Rs 5 Crore AI Startup in Six Months: ମାତ୍ର ୧୭ ବର୍ଷ ବୟସରେ ଛିଡ଼ା କଲେ ୫ କୋଟିର କମ୍ପାନୀ! ଜାଣନ୍ତୁ ଇମ୍ରାନଙ୍କ କାହାଣୀ
ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ କିମ୍ବା ସମ୍ବଳ କେବେ ବାଧା ସାଜିପାରେନାହିଁ। ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଜାମ୍ମୁ-କାଶ୍ମୀରର ଜଣେ ୧୭ ବର୍ଷର ଛାତ୍ର। ଜାମ୍ମୁ-କାଶ୍ମୀରର ଏକ ଗାଁରୁ ବାହାରି ସେ ମାତ୍ର ୬ ମାସ ମଧ୍ୟରେ ଏକ ୫ କୋଟି ଟଙ୍କାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଷ୍ଟାର୍ଟଅପ୍ କମ୍ପାନୀ ଗଢ଼ି ସମଗ୍ର ଦେଶ ପାଇଁ ପ୍ରେରଣା ସାଜିଛନ୍ତି।
ଜାମ୍ମୁ-କାଶ୍ମୀର ରାଜୌରୀ ଜିଲ୍ଲାର ଏକ ଛୋଟ ସୀମାନ୍ତ ଗାଁ 'ଡୁଙ୍ଗି'ର ବାସିନ୍ଦା ହେଉଛନ୍ତି ୧୭ ବର୍ଷୀୟ ଇମ୍ରାନ ଚୌଧୁରୀ। ସୀମିତ ସମ୍ବଳ ଏବଂ ସୁବିଧା ସତ୍ତ୍ୱେ ଟେକ୍ନୋଲୋଜି ପ୍ରତି ଥିବା ତାଙ୍କର ଦୁର୍ବଳତା ତାଙ୍କୁ ଆଜି ଏହି ସଫଳତା ଦେଇଛି। ସେ 'ଲାଗ୍ନେଭର୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍' ନାମକ ଏକ EdTech କମ୍ପାନୀ ଆରମ୍ଭ କରିଛନ୍ତି। ଏହି କମ୍ପାନୀର 'Lagnever AI' ଆପ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ସହଜରେ ପାଠ ପଢ଼ିବାରେ ସାହାଯ୍ୟ କରୁଛି। ଲଞ୍ଚ ହେବାର ମାତ୍ର ୬ ମାସ ମଧ୍ୟରେ ଏହି ଆପ୍କୁ ୧୦,୦୦୦ରୁ ଅଧିକ ଥର ଡାଉନଲୋଡ୍ କରାଯାଇସାରିଲାଣି ଏବଂ କମ୍ପାନୀର ବଜାର ମୂଲ୍ୟ ବା ଭାଲ୍ୟୁଏସନ୍ ୫ କୋଟି ଟଙ୍କାରେ ପହଞ୍ଚିଛି।
ଏହି Lagnever AI ଆପ୍ରେ ଛାତ୍ରଛାତ୍ରୀଙ୍କ ପାଇଁ AI ଷ୍ଟଡି ଆସିଷ୍ଟାନ୍ସ, ନୋଟ୍ସ ତିଆରି କରିବା, କୁଇଜ୍ ଏବଂ କ୍ୟାରିୟର ଗାଇଡାନ୍ସ ଭଳି ଅନେକ ଆଧୁନିକ ସୁବିଧା ରହିଛି। ତେବେ ଏହି ଆପ୍ ଶିକ୍ଷକମାନଙ୍କ ବିକଳ୍ପ ନୁହେଁ, ବରଂ ଶ୍ରେଣୀଗୃହର ପାଠପଢ଼ାକୁ ସହଜ କରିବା ପାଇଁ ଡିଜାଇନ୍ କରାଯାଇଛି। ଇମ୍ରାନ ତାଙ୍କର ଏହି ସଫଳତାର ଶ୍ରେୟ ନିଜର ୧୨ ଜଣିଆ ଟିମ୍କୁ ଦେଇଛନ୍ତି। ଯେଉଁଥିରେ ସିଓଓ ଅନିସ ଅଜିଜ୍, ନିର୍ଦ୍ଦେଶକ ସରଫରାଜ ହୁସେନ୍, ସୋସିଆଲ ମିଡିଆ ମ୍ୟାନେଜର ଅର୍ଣ୍ଣବ ବାଲଗୋତ୍ରା ଓ ସୋଏବ କୁରେଶୀ ଏବଂ ସିଏମଓ ମୋହିବ ଅଲତାଫ ପ୍ରମୁଖ ସାମିଲ ଅଛନ୍ତି। ମୋହିବ ଅଲତାଫ ଏହି ଆପ୍କୁ ନିବେଶକ ଓ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜାମ୍ମୁ-କାଶ୍ମୀରରେ ପ୍ରସ୍ତୁତ ଏହି ପ୍ରଥମ AI ଶିକ୍ଷା ଆପ୍ ପାଇଁ ଟିମ୍ ଏବେ କେନ୍ଦ୍ର ସରକାର ଓ ପ୍ରଶାସନର ସହଯୋଗ ଆଶା କରିଛି।
ଇମ୍ରାନଙ୍କ ଏହି ପ୍ରତିଭାକୁ ଏବେ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ମିଳିଛି। ପ୍ରସିଦ୍ଧ ଗ୍ଲୋବାଲ ଫାଉଣ୍ଡର୍ସ ପ୍ରୋଗ୍ରାମ (BlackRock ସହ ଜଡ଼ିତ) ପାଇଁ ବିଶ୍ୱର ମାତ୍ର ୬୦ ଜଣ ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ଇମ୍ରାନ ମନୋନୀତ ହୋଇଛନ୍ତି। ଏହି ୬ ମାସିଆ କାର୍ଯ୍ୟକ୍ରମ ପାଇଁ ସେ ବେଙ୍ଗାଲୁରୁ ଯିବେ, ଯେଉଁଠାରେ ସେ ବିଭିନ୍ନ ଦେଶର ପ୍ରତିଷ୍ଠାତାମାନଙ୍କ ସହ ମିଶି କାମ କରିବା ସହ ଟ୍ରେନିଂ ନେବାର ସୁଯୋଗ ପାଇବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।