06 JULY 2026

Welcome!

Unlock your personalized experience.
Sign Up

Ram Mandir: ଦୁଃଖ ଓ ଲଜ୍ଜା ପ୍ରକାଶ କଲେ ଗୋବିନ୍ଦ ଦେବ ଗିରି, ପାଣ୍ଠିର ଅପବ୍ୟବହାର ଅଭିଯୋଗକୁ ଖଣ୍ଡନ

Jul 05, 2026 - 21:43
Ram Mandir: ଦୁଃଖ ଓ ଲଜ୍ଜା ପ୍ରକାଶ କଲେ ଗୋବିନ୍ଦ ଦେବ ଗିରି, ପାଣ୍ଠିର ଅପବ୍ୟବହାର ଅଭିଯୋଗକୁ ଖଣ୍ଡନ

ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଦାନ ଅର୍ଥ ଚୋରି ଘଟଣାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ମହାରାଜ ପାଣ୍ଠିର କୌଣସି ପ୍ରକାର ଅପବ୍ୟବହାର ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ତେବେ ଦାନ ଅର୍ଥ ଚୋରି ଘଟଣାରେ ସେ ଗଭୀର ଭାବେ ମର୍ମାହତ, ଦୁଃଖିତ ଏବଂ ଲଜ୍ଜିତ ବୋଲି ଏକ ଭାବପୂର୍ଣ୍ଣ ଚିଠି ମାଧ୍ୟମରେ ପ୍ରକାଶ କରିଛନ୍ତି। ଟ୍ରଷ୍ଟର ଆର୍ଥିକ କାରବାରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହିଛି ଏବଂ ସେ ନିଜର ରହଣି କିମ୍ବା ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଟ୍ରଷ୍ଟରୁ ଗୋଟିଏ ହେଲେ ଟଙ୍କା ନେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ସୂଚନା ଦେଇଛନ୍ତି ଯେ ଟ୍ରଷ୍ଟର ସମସ୍ତ ଖର୍ଚ୍ଚ ଏବଂ ଆର୍ଥିକ କାରବାର ସିଧାସଳଖ ବ୍ୟାଙ୍କ ମାଧ୍ୟମରେ ହିଁ କରାଯାଇଥାଏ। ସେ ନିଜେ ପୁଣେରେ ବସବାସ କରୁଥିବାରୁ ଅଯୋଧ୍ୟା ଗସ୍ତ ପ୍ରାୟ ୪ ସପ୍ତାହ ମଧ୍ୟରେ ସୀମିତ ରହିଥାଏ। ଏଭଳି ପରିସ୍ଥିତିରେ ପାଣ୍ଠିର ହେରଫେର କିମ୍ବା ଆତ୍ମସାତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ ଦର୍ଶାଇଛନ୍ତି। ଅପରପକ୍ଷରେ, ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅଯୋଧ୍ୟା ପୁଲିସ ନିଜର ତଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରିଛି। ଏହି ଚୋରି ମାମଲାରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତ ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ରାମଶଙ୍କର ଯାଦବ ଓରଫ୍ ଟିନ୍ନୁ, କରୁଣେଶ ପାଣ୍ଡେ ଏବଂ ମନୀଷ ଯାଦବଙ୍କୁ ପୁଲିସ ମାରାଥନ ଜେରା କରିଛି। ତଦନ୍ତ ବେଳେ ଚୋରି ହୋଇଥିବା ଅର୍ଥରେ କେତେକ ସମ୍ପତ୍ତି କିଣାଯାଇଥିବା ନେଇ ସୁରାକ ମିଳିଛି। ଅଭିଯୁକ୍ତମାନଙ୍କୁ କୋର୍ଟଙ୍କ ଅନୁମତିକ୍ରମେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ପଚରାଉଚରା କରିବା ପାଇଁ ପୁଲିସ ଆବେଦନ କରିଛି।

ଆହୁରି ପଢ଼ନ୍ତୁ: Gas leaks: ତାମିଲନାଡ଼ୁ ଗ୍ୟାସ ଦୁର୍ଘଟଣାରୁ ବର୍ତ୍ତିଗଲେ ଗୁହିଆଶାଳର ଜୁଆଙ୍ଗ ଯୁବତୀ

ଏହି ମାମଲାରେ ଅନ୍ୟ ଜଣେ ସନ୍ଦିଗ୍ଧ ଅବିନାଶଙ୍କୁ ଏବେ ପୁଲିସ ହାଜତରେ ଜେରା କରାଯାଉଛି। ତଦନ୍ତରୁ ମିଳୁଥିବା ନୂତନ ତଥ୍ୟ ଆଧାରରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପୁଲିସ ରିମାଣ୍ଡରେ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏହି ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ କୋଷାଧ୍ୟକ୍ଷ ସେମାନଙ୍କୁ ଟ୍ରଷ୍ଟର ସ୍ୱଚ୍ଛତା ଏବଂ ସାଧୁତା ନେଇ ଆଶ୍ୱାସନା ଦେଇଛନ୍ତି।