Relentless Downpour Floods Mumbai: ପ୍ରବଳ ବର୍ଷାରେ ଉବୁଡୁବୁ ମାୟାନଗରୀ ମୁମ୍ବାଇ, ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ
୩ ଦିନର ବର୍ଷାରେ ଉବୁଟୁବୁ ମାୟାନଗରୀ। ମୁମ୍ବାଇରେ ସାଂଘାତିକ ଜଳବନ୍ଦୀ ଅବସ୍ଥା। ରାସ୍ତାରେ ନଦୀର ଭ୍ରମ, ହାଇୱେରେ ଟ୍ରାଫିକ୍ ଜାମ୍। ହନ୍ତସନ୍ତ ହେଉଛନ୍ତି ପଥଚାରୀ ଓ ସାଧାରଣ ଲୋକ। ମୁମ୍ବାଇରେ ଗତ ତିନି ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି।
ଅନେକ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ଥାଣେ-ବେଲାପୁର ରୋଡ୍, ସିଓନ୍-ପାନଭେଲ୍ ରାଜପଥ ଓ ଅନ୍ୟାନ୍ୟ ରାସ୍ତାରେ ରାସ୍ତାରେ ପାଣି ଚାଲୁଥିବାରୁ ଟ୍ରାଫିକ୍ ଜାମ୍ ହୋଇଛି। ରାସ୍ତାରେ ଗାଡ଼ିମୋଟର ଘଣ୍ଟା ଘଣ୍ଟା ଲମ୍ବା ଲାଇନରେ ଠିଆ ହେଉଥିବା ଦେଖିବାକୁ ମିଳିଛି। ନଭି ମୁମ୍ବାଇ ଏପିଏମସି ବଜାର ସବୁଠାରୁ ପ୍ରଭାବିତ ହୋଇଛି।
ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ଏକ୍ସପ୍ରେସ ହାଇୱେରେ ବ୍ୟାପକ ଟ୍ରାଫିକ୍ ଜାମ୍ ହୋଇଛି। ପାଣି ଜମିବା ଯୋଗୁଁ କର୍ତ୍ତୃପକ୍ଷ ଅନ୍ଧେରୀ ସବୱେକୁ ବନ୍ଦ କରିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ, ନଭି ମୁମ୍ବାଇ ଏବଂ ଥାନେରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କତା ଜାରି କରାଯାଇଛି।
ମହାନଗର ନିଗମର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଚଳିତ ଥର ମୌସୁମୀ ମୁମ୍ବାଇରେ ବିଳମ୍ବରେ ପହଞ୍ଚିଥିଲା। ହେଲେ ଲଗାତାର ତିନି ଦିନ ହେଲାଣି ଏଠାରେ ବର୍ଷା ଲାଗି ରହିଛି। ...