27 JUNE 2026

Welcome!

Unlock your personalized experience.
Sign Up

Rath yatra : ସ୍ନାନ ପୂର୍ଣ୍ଣମୀ ପାଇଁ କଡା ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର, ମୃତୟନ ହେବେ ୭୯ ପ୍ଲାଟୁନ ଫୋର୍ସ

Jun 27, 2026 - 18:39
Rath yatra : ସ୍ନାନ ପୂର୍ଣ୍ଣମୀ ପାଇଁ କଡା ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର, ମୃତୟନ ହେବେ ୭୯ ପ୍ଲାଟୁନ ଫୋର୍ସ

ପୁରୀ, ୨୭।୬ : ସ୍ନାନ ପୂର୍ଣ୍ଣମୀ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। କଡା ସୁରକ୍ଷା ବଳୟ ଭିତରେ ରହିବ ଶ୍ରୀକ୍ଷେତ୍ର। କୁଇକ ରିଆକ୍ସନ ଟିମ୍, ଆଣ୍ଟି ସାବୋଟାଇଜ ଟିମ୍ ସହ ମୁତୟନ ହେବ ୭୯ ପ୍ଲାଟୁନ ଫୋର୍ସ। ତେବେ ମାର୍କେଟ ଛକ ପରେ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସବୁ ରାସ୍ତା ହେବ ନୋ ଭେଇକିଲ ଜୋନ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ସ୍ବତନ୍ତ୍ର ପାର୍କିଂ ସ୍ଥାନ ସହ ଟ୍ରାଫିକ ମୋବିଲିଟି ପ୍ଲାନ୍ ପ୍ରସ୍ତୁତ ହୋଇଛି।

ଜୁନ ୨୯ ତାରିଖ ଅର୍ଥାତ୍ ସୋମବାର ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାର୍କେଟ ଛକରୁ ଭକ୍ତ ବ୍ୟାରିକେଡ଼ରେ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଯିବେ। ସ୍ନାନମଣ୍ଡପ ତଳେ ପର୍ଯ୍ୟାୟ କ୍ରମେ ଦର୍ଶନ କରି କେବଳ ଉତ୍ତର ଦ୍ଵାର ଦେଇ ଫେରିବେ। କେବଳ ପରିମାଣିକ ଟିକେଟ ଧାରୀ ମାନେ ପହଣ୍ଡି ଦର୍ଶନ ପାଇଁ ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରିବେ। ବ୍ୟାରିକେଡ଼ ବ୍ୟତୀତ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ରହି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଜଳ ଲାଗି ଓ ହାତୀ ବେଶ ଦେଖିପାରିବେ। କୌଣସି ସ୍ଥାନରେ ଶ୍ରଦ୍ଧାଳୁ ଛିଡା ହୋଇ ରହିବେ ନାହିଁ। ବଡ଼ଦାଣ୍ଡର ନିର୍ଦ୍ଧାରିତ ସ୍ଥାନରେ ଦୀପ ଲଗାଇବେ। ଶ୍ରୀମନ୍ଦିର ଭିତରେ ପହଣ୍ଡି, ଜଳ ଲାଗି, ହାତୀ ବେଶ, ଭକ୍ତ ଓ ଭିଆଇପିଙ୍କ ଦର୍ଶନ ପାଇଁ ୧୪ ଟି ସେକ୍ଟର କରାଯାଇଛି। ତେବେ ପ୍ରତି ସେକ୍ଟରରେ ଅଭିଜ୍ଞ ଓ ଦକ୍ଷ ପୋଲିସ ଅଧିକାରୀ ମୁତୟନ ରହିବେ। ସ୍ନାନ ମଣ୍ଡପ ତଳେ ଭିଡ ନିୟନ୍ତ୍ରଣ ପାଇଁ quick reaction team ,spl tactical unit, clearance party ମୁତୟନ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି ପ୍ରତୀକ ସିଂହ ।

ଶ୍ରୀମନ୍ଦିର ଭିତରେ ୧୫୨ ଟି, ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ୨୫୦ ଟି ଓ ବଡ଼ଦାଣ୍ଡରେ ମାର୍କେଟ ଛକ ପର୍ଯ୍ୟନ୍ତ ୩୦ ଟି ସିସିଟିଭି କ୍ୟାମେରା ମାଧ୍ୟମରେ ଭିଡ ନିୟନ୍ତ୍ରଣ, ଭକ୍ତଙ୍କ ଦର୍ଶନ, ଟ୍ରାଫିକ ସୁପରିଚାଳନା କରାଯିବ। ବାଗେଡିଆ ଧର୍ମଶାଳା ପରିସରରେ ସିସିଟିଭି ନିୟନ୍ତ୍ରଣ କକ୍ଷ, integrated command control centre କରାଯାଇଛି। ସ୍ନାନ ଯାତ୍ରା ପାଇଁ ୪ ଜଣ ଏସପି ତଥା କମାଡାଣ୍ଟ ପାହ୍ୟାର ଅଧିକାରୀ, ୧୪ ଜଣ ଅତିରିକ୍ତ ଏସପି, ୮୩ ଇନ୍ସପେକ୍ଟର, ୩୪୦ ଜଣ ସବ ଇନ୍ସପେକ୍ଟର ଏବଂ ଏଏସଆଇଙ୍କୁ ନିୟୋଜିତ ରହିବେ। ବିଶେଷ କରି ଶ୍ରୀମନ୍ଦିର ଭିତରେ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ଜଣେ ଏସପି ତଥା କମାଡାଣ୍ଟ ପାହ୍ୟାର ଅଧିକାରୀ, ୬ ଜଣ ଅତିରିକ୍ତ ଏସପି ବା ଡେପୁଟି କମାଡାଣ୍ଟ, ୨୭ ଜଣ ଇନ୍ସପେକ୍ଟର, ୧୦୫ ଜଣ ଏସଆଇ ବା ଏଏସଆଇ ଓ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପୋଲିସ ପକ୍ଷରୁ ଟ୍ରାଫିକ ସୁପରିଚାଳନା ସହିତ ପାର୍କିଂ ସ୍ଥଳ ପରିଚାଳନା, ଜରୁରୀକାଳୀନ ସେବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ନାନ ଯାତ୍ରା ପାଇଁ ଯାନବାହାନ ଚଳାଚଳ ଉପରେ କଟକଣା ଜାରୀ କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଟୁରିଷ୍ଟ ବସ୍ ମାଳତିପାଟପୁରରେ ପାର୍କିଂ କରିବ ।ଭୁବନେଶ୍ୱର ପଟୁ ଆସୁଥିବା ଯାତ୍ରୀବାହୀ ବସ ବସଷ୍ଟାଣ୍ଡରେ, କୋଣାର୍କ ପଟୁ ଆସୁଥିବା ବସ୍ ବସଷ୍ଟାଣ୍ଡରେ, ବ୍ରହ୍ମଗିରି ପଟୁ ଆସୁଥିବା ବସ୍ ବସଷ୍ଟାଣ୍ଡରେ ପାର୍କିଂ କରିବ।ମାର୍କେଟ ଛକ ପରେ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସବୁ ରାସ୍ତା ହେବ ନୋ ଭେଇକିଲ ଜୋନ।

ପୁରୀ ରେଳଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରେଳଷ୍ଟେସନ ଭିତରେ ଓ ବାହାରେ ୩ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୫୦ ଜଣ ଏସଆଇ ଓ ଏଏସଆଇ, ୬ ସେକ୍ସନ ଫୋର୍ସ ସହ ୪ ପ୍ଲାଟୁନ ଓଏସଏପି ମୁତୟନ ହେବେ।

ଆହୁରି ପଢନ୍ତୁ : ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ, ପୋଡି ହୋଇ ଯୁବତୀ ଗୁରୁତର