି ପଞ୍ଚାୟତର ପ୍ରାୟ 17ଟି ଗାଁକୁ ଘାରିଛି ସମୁଦ୍ର ଗର୍ଭରେ ମିଶିଯିବାର ଭୟ। ଆଗରୁ ସମୁଦ୍ର ଏସବୁ ଉପକୂଳିଆ ଗାଁଠୁ ଗୋଟିଏ କିଲୋମିଟର ଦୂରରେ ଥିଲା। ଏବେ କିନ୍ତୁ ଗାଁ ପାଖକୁ ମାଡି ମାଡ଼ି ଆସୁଛି। ତେଣୁ ଜିଲ୍ଲା ପ୍ରଶାସନ ଏ ଘଟଣାକୁ ଅତି ଗୁରୁତର ସହ ନେଇଛି। ପାଳିବନ୍ଧ ପଂଚାୟତର ୯ ଓ ରାମଗଡ଼ ପଂଚାୟତର ୭ରୁ ଅଧିକ ଗାଁ ଲୋକଙ୍କୁ କିଭଳି ଅନ୍ୟତ୍ର ଥଇଥାନ କରାଯିବ, ସେମାନଙ୍କୁ ବାସସ୍ଥାନ ଯୋଗାଇ ଦିଆଯିବ ଏବଂ ସଚେତନ କରି ପୁରୁଣା ଭିଟାମାଟି ମୋହଠୁ ଦୂରେଇ ନିଆଯିବ କିମ୍ବା ଆଉ କୌଣସି ବିକଳ୍ପ ଯୋଜନା କରାଯାଇ ପାରିବ ସେ ନେଇ ଜିଲ୍ଲାପାଳ ଡାକିଥିଲେ ଗୁରୁତ୍ବପୂର୍ଣ୍ଣ ବୈଠକ। ସ୍ଥାନୀୟ ବିଧାୟକ ଓ ଜନପ୍ରତିିନିଧିଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ପରେ ତୁରନ୍ତ ଡିପିଆର ପ୍ରସ୍ତୁତ କରି ପଦକ୍ଷେପ ନିଆଯାଉଥିବା କହିଛନ୍ତି।
ଏପଟେ ଜିଲ୍ଲା ପ୍ରଶାସନ ସାଙ୍ଗକୁ ସ୍ଥାନୀୟ ବିଧାୟକ ଓ ସାଂସଦ ମଧ୍ୟ ସମୁଦ୍ର ଆଁ ଭିତରକୁ ଚାଲିଯିବାକୁ ଥିବା ଗାଁରେ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ସମ୍ପର୍କରେ କିଛି ଠୋସ୍ ପଦକ୍ଷେପ ନେବାକୁ ସେମାନେ ଚିଠି ଲେଖିଛନ୍ତି। ସମୁଦ୍ର ଉପକୂଳରେ ସୁରକ୍ଷା ବନ୍ଧ ସହ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।...ସେପଟେ ଗଞ୍ଜାମ ଜିଲ୍ଲାର ଏହି ଅଞ୍ଚଳରେ କାହିଁକି କୂଳ ଲଂଘୁଛି ସମୁଦ୍ର, ତାର ଭିନ୍ନ ଭିନ୍ନ କାରଣ କହିଛନ୍ତି ବିଶେଷଜ୍ଞ।
ତେବେ ଖାଲି ଗଞ୍ଜାମ ନୁହେଁ, ଅତୀତରେ ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଉପକୂଳବର୍ତ୍ତୀ ଗାଁରେ ମଧ୍ୟ ସମୁଦ୍ର କୂଳ ଲଙ୍ଘିବା ଏବଂ ଜନବସତିକୁ ନିଜ ଗର୍ଭକୁ ନେବାର ନଜିର ରହିଛି। ଏ ତିନି ଜିଲ୍ଲାରେ ଆଜି ବି କିଛି ଗାଁକୁ ସମୁଦ୍ର ତା ଆଁ ଭିତରକୁ ନେବାକୁ ଆଜି ବି ଜାରି ରଖିଛି ଅହରହ ସଂଘର୍ଷ।