Rath Yatra: ମନରେ...ପ୍ରାଣରେ ଆଜି କାଳିଆ ପ୍ରେମ

Jul 16, 2026 - 11:08
Rath Yatra: ମନରେ...ପ୍ରାଣରେ ଆଜି କାଳିଆ ପ୍ରେମ

"ସନାତନ ଧର୍ମରେ ଏକ ପ୍ରସିଦ୍ଧ ଶ୍ଳୋକ ରହିଛି।

ଏହା ନିମ୍ନରେ ଉଲ୍ଲେଖ...ଦୋଳେ ଚ ଦୋଳଗୋବିନ୍ଦଂଚାପେ ଚ ମଧୁସୂଦନମ୍ ।ରଥେ ତୁ ବାମନଂ ଦୃଷ୍ଟ୍ଵାପୁନର୍ଜନ୍ମ ନ ବିଦ୍ୟତେ ॥Advertisment ମହାପ୍ରଭୁଙ୍କୁ ଦୋଳରେ ଦୋଳଗୋବିନ୍ଦ ଭାବରେ, ଚନ୍ଦନ ଯାତ୍ରା  ଚାପରେ ମଧୁସୂଦନ ଭାବରେ ଏବଂ ରଥରେ ବାମନ ରୂପରେ ଜୀବ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ।

ଚିତ୍ତ ଆଜି କାଳିଆ ମୟ।

ରଥରେ, ପଥରେ, ମନରେ...ପ୍ରାଣରେ ଆଜି କାଳିଆ ପ୍ରେମ।

ପାଟ ପିତାମ୍ବରୀ ପିନ୍ଧି, ଟାହିଆ ବାନ୍ଧି, ଝୁଲିଝୁଲି ରଥକୁ ଆସୁଛନ୍ତି କାଳିଆ ହାତୀ।

ଜନସମୁଦ୍ରରେ ଭାସିଭାସି ଯିବେ ମାଉସୀ ଘର।

ସାଙ୍ଗରେ ଅଛନ୍ତି ଭାଇଭଉଣୀ।

ଜଗତର ନାଥ କାଳିଆ ସାଆନ୍ତ ଆଜି ରଥ ଉପରେ ଥାଇ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ।

ଶରଧାବାଲିରେ ଆଜି ଭକ୍ତ ଭଗବାନ ଏକାଠି ହେବେ।

ଜଗାର ଚକା ଆଖିରେ ଆଖି ମିସାଇ ପାପ କ୍ଷୟ କରୁଛନ୍ତି ଭକ୍ତ।

ଭାବରେ, ଭକ୍ତିରେ ଓଦା ଭକତ ପ୍ରାଣ।

ଦୁଇହାତ ଟେକି ନିଜର ସର୍ବସ୍ବ ଅର୍ପଣ କରୁଛନ୍ତି ସେ ଭାବଗ୍ରାହିଙ୍କୁ।

ଆଖିରେ ଜକେଇ ଆସୁଛି ଲୁହ।

କିଏ ଚାହିଁ ରହି ସ୍ଥିର ହୋଇଯାଉଛି ତ କିଏ ବଡ଼ ଦାଣ୍ଡରେ ନାଚିନାଚି ଭାବରେ ମିଶି ଯାଉଛି।

କିଏ ଅବା ମନ କଥା ମଉନରେ କହି ଦଉଛି।

ସବୁ ଶୁଣି ପାରୁଛି ସେ ଅଚଳ ମହାମେରୁ।

ରଥରେ ବସି ଅପଲକ ନୟନରେ ଚାରିପଟକୁ ଚାହିଁବେ ଚକାନୟନ।

ସମସ୍ତଙ୍କୁ ଏକା ସାଙ୍ଗେ ଦେଖିବେ ବୋଲି ଚକାଆଖିରେ କାଳେ ପଲକ ନାହିଁ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ବଡ଼ ଦାଣ୍ଡରେ ଦର୍ଶନ ଦେବେ ବଡ଼ ଠାକୁର।

ଏହି ପବିତ୍ର ସମୟରେ ତାଙ୍କୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ।

ରଥ ଉପରେ ବିରାଜମାନ କଳା ବାମନଙ୍କୁ ଦର୍ଶନ କରି ଭକ୍ତ ଭୁଲି ଯିବେ ତାର ଅସ୍ଥିତ୍ବ।

ତାର ଆତ୍ମା ପରମାତ୍ମାଙ୍କ ସହ ଲୀନ ହେଉଛି।

ଓଡ଼ିଆ ସଂସ୍କୃତିତ ଏହି ମହାନ ପର୍ବ ଯୋଉଁଠି ଭଗବାନ ବାହାରି ଆସନ୍ତି ଭକ୍ତକୁ ଦର୍ଶନ ଦେବାକୁ ରାଜପଥରେ।

ନା ଅଛି ବାଧା ନା ଅଛି କିଛି ପ୍ରତିବନ୍ଧକ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।