Road: ପିଚୁ ପଡ଼ୁ ପଡ଼ୁ ଦେଢ଼ କିମି ରାସ୍ତାରୁ ଉଠିଗଲା ଗୋଡ଼ି: ଲଗାଣ ବର୍ଷାରେ କେମିତି ତିଆରି ହେଉଥିଲା ରାସ୍ତା?

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପୁରୋହିତପୁର ଠାରୁ ସିଦ୍ଧଳ ମୁଖ୍ୟମନ୍ତ୍ରୀ ସଡ଼କ ତିଆରି ଆରମ୍ଭରୁ ମାନକୁ ନେଇ ପ୍ରଶ୍ନ ଉଠିଛି। ରାସ୍ତା ନାଳବନ୍ଧକୁ ଲାଗି କରି ତିଆରି ହେଉଥିବା ବେଳେ ଏକାଧିକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଏପରିକି କେତେକ ସ୍ଥାନରେ ରାସ୍ତାରେ ପଡ଼ିଥିବା କ୍ରସର ଗୁଣ୍ଡ, ଗୋଡ଼ି ଧୋଇ ହୋଇ ନାଳ ଭିତରକୁ ଚାଲି ଯାଇଛି। ସେହି ରାସ୍ତାର ସ୍ଥାୟିତ୍ବ ନେଇ ଏବେ ଠାରୁ ପ୍ରଶ୍ନ ଉଠିଲାଣି। ଖାଲି ସେତିକି ନୁହେଁ ଦୁଇଦିନ ତଳେ ପ୍ରବଳ ବର୍ଷାରେ ରାସ୍ତା କାମ ଚାଲୁଥିବା ବେଳେ ପିଚୁ ପକା ଯାଇଥିଲା। ପିଚୁ ପଡ଼ିବାର ମାତ୍ର କେଇ ଘଣ୍ଟା ଭିତରେ ଗୋଡ଼ି ଉଠି ଯାଇଥିଲା। ପୁରୋହିତପୁର ଠାରୁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରୁ ଗୋଡ଼ି ଉଠି ରାସ୍ତାରେ ଗଡ଼ୁଛି। ଯାହାଫଳରେ ରାସ୍ତାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆହୁରି ପଢନ୍ତୁ: Ramadevi Women's University: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ୍: ୪ଟି ସ୍ଥାନରେ ଜମି ଚିହ୍ନଟ
ମିଳିଥିବା ସୂଚନା ଅନୁସାରେ, ପୁରୋହିତପୁର ଠାରୁ ସିଦ୍ଧଳ ପର୍ଯ୍ୟନ୍ତ ଏବେ ମୁଖ୍ୟମନ୍ତ୍ରୀ ସଡ଼କ କାମ ଚାଲୁଛି। ପୁରୁଣା ରାସ୍ତାକୁ ତଡ଼ାଯାଇ ପ୍ରାୟ ୨ରୁ ୩ ଫୁଟ ଚଉଡ଼ା କରାଯାଇଛି। ନାଳବନ୍ଧ କଡ଼କୁ ରାସ୍ତା ଲାଗି କରି ରହିଛି। କିନ୍ତୁ ନାଳବନ୍ଧରେ ଗାର୍ଡ ଵାଲ ନାହିଁ। ଯାହାଫଳରେ ବର୍ଷା ହେବାରୁ ରାସ୍ତାରେ ଏକାଧିକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଗୋଟିଏ ଗୋଟିଏ ଜାଗାରେ ଅଧିକ ପରିମାଣର ଫ୍ଲାଏ ଆସ୍, ଗୋଡ଼ି ବୋହି ଯାଇଥିବା ଦେଖିବାକୁ ମିଳିଛି। ସେହିପରି ଦୁଇଦିନ ତଳେ ଲଗାଣ ବର୍ଷାରେ ରାସ୍ତା କାମ ଚାଲୁଥିଲା। ରାସ୍ତାରେ ପିଚୁ ପକା ଯାଇଥିଲା। ପିଚୁ ପଡ଼ିବାର କିଛି ସମୟ ମଧ୍ୟରେ ସେଥିରୁ ଗୋଡ଼ି ଉଠି ଯାଇଥିଲା। ବର୍ଷା ବେଳେ କେମିତି କାମ କରାଯାଉଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ମଧ୍ୟ ଉଠିଛି। ସେହି ପିଚୁକୁ ତଡ଼ାଯାଇ ପୁଣି ଥରେ ପିଚୁ ପଡ଼ିବ ନା ତା ଉପରେ ରାସ୍ତା ନିର୍ମାଣ କରାଯିବ ତାହା ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ରାସ୍ତାର ମାନ ଓ ସ୍ଥାୟିତ୍ବକୁ ନେଇ ଆରମ୍ଭରୁ ସନ୍ଦେହ ସୃଷ୍ଟି ହେଲାଣି।