15 JUNE 2026

Welcome!

Unlock your personalized experience.
Sign Up

Raja 2026: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସ କରିବା ମଉଜ.....

Jun 14, 2026 - 08:37
Raja 2026: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସ କରିବା ମଉଜ.....

ଭୁବନେଶ୍ୱର,୧୪/୦୬: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ.... । ଏହି ଗୀତର ତାଳେ ତାଳେ କିଏ ଦୋଳିରେ ଝୁଲିବେ ତ କିଏ ରିଲ୍ସ କରିବେ । ଆଜି ପହିଲି ରଜ । ସେଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ରଜର ମାହୋଲକୁ ନଜରରେ ରଖି ଓଡ଼ିଆ ଚଳଚ୍ଚିତ୍ର ହଲକୁ ଆସିଛି । ସେଥିପାଇଁ ମଧ୍ୟ ବେଶ୍ ଉତ୍ସାହିତ ଥିବାର ଦେଖାଯାଉଛି । ସେଥିପାଇଁ ଆଗୁଆ ଟିକଟ୍ ବୁକିଂ ମଧ୍ୟ ସରିଲାଣି ।

ମେହେନ୍ଦି ଲଗାଇବାକୁ ଭିଡ଼

ରଜ ଆସିଲେ ଖୋଜା ପଡ଼େ । ବିନା ମେହେନ୍ଦିରେ ଝିଅଙ୍କ ପାଇଁ ରଜ ପୂରା ଫିକା । ସେଥିପାଇଁ ମାର୍କେଟ୍ ବିଲ୍ଡିଂରେ ସଜବାଜ ଦିନ ଲାଗିଥିଲା ଝିଅମାନଙ୍କର ପ୍ରବଳ ଗହଳି । ରଜ ପାଇଁ ସେଠାରେ ଅନେକ ଶିଳ୍ପୀ ମେହେନ୍ଦି ଲଗାଇବାକୁ ବସିଛନ୍ତି । ଆଉ ପାଖରେ ଧରିଥାନ୍ତି ବିଭିନ୍ନ ପ୍ରକାର ମେହେନ୍ଦି ଡିଜାଇନ୍ ହୋଇଥିବା କାର୍ଡ । ଗ୍ରାହକ ଯେଉଁ ଡିଜାଇନ୍‌ର ମେହେନ୍ଦି ପସନ୍ଦ କରୁଛନ୍ତି ତାହାକୁ ଖୁବ୍ ଅଳ୍ପ ସମୟରେ ଲଗାଇ ଦେଉଛନ୍ତି ଶିଳ୍ପୀ । ଗୋଟେ ହାତ ମେହେନ୍ଦି ଲଗାଇଲେ ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ । ଯଦି ମେହେନ୍ଦିରେ ଅଧିକ କୁଟୁକମ ରହୁଛି ଏହାର ମୂଲ୍ୟ ମଧ୍ୟ ସେହିପରିମାଣରେ ଅଧିକ ରହୁଛି ।

ରଜରେ କେଉଁଠିକି ଯିବେ...

ରାଜଧାନୀରେ ରଜକୁ ବେଶ୍ ଧୁମ୍‌ଧାମ୍ ପାଳନ ହେଉଛି । ଉପକଣ୍ଠଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ । ଜାଗମରାସ୍ଥିତ କେସିଏ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ୩ ଦିନ ଧରି ପାଳିତ ହେବ ରଜ ମହୋତ୍ସବ । ଏଠାରେ ୩୦ଟି ରଜ ଦୋଳି ସହ ରାମଦୋଳି, ମୀନାବଜାର, ପାନ, ପିଠା ଷ୍ଟଲ ଲାଗିବ । ଖାଲି ସେତିକି ନୁହେଁ ତରୁଣୀମାନଙ୍କ ମଧ୍ୟରେ ପୂଚି, ଝୋଟି, ମେହେନ୍ଦି, ମ୍ୟୁଜିକ୍ ଚେୟାର, ତାସ ଭଳି ପ୍ରତିଯୋଗିତା ଆୟୋଜିତ ହେବ । ୪ ଦିନ ପାଳନ ହେବ ପାତ୍ରପଡ଼ା ରଜ ମହୋତ୍ସବ । ଏଥିରେ ମୁଖ୍ୟ ଆକର୍ଷଣ ରହିବ ୧୨୫ଟି ରଜ ଦୋଳି ।

ଅଧିକ ପଢ଼ନ୍ତୁ :-  Cuttack Khilipan: କଟକିଆଙ୍କ ଖିଲିପାନରେ ନିଆରା ରୋମାଞ୍ଚ, ପାଟିରେ ପଶିଲେ ଜମିବ ଖଟି, ରାଜ୍ୟ ଛାଡ଼ି ଦେଶ ବିଦେଶରେ ପହଞ୍ଚିଯିବ ଗପ

ସେହିପରି ନୂଆପଲ୍ଲୀ କସ୍ତୁରବା ପଡ଼ିଆରେ ରଜ ମହୋତ୍ସବ ଅନୁଷ୍ଠିତ ହେବ । ଏଠାରେ ୮ଟି ରଜ ଦୋଳି ସହ ରାମଦୋଳି, ମୀନାବଜାର, ପାନ, ପୋଡ଼ପିଠା ଷ୍ଟଲ ଲାଗିବ । ସାମନ୍ତରାପୁରରେ ଏକାମ୍ର ଆର୍ମି ପକ୍ଷରୁ ୩ ଦିନ ଧରି ପାଳିତ ହେବ ରଜ ଉତ୍ସବ । ଆଉ ପ୍ରତି ସନ୍ଧ୍ୟାରେ ଷ୍ଟାର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ସେହିପରେ ବିଶ୍ୱ ଓଡ଼ିଶା ପରିବାର ପକ୍ଷରୁ ରାଜ୍ୟ ସଂଗ୍ରହାଳୟରେ ରଜ ମହୋତ୍ସବ ହେବ । ଯାହା ତିନି ଦିନ ଧରି ଚାଲିବ । ସଂଭାବନା ପକ୍ଷରୁ ୧୪ ତାରିଖ ସଂନ୍ଧ୍ୟା ୫ଟାରେ ‘ରଜ ମଉଜ’ ଜୟଦେବ ଭବନରେ ଅନୁଷ୍ଠିତ ହେବ । ଉତ୍କଳ ସେବା ଓ ଶିକ୍ଷା ଚାଲିଟେବୁଲ ଟ୍ରଷ୍ଟ ପକ୍ଷରୁ ବ୍ରହ୍ମେଶ୍ୱର ଗାଁ’ ମେଳଣ ପଡ଼ିଆରେ ୪ ଦିନ ଧରି ରଜ ମହୋତ୍ସବ ପିଳିତ ହେବ । ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ରଜ ମହୋତ୍ସବ ୧୨ ତାରିଖରୁ ଆରମ୍ଭ ହୋଇଯାଇଛି । ଯାହା ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଗ୍ରାମେଶ୍ୱର ଯୁବ ପରିଷଦ, ମୁଣ୍ଡମୁହାଣ ପକ୍ଷରୁ ଗ୍ରାମେଶ୍ୱର ଦେବଙ୍କ ମେଳଣ ପଡ଼ିଆରେ ୩ ଦିନ ଧରି ରଜ ମହୋତ୍ସବ ପାଳିତ ହେବ । ସେହିପରି ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ନୂଆଗାଁ ମହୋତ୍ସବ ପଡ଼ିଆରେ ରଜ ମହୋତ୍ସବ ୧୩ ତାରିଖଠୁ ଆରମ୍ଭ ହୋଇଯାଇଛି । ଯାହା ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

ଆଜିଠୁ ପଟିଆଗଡ଼ରେ ମୁକ୍ତ ମଞ୍ଚ ନାଟକ ମହୋତ୍ସବ

ରଜପର୍ବ ଓ ଶୀତଳଷଷ୍ଠୀ ଉପଲକ୍ଷେ ପଟିଆଗଡ଼ରେ ଆଜିଠୁ ମୁକ୍ତ ମଞ୍ଚ ନାଟକ ମହୋତ୍ସବ ଅନୁଷ୍ଠିତ ହେବ । କେଶବ ରାଉତ ନାଟ୍ୟ ସ୍ମୃତି କମିଟି ପକ୍ଷରୁ ପଟିଆ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏହି ମହୋତ୍ସବ ୫ ଦିନ ଧରି ଚାଲିବ । ଆଜିଠୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ପ୍ରଥମ ଦିନ ବରିମୁଣ୍ଡ ଗ୍ରାମର କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ନାଟକ କାନ୍ଦେନା ଲୁହ ସରିଯିବ, ଦ୍ୱ ିତୀୟ ଦିନ କଳାରାହାଙ୍ଗ ପକ୍ଷରୁ ଆଖିର ଜନମ କାନ୍ଦିବା ପାଇଁ, ତୃତୀୟ ଦିନ ଡମଣା ଦ୍ୱାରା ଆଖି ଅବୁଝାକୁ ଲୁହ ଅବୁଝା, ଚତୁର୍ଥ ଦିନ ଗାଡକଣ ଗାଁର ସୁଖ ସାତପର ଦୁଃଖ ନିଜର ଓ ଶେଷ ଦିନ ପଟିଆଗଡ ଗ୍ରାମର ସାମାଜିକ ନାଟକ ଆଖି କାନ୍ଦୁଛି ତୋରି ପାଇଁ ମଞ୍ଚସ୍ଥ ହେବ । ଏହା ସହ ରଜ ଦୋଳି, ପାନ, ପିଠା ଓ ମିନା ବଜାର ରହିବ ବୋଲି କମିଟିର ସଭାପତି ଶଶୀକାନ୍ତ ମହାରଣା ଓ ସମ୍ପାଦକ ମିହିର ରାଉତ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।