Rath Yatra In Keonjhar: କେନ୍ଦୁଝରରେ ଗଡ଼ିଲା ବିଶ୍ବର ସର୍ବୋଚ୍ଚ ରଥ
"କେନ୍ଦୁଝର: ବଡ଼ଦାଣ୍ଡରେ ଗଡ଼ିଛି ବିଶ୍ଵର ସର୍ବୋଚ୍ଚ ରଥ।
କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କର ନନ୍ଦିଘୋଷ ରଥ କେନ୍ଦୁଝର ବଡ଼ଦାଣ୍ଡରେ ଗଡ଼ିଛି।
ଆଦିବାସୀ ପରମ୍ପରା ସହିତ ଜଡିତ କେନ୍ଦୁଝର ରଥଯାତ୍ରାର ରହିଛି ଅନେକ ବିଶେଷତ୍ଵ।
ଏଠାରେ ଭୂୟାଁମାନଙ୍କ ଦ୍ୱାରା ପ୍ରସ୍ତୁତ ସିଆଳି ଦଉଡ଼ିରେ ଟଣାଯାଏ ପ୍ରଭୁଙ୍କ ରଥ।
ସର୍ବତ୍ର ମା ସୁଭଦ୍ରାଙ୍କ ରଙ୍ଗ ହଳଦିଆ ହୋଇଥିବା ବେଳେ ଏଠାରେ ତନ୍ତ୍ର ପ୍ରଭାବରେ ମା ସୁଭଦ୍ରା ହେଉଛନ୍ତି କୁଙ୍କୁମ ବର୍ଣ୍ଣା।
ପ୍ରତିକୂଳ ପାଗ ସତ୍ତ୍ଵେ ଲକ୍ଷାଧିକ ଭକ୍ତ ଉପସ୍ଥିତ ରହି ପ୍ରଭୁଙ୍କ ନନ୍ଦିଘୋଷ ରଥ ଆନନ୍ଦ ତଥା ଭକ୍ତିଭାବର ସହ ଟାଣି ନେଇଛନ୍ତି।Advertisment ବିଶ୍ଵର ଦ୍ଵିତୀୟ ବୃହତ୍ତମ ବିଷ୍ଣୁ ମନ୍ଦିର ଭାବେ ଖ୍ୟାତ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଭବ୍ୟ ମନ୍ଦିର।
୧୬ ଚକ ବିଶିଷ୍ଟ ପ୍ରଭୁଙ୍କ ନନ୍ଦିଘୋଷ ରଥର ଉଚ୍ଚତା ୭୨ଫୁଟ୍ ହୋଇଥିବା ବେଳେ, ଏହାର ଚଉଡା ହେଉଛି ୪୬ଫୁଟ୍।
ଏହା ବିଶ୍ଵର ସର୍ବୋଚ୍ଚ ଏକକ କାଷ୍ଠ ନିର୍ମିତ ରଥ ଭାବେ ମାନ୍ୟତା ପାଇଛି।
ପବିତ୍ର ଘୋଷଯାତ୍ରା ଅବସରରେ ଆଜି ପ୍ରଥମେ ଶ୍ରୀଜୀଉମାନେ ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ବାହାରି ରଥରେ ବିଜେ ହୋଇଥିଲେ।
ଏହାପରେ ରାଜା ଛେରା ପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଯାତ୍ରା।
ସେହି ଅପୂର୍ବ ମୁହୁର୍ତ୍ତ ଆସିବା ପରେ, ବଡ଼ଦାଣ୍ଡରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ରଥାରୁଢ଼ ଚତୁର୍ଦ୍ଧାମୂରତିଙ୍କୁ ଭକ୍ତିଭାବର ସହ ଟାଣି ନେଇଥିଲେ।
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ପ୍ରଶାସନ ତଥା ସ୍ଵେଛାସେବୀ ଅନୁଷ୍ଠାନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପାର୍କିଂ କରାଯିବା ସହ ରଥ ନିକଟରେ କର୍ଡ଼ନ, ବ୍ୟାରିକେଡ୍ ବ୍ୟବସ୍ଥା କରାଯାଉଥିଲା।
ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସ୍ଵେଛାସେବୀ ସଂଗଠନ ପକ୍ଷରୁ ମାଗଣାରେ ପଣା ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ଆପାତକାଳୀନ ବ୍ୟବସ୍ଥା ପାଇଁ ଦମକଳ ଏବଂ ଆମ୍ବୁଲାନ୍ସ ମଧ୍ୟ ରଖାଯାଇଥିଲା।
ନବ ଦିନାତ୍ମକ ଯାତ୍ରାରେ କର୍ମବେଦୀରୁ ବାହାରି ଜନ୍ମବେଦୀରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂରତି।
୯ଦିନ ଧରି ବିଭିନ୍ନ ସାଂସ୍କୃତିକ ନୃତ୍ୟଗୀତରେ ପ୍ରକମ୍ପିତ ହେବ କେନ୍ଦୁଝର ବଡ଼ଦାଣ୍ଡ।
ଏଥିସହ, ହାଟ ପଡ଼ିଆରେ ଜମିବ ରଥଯାତ୍ରା ମେଳା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।