Sacred Snana Mandap Witnesses Gaja Besha Darshan: ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂରତି, ହାତୀବେଶରେ ଦର୍ଶନ ଦେଲେ ଶ୍ରୀଜିଉ
ଭବ୍ୟ ପରିବେଶ, ଦିବ୍ୟ ଦୃଶ୍ୟ। ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହଙ୍କ ଦୁର୍ଲଭ ହାତୀ ବେଶ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ। ଅପୂର୍ବ ଦୃଶ୍ୟ...ଆଉ ସେଇ ଅବର୍ଣ୍ଣନୀୟ ଅନୁଭୂତି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଭାବର ଠାକୁର। ୯ ଦିନିଆ ଘୋଷଯାତ୍ରାର ଆଦ୍ୟପର୍ବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଲାଗି ଆଜି ରାତି ପ୍ରାୟ ୩ଟାରୁ ଲୋକରାଣ୍ୟ ହୋଇଥିଲା ପୁରୀ ବଡ଼ଦାଣ୍ଡ।
ଆକାଶ ସିନ୍ଦୁରା ଫାଟିବା ଆଗରୁ ଭକ୍ତଙ୍କ ଗହଳିରେ ଫାଟି ପଡୁଥିଲା ପୁରୀ ସହର। ଏପଟେ ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ସ୍ନାନଯାତ୍ରାର ବିଧି ବିଧାନ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଭୋର ୫ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା ପରେ ବଡ଼ଭାଇ ବଳଭଦ୍ର, ପରେ ଗେହ୍ଲି ଭଉଣୀ ସୁଭଦ୍ରା...ଆଉ ଶେଷରେ ହଲିଝୁଲି ମଞ୍ଚସ୍ନାନ ପାଇଁ ସ୍ନାନବେଦୀ ଉଭା ହୋଇଥିଲେ କାଳିଆ ସାଆନ୍ତ।
ସ୍ବତନ୍ତ୍ର ବିମାନରେ ଆସି ଠାକୁରଙ୍କ ଛେରା ପହଁରା ନୀତି କିରଥିଲେ ଗଜପତି ମହାରାଜା। ପରେ ପରେ ସ୍ନାନ ମଣ୍ଡପରେ ସମ୍ପନ୍ନ ହୋଇଥିଲା ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ପୂଜା ଆଦି ଦୈନନ୍ଦିନ ସେବାନୀତି। ପରେ ସୁନାକୂଅରୁ 108 କୁମ୍ଭର ସୁବାସିତ ଜଳରେ ଆରମ୍ଭ ହୋଇଥିଲେ ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ। ଆଉ ଏହାର କିଛି ସମୟ ପରେ ହାତୀବେଶରେ ସଜ୍ଜିତ ହୋଇ ଦିବ୍ୟ ଦର୍ଶନ ଥିଲେ ତିନିଠାକୁର। ମହାପ୍ରଭୁଙ୍କ ଏ ଦୁର୍ଲଭ ଦର୍ଶନ ପାଇଁ ପୁରୀରେ ସୋରିଷ ପକାଇବାକୁ ଟିକିଏ ବି ଜାଗା ନଥିଲା।...
ସ୍ନାନ ଯାତ୍ରାର ପହଣ୍ଡି ନୀତି ସୋମବାର ସକାଳ 5ଟାରୁ 7ଟା ଭିତରେ ସାରିବାକୁ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲା। ଆଉ ଚଳିତ ବର୍ଷ ସବୁ ନୀତିକୁ ଶୃଙ୍ଖଳିତ ଭାବେ ସଂପନ୍ନ କରୁଥିଲା ଶ୍ରୀମନ୍ଦିର ପ୍ରଶାସନ। ସକାଳ ସାଢେ ୭ଟା ସୁଦ୍ଧା ସ୍ନାନ ବେଦୀକୁ ବିଜେ କରିସାରିଥିଲେ ଚତୁର୍ଦ୍ଧା ମୂରତି। ଆଉ ଏସବୁ ସେବା ଓ ରୀତିନୀତିରେ ଯେମିତି ଛୋଟିଆ ତ୍ରୁଟି ନହେବ, ସେଥିପାଇଁ ଗହଳି ଭିତରେ ସଜାଗ ରହି ପୂରା ବ୍ୟବସ୍ଥାକୁ ଟିକିନିଖି ନିରୀକ୍ଷଣ କରୁଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।...
ଏପଟେ ପୁରୀରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ଏ ସମାଗମକୁ ପୂର୍ବରୁ ପ୍ରସ୍ତୁତ ଥିଲା ପୋଲିସ ଓ ପ୍ରଶାସନ। ଖାଲି କାଁ ଭାଁ ସ୍ଥାନରେ ଭିଡ଼ ବ୍ୟତୀତ ପୁରା ଟ୍ରାଫିକ୍ ସେବାଠୁ ଆଇନ୍ ଶୃଙ୍ଖଳା ଯାଏଁ, ଛକ ଛକରେ ହୋଇଥିଲା ଶୃଙ୍ଖଳିତ ବ୍ୟବସ୍ଥା। ମାର୍କେଟ୍ ଛକରୁ ସିଂହଦ୍ବାର ଯାଏଁ ବ୍ୟାରିକେଡ୍ ଦେଇ ଧାଡ଼ିରେ ଯାଇଥିଲେ ଶ୍ରଦ୍ଧାଳୁ। ଭକ୍ତଙ୍କୁ ସ୍ନାନ ମଣ୍ଡପ ପର୍ଯ୍ୟନ୍ତ ଯାଇ ଦର୍ଶନ ସୁବିଧା ଥିବାରୁ ଲୋକେ ମହାଆନନ୍ଦରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ବି ପୁରୀ ଯାଇ ମହାପ୍ରଭୁଙ୍କ ସ୍ନାନ ଯାତ୍ରାର ଦର୍ଶନ କରିଥିଲେ।...
ସ୍ନାନବେଦିରେ ଅତ୍ୟଧିକ ସ୍ନାନ ହେତୁୁ କାଲିଠୁ ଜ୍ବରରେ ପଡ଼ିବେ ଜଗତ ଠାକୁର। ଆସନ୍ତାକାଲିଠୁ 15 ଦିନ ଯାଏଁ ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି। ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଆଉ ରତ୍ନସିଂହାସନରେ କାଳିଆ ସାଆଁନ୍ତଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ନପାଇ ଭକ୍ତ ଧାଇଁବେ ବ୍ରହ୍ମଗିରିର ଶ୍ର୍ରୀ ଅଲାରନାଥ ପୀଠ।.....