Ramadevi Women's University: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ୍‌: ୪ଟି ସ୍ଥାନରେ ଜମି ଚିହ୍ନଟ

Jul 04, 2026 - 07:58
Ramadevi Women's University: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ୍‌: ୪ଟି ସ୍ଥାନରେ ଜମି ଚିହ୍ନଟ

ଭୁବନେଶ୍ବର: ୨୦୧୫ ମେ ମାସ ୩୦ ତାରିଖ। ରମାଦେବୀ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଥିଲା। ଏହା ଅଧୀନରେ ୪୮ଟି ମହିଳା ଡିଗ୍ରି କଲେଜ ଆସିଥିଲା। ଲାଗୁଥିବା ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟ ହୋଇଥିବାରୁ ଏହାର ବିକାଶ ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବେ। ଓଡ଼ିଶାର ଛାତ୍ରୀମାନଙ୍କ ପାଇଁ ନୂଆ ନୂଆ ପାଠ୍ୟକ୍ରମ ଖୋଲିବା ସହ ଭିତ୍ତିଭୂମି ବିକାଶ ଦିଗରେ ପଦ‌କ୍ଷେପ ନିଆଯିବ। ମାତ୍ର ତତ୍‌କାଳୀନ ସରକାର ସେତେଟା ଆନ୍ତରିକତା ପ୍ରକାଶ କଲେ ନାହିଁ। ପରିଣାମ ସ୍ବରୂପ ଏକ ଦଶନ୍ଧି ବିତିଯାଇଥିଲେ ମଧ୍ୟ କ୍ୟାମ୍ପସର ବିକାଶ ହୋଇପାରୁନାହିଁ। ଏବେ ବି ଗୋଟିଏ କ୍ୟାମ୍ପସ୍‌ରେ ୪ଟି ପାଠ୍ୟକ୍ରମର ଶିକ୍ଷାଦାନ ଚାଲିଛି। ପ୍ରତି ଶିକ୍ଷାବର୍ଷ ଆରମ୍ଭରୁ ପାଠପଢ଼ା ସମସ୍ୟା ହେଉଥିଲେ ମଧ୍ୟ କେହି ପରିସ୍ଥିତିକୁ ଗୁରୁତ୍ବର ସହ ନେଉନାହାନ୍ତି। କେଉଁଠି ଓ କେବେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେବ, ସେ ନେଇ ସ୍ପଷ୍ଟ ହୋଇପାରୁନାହିଁ। ତେବେ ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ୪ଟି ସ୍ଥାନ ଚିହ୍ନଟ କରିଛି। ସେଗୁଡ଼ିକ ଅନୁଧ୍ୟାନ ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନି‌ଷ୍ପତ୍ତି ନେବେ ବୋଲି ଜଣାଯାଇଛି।

Horoscope 2026 July 04: ଜାଣନ୍ତୁ ଆଜିର ରାଶିଫଳ...

୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଥିବାରୁ ଭିତ୍ତିଭୂମି ପୁଣିଥରେ ସମସ୍ୟା ପାଲଟିବ। ଗୋଟିଏ କ୍ୟାମ୍ପସରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି) ଓ ପିଏଚ୍‌ଡି ଛାତ୍ରୀଙ୍କ ପାଠପଢ଼ା ହେବ। ଆବଶ୍ୟକ କ୍ଲାସ୍‌ରୁମ୍‌ ନଥିବାରୁ ଏବଂ ନୂତନ ପାଠ୍ୟକ୍ରମ ଯୋଡ଼ି ହୋଇଥିବାରୁ ଛାତ୍ରୀଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେବାକୁ ଯାଉଛି। ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସକୁ ସ୍ଥାନାନ୍ତର କରିବାକୁ ୪ ବର୍ଷ ତଳେ ଯୋଜନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ଫଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଗୋଟିଏ କ୍ୟାମ୍ପସରେ ୬ ହଜାରରୁ ଅଧିକ ଛାତ୍ରୀଙ୍କୁ ଏକାଠି ଶିକ୍ଷାଦାନ କରାଇବେ ସେଥି ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। କେବଳ ଯେ ପାଠପଢ଼ା ପ୍ରଭାବିତ ହେଉଛି ତାହା ନୁହେଁ, ବରଂ ଖେଳ ପଡ଼ିଆ ନ ଥିବାରୁ ପିଲାମାନେ କ୍ରୀଡ଼ା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଭିତ୍ତିଭୂମି ଅଭାବରୁ ନୂଆ ପାଠ୍ୟକ୍ରମ ଖୋଲିବା, ଅତ୍ୟାଧୁନିକ ଲାବୋରାଟୋରି ସୁବିଧା, ଜିମ୍‌, ହଷ୍ଟେଲ ନିର୍ମାଣ ପରି ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ତାହାର ସମାଧାନ ପାଇଁ ଦ୍ବିତୀୟ କ୍ୟାମ୍ପସର ଆବଶ୍ୟକତା ଜରୁରୀ ହୋଇପଡ଼ିଛି।

ବର୍ତ୍ତମାନ କ୍ୟାମ୍ପସ ନିକଟବର୍ତ୍ତୀ କୌଣସି ସ୍ଥାନରେ ଦ୍ବିତୀୟ କ୍ୟାମ୍ପସ ଲାଗି ସରକାରୀ ଜମି ଯୋଗାଇ ଦେବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ୨୦୧୮ ସେପ୍ଟେମ୍ବରରେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ୩୦ ଏକର ଜମି ଚିହ୍ନଟ ହୋଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠିତ କମିଟି ରିପୋର୍ଟ ଆଧାରରେ ଏହି ଜାଗାରେ ଚୂଡ଼ାନ୍ତ ମୋହର ଲାଗିଥିଲା। ତେବେ ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସଠାରୁ ଏହାର ଦୂରତା ମାତ୍ର ୨୦ କିମି ହୋଇଥିଲେ ମଧ୍ୟ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଶ୍ବବିଦ୍ୟାଳୟର ତତ୍‌କାଳୀନ କୁଳପତି ପ୍ରଶ୍ନ ଉଠାଇଥିଲେ। ସେଠାରେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେଲେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ହେବନି ବୋଲି ମତପ୍ରକାଶ କରିବା ସହ ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରସ୍ତାବ ଦେଇଥିଲେ। ସେବେଠାରୁ ନାଲିଫିତା ତଳେ ଦ୍ବିତୀୟ କ୍ୟାମ୍ପସ ଫାଇଲ୍‌ ଅଟକି ରହିଯାଇଛି।

Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେବି ରାଉତ କହିଛନ୍ତି ଯେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ନେଇ ପଦକ୍ଷେପ ନିଆଯାଉଛି। ବିଶ୍ବବିଦ୍ୟାଳୟର ତିନିଜଣ ପ୍ରଫେସରଙ୍କୁ ନେଇ ଗଠିତ ହୋଇଥିବା ସମନ୍ବୟ କମିଟି ଜିଲ୍ଲା ପ୍ରଶାସନ ସହ ମିଶି ଏହାକୁ ମନିଟରିଂ କରୁଛନ୍ତି। ଦ୍ବିତୀୟ କ୍ୟାମ୍ପସ ପାଇଁ ପ୍ରାୟ ୫୦ ଏକର ଜମିର ଆବଶ୍ୟକତା ରହିଛି। ତେବେ ସହର ଭିତରେ ଏତେ ପରିମାଣର ଜମି ମିଳୁ ନ ଥିବାରୁ ସମସ୍ୟା ହୋଇଛି। ତେବେ ରାଜ୍ୟ ସରକାରଙ୍କ ସହଯୋଗ କ୍ରମେ ଜିଲ୍ଲା ପ୍ରଶାସନ ୪ଟି ସ୍ଥାନରେ ଜମି ଚିହ୍ନଟ କରିଛି। ସେଗୁଡ଼ିକର ଅନୁଧ୍ୟାନ ପରେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ବାଟ ଫିଟିବ ବୋଲି ସେ କହିଛନ୍ତି।