Rahul Gandhi: ଛାତ୍ରମାନଙ୍କୁ ପିଟିବାକୁ ନିର୍ଦ୍ଦେଶ ଦେଇଥିଲା କିଏ: ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାହୁଲ
ନୂଆଦିଲ୍ଲୀ: ଜନ୍ତରମନ୍ତରରେ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ କିଏ ଅନୁମତି ଦେଇଥିଲା ବୋଲି ପଚାରି ରାହୁଲ ଗାନ୍ଧୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ଛାତ୍ରମାନଙ୍କୁ ପିଟିବାକୁ କିଏ ନିର୍ଦ୍ଦେଶ ଦେଇଥିଲା? ରାହୁଲ ଗାନ୍ଧୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଦୁଇଟି ପ୍ରଶ୍ନ ପଚାରିଛନ୍ତି। ଜୁଲାଇ ୨୦ ତାରିଖରେ ଦିଲ୍ଲୀର ଜନ୍ତରମନ୍ତରରୁ ସଂସଦ ମାର୍ଚ୍ଚ ସମୟରେ ଛାତ୍ରମାନଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଏବଂ ଲୁହ ବୁହା ଗ୍ୟାସ୍ ପ୍ରୟୋଗ ପାଇଁ ରାହୁଲ ଗାନ୍ଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ରବିବାର ସେ ଆନୁଷ୍ଠାନିକ ଭାବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖି ଅନେକ ପ୍ରଶ୍ନର ଉତ୍ତର ଦାବି କରିଛନ୍ତି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି,ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଉପରେ ହୋଇଥିବା ନୃଶଂସ ଆକ୍ରମଣର ଜବାବ ଦାବି କରିବା ପାଇଁ ମୁଁ ଏହି ଚିଠି ଲେଖୁଛି। ସେ ଲେଖିଛନ୍ତି, ଆମର ଛାତ୍ରମାନେ ଏକ ନିରପେକ୍ଷ ଏବଂ ଉତ୍ତରଦାୟୀ ଶିକ୍ଷା ବ୍ୟବସ୍ଥା ଦାବି କରୁଥିଲେ। ସେମାନଙ୍କ କଥା ଶୁଣିବା ପରିବର୍ତ୍ତେ, ସୁରକ୍ଷା ବାହିନୀ ମାରାତ୍ମକ ଅସ୍ତ୍ର ଏବଂ ଲୁହବୁହା ଗ୍ୟାସ୍ ଭଳି ଘାତକ ଶକ୍ତି ବ୍ୟବହାର କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଅମିତ ଶାହଙ୍କୁ ଲେଖିଥିବା ଚିଠିରେ ରାହୁଲ ଗାନ୍ଧୀ ଉଲ୍ଲେଖ କରିଛନ୍ତି ଯେ ପୁଲିସ ଏବଂ ସୁରକ୍ଷା ବାହିନୀଙ୍କ ଲାଠିଚାର୍ଜରେ ଶହ ଶହ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ପୁଲିସ ଅଧିକାରୀମାନେ ମହିଳା ଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ, ଯେଉଁଥିରେ ଜାଣିଶୁଣି ସେମାନଙ୍କ ଗୁପ୍ତାଙ୍ଗକୁ ଟାର୍ଗେଟ କରାଯାଇଥିଲା।
ରାହୁଲ ଗାନ୍ଧୀ କହିଛନ୍ତି ଯେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଘାତକ ପେଲେଟ୍ ଗନ୍ ବ୍ୟବହାର। ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ରିପୋର୍ଟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଜଣେ ସାମ୍ବାଦିକଙ୍କ ସମେତ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ରାହୁଲ ୧୯ ବର୍ଷୀୟ ଛାତ୍ର ସାହିଲ ଲୋଚାବଙ୍କୁ ଭେଟିଛନ୍ତି, ସେ ବର୍ତ୍ତମାନ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଛନ୍ତି ଏବଂ ପେଲେଟ୍ ଗନ୍ ଆଘାତ ଯୋଗୁଁ ତାଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ରହିଛି।
ସାଦା ପୋଷାକ ପିନ୍ଧି ଛାତ୍ରଙ୍କୁ ପିଟୁଥିବା ଲୋକଙ୍କ ପରିଚୟ କ’ଣ
ଅମିତ ଶାହଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ଦିଲ୍ଲୀରେ ନିୟୋଜିତ ସୁରକ୍ଷା ବାହିନୀ ଆପଣଙ୍କ ନିକଟରେ ଉତ୍ତରଦାୟୀ, ତେଣୁ ମୁଁ ଆପଣଙ୍କୁ ପଚାରୁଛି, ଗୃହମନ୍ତ୍ରୀ ଭାବରେ, ଆପଣ ଛାତ୍ରମାନଙ୍କ ଉପରେ ପେଲେଟ୍ ଗନ୍ ସମେତ ଘାତକ ଶକ୍ତି ବ୍ୟବହାରକୁ ଅନୁମତି ଦେଇଥିଲେ କି? ଯଦି ନୁହେଁ, ତେବେ କିଏ ଦେଇଥିଲେ? ସେ ପଚାରିଛନ୍ତି, ସାଦା ପୋଷାକ ପିନ୍ଧି ଛାତ୍ରମାନଙ୍କୁ ଲାଠିରେ ପିଟୁଥିବାର ଦେଖାଯାଉଥିବା ଲୋକମାନେ ପୁଲିସ ଅଧିକାରୀ ନା ସ୍ବୟଂସେବକ? ସେମାନଙ୍କୁ ନିୟୋଜିତ କରିବାକୁ କିଏ ଅନୁମତି ଦେଇଥିଲା?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।