Rayagada Mob Violence: ହଲଚଲ୍ କରୁଛି ରାୟଗଡ଼ା ଲଜ୍ଜା, ୨୩ ଗିରଫ ପରେ ପୁରୁଷଶୂନ୍ୟ ଇନ୍ତାଲଗୁଡ଼ା
ରାୟଗଡ଼ା ଭିଡ଼ ହିଂସା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ମାମଲାକୁ ରେଡ୍ ଫ୍ଳାଗ୍ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। କ୍ରାଇମବ୍ରାଞ୍ଚର CAW ଟିମ୍ ମାମଲାର ମନିଟରିଂ କରିବ। ଜୁନ୍ ୧୬ ତାରିଖ ରାତିର ସେହି କଳା କାହାଣୀ ପାଇଁ ଆଜି ବଦନାମ୍ ପୂରା ଗାଁ ଓ ଆଖପାଖ ଅଂଚଳ। ପୋଲିସର କଡ଼ା ଆକ୍ସନ ପରେ ପୂରା ଗାଁ ଏବେ ପୁରୁଷ ଶୂନ୍ୟ। ଯେଉଁ କିଛି ଜଣ ରହିଯାଇଛନ୍ତି ସେମାନଙ୍କ ମନରେ ବି ଭୟ। ଆଖିରେ ନିଦ ନାହିଁ। ପୋଲିସ୍ କେତେବେଳେ କାହାକୁ ଉଠାଇ ନେବ ସେହି ଆଶଙ୍କାରେ ସମସ୍ତେ। ଇନ୍ତାଲିଗୁଡ଼ା ବ୍ୟତୀତ ଆଖପାଖର ଚାଞ୍ଚଡ଼ାସାହି, ପେଡ଼ିପଦର ଆଦି ଗାଁରେ ମଧ୍ୟ ସମାନ ଅବସ୍ଥା। ଘରେ ମହିଳାମାନଙ୍କ ସହ ପରିବାରର ସଦସ୍ୟ ଏବେ ଚିନ୍ତାରେ। ସେଦିନର ସେହି ଲଜ୍ଜାଜନକ ଘଟଣାକୁ ମନେ ପକାଇ ଅନେକ ଏବେ ଅନୁତପ୍ତ। ତାସହିତ ଯେଉଁମାନେ ପ୍ରକୃତ ଦୋଷୀ ସେମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଦାବି କରିଛନ୍ତି ଗାଁ ଲୋକେ।
ଘଟଣାକୁ ନେଇ ପୂରା ରାଜ୍ୟ ବଦନାମ ହେବା ପରେ ମାମଲାକୁ ରେଡ୍ ଫ୍ଳାଗ୍ ଅନ୍ତର୍ଭୁକ୍ତ କରାଯାଇଛି। କ୍ରାଇମବ୍ରାଞ୍ଚର କ୍ରାଇମ୍ ଏଗନ୍ଷ୍ଟ ୱିମେନ୍ ୱିଙ୍ଗ୍ ଏହି ମାମଲାର ମନିଟରିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି। ଡିଆଇଜି ଏସ୍, ସାଇନିଙ୍କ ନେତୃତ୍ବରେ ଘଟଣା ସ୍ଥଳକୁ ଯିବ। ସେପଟେ ଏହି ମାମଲାରେ ପୋଲିସ୍ ଏଯାଏଁ ୨୩ ଜଣଙ୍କୁ ଗିରଫ କଲାଣି। ଅନ୍ୟପକ୍ଷରେ ଘଟଣା ଘଟୁଥିବା ବେଳର ଭିଡିଓ ଉତ୍ତୋଳନ ଓ ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆଇଟି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି।
ସେପଟେ ଘଟଣାକୁ ନେଇ ତେଜିଛି ରାଜନୀତି। ବିଜେଡି ଓ କଂଗ୍ରେସ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି। ଏକ ସ୍ବେଚ୍ଛାସେବୀ ସଂସ୍ଥାରେ ଫେଲୋସିପ୍ କାର୍ଯ୍ୟ ପାଇଁ କଳାହାଣ୍ଡିକୁ ଆସିଥିଲେ ଦିଲ୍ଲୀର ଜଣେ ଯୁବତୀ ଏବଂ ଗୁଜରାଟର ଜଣେ ଯୁବକ। ଗତ ଜୁନ୍ ୧୬ ରାତିରେ ଇନ୍ତାଲିଗୁଡ଼ାଠାରେ ଦୁର୍ବୃତ୍ତ ହାବୁଡ଼ରେ ପଡ଼ିଯାଇଥିଲେ ଉଭୟେ। କିଛି ପିଲାଙ୍କୁ ବିସ୍କୁଟ ଦେବା, ଆଉ ହିନ୍ଦୀରେ କଥା ହେଉଥିବାରୁ ପିଲାଚୋର ଭାବି ସେମାନଙ୍କୁ ଆକ୍ରମଣ କରିବା ସହିତ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ଦେଖିବାର କଥା ବାରମ୍ବାର ଘଟୁଥିବା ଭିଡ଼ ହିଂସା ବନ୍ଦ ପାଇଁ ସରକାର କି କଡ଼ା ଆଭିମୁଖ୍ୟ ନେଉଛନ୍ତି।