Highcourt: ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ମାର୍ଗଦର୍ଶିକା ଉଲ୍ଲଂଘନ ଅଭିଯୋଗ, ହାଇକୋର୍ଟଙ୍କ ଜବାବ ତଲବ

Jul 04, 2026 - 09:15
Highcourt: ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ମାର୍ଗଦର୍ଶିକା ଉଲ୍ଲଂଘନ ଅଭିଯୋଗ, ହାଇକୋର୍ଟଙ୍କ ଜବାବ ତଲବ

କଟକ: ନିୟମ ଉଲ୍ଲଂଘନ କରି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକର ତରିକୁନ୍ଦ ଗ୍ରାମ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡ଼ିଶା (ବିଜିବିଓ) ଯୋଜନାରେ ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବନମାଳି ସାହୁ ଓ ସ୍ବଦେଶ ଦାସଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜୁଲାଇ ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ତରିକୁନ୍ଦ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟଙ୍କ ତରଫରୁ ଏହି ଆବେଦନ ଦାୟର କରାଯାଇଛି।

ଆହୁରି ପଢନ୍ତୁ: Accident: ବାଲିଗୁଡ଼ା ମହାସିଙ୍ଗରେ ଅଜଣା ଗାଡ଼ି ଧକ୍କାରେ ତିନି ମୃତ

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ଅଧିନରେ ଏହି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାର ଉଦ୍ଦେଶ୍ୟ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରି ଗ୍ରାମୀଣ ଓଡ଼ିଶାର ଭିତ୍ତିଭୂମିର ତ୍ୱରିତ ଅଭିବୃଦ୍ଧି କରିବା। କିନ୍ତୁ ନିୟମ ଉଲ୍ଲଂଘନ କରି ନିର୍ଦ୍ଦିଷ୍ଟ ଲୋକଙ୍କୁ ଏହି ଯୋଜନା ଅଧିନରେ ପ୍ରକଳ୍ପ କାମ ଦିଆଯାଉଛି। ବିଜିବିଓ ମାର୍ଗଦର୍ଶିକା ଓ ଓଡ଼ିଶା ପଞ୍ଚାୟତ ସମିତି ଆକଉଣ୍ଟିଂ ପ୍ରୋସିଜିଓର ରୁଲ୍ସ, ୨୦୦୨ର ନିୟମ ୭୨ ଓ ୭୩ର ଉଲ୍ଲଂଘନ କରାଯାଇ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ବୋଲି ଆବେଦନକାରୀ ଦର୍ଶାଇବା ସହିତ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।