Protest: ଇ୨୦ ପେଟ୍ରୋଲ ନୀତି ବିରୋଧରେ ଆପ୍ର ବିକ୍ଷୋଭ; ପଦଯାତ୍ରାକୁ ଅଟକାଇଲା ପୁଲିସ
"ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଇ୨୦ ଇଥାନଲ ମିଶ୍ରିତ ପେଟ୍ରୋଲ ନୀତିର ବଳପୂର୍ବକ ଲାଗୁ ବିରୋଧରେ ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଏବଂ ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ନେତୃତ୍ୱରେ ମଙ୍ଗଳବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଅଭିମୁଖେ ଏକ ପଦଯାତ୍ରା ଆରମ୍ଭ କରାଯାଇଥିଲା।
ତେବେ ଦିଲ୍ଲୀ ପୁଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ଏହି ପଦଯାତ୍ରାକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବା ପୂର୍ବରୁ ହିଁ ଫିରୋଜ ଶାହା ରୋଡ୍ ନିକଟରେ ଅଟକାଇ ଦିଆଯାଇଛି।
Advertisment ପ୍ରଶାସନ ପକ୍ଷରୁ ଅନୁମତି ପ୍ରତ୍ୟାଖ୍ୟାନ କରାଯିବା ଏବଂ ବାଟରେ ଅଟକାଯିବା ପ୍ରତିବାଦରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କ ସମେତ ସମସ୍ତ ଆପ୍ ନେତା ଓ ସମର୍ଥକ ସେହି ସ୍ଥାନରେ ହିଁ ରାସ୍ତା ଉପରେ ବସି ଜୋରଦାର ଧାରଣା ପ୍ରଦର୍ଶନ କରିଛନ୍ତି।
ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସେ ଲକ୍ଷ ଲକ୍ଷ ଜନସାଧାରଣଙ୍କ ସ୍ୱାକ୍ଷର ସମ୍ବଳିତ ସ୍ମାରକପତ୍ର ଏବଂ ଇ୨୦ ଯୋଗୁଁ ଗାଡ଼ି ନଷ୍ଟ ହୋଇଥିବା ପ୍ରାୟ ୧୦୦ ଜଣ ଗାଡ଼ି ମାଲିକଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଚାହୁଥିଲେ।
ସେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ଆସି ଦେଶରେ ଜବରଦସ୍ତ ଇ୨୦ ପେଟ୍ରୋଲ ନୀତି ଲଦି ଦେଉଛନ୍ତି।
ଆମେରିକାର ବଳକା ଇଥାନଲକୁ ଭାରତକୁ ଆମଦାନୀ କରିବା ପାଇଁ ଏକ ଗୁପ୍ତ ଏଜେଣ୍ଡା ଚାଲିଛି, ଯାହାଦ୍ୱାରା ଆଗାମୀ ୫ ବର୍ଷରେ ୨୦ ବିଲିୟନ ଡଲାରର ଇଥାନଲ ଆମେରିକାରୁ କିଣାଯିବ ଏବଂ ଏହାର କୁପରିଣାମ ଦେଶର ସାଧାରଣ ଜନତା ଏବଂ ଚାଷୀ ଭୋଗୁଛନ୍ତି।
ଟ୍ରମ୍ପଙ୍କୁ ଖୁସି କରିବାକୁ ପ୍ରଧାନମନ୍ତ୍ରୀ କପା ଚାଷୀଙ୍କ ବଳି ଚଢ଼ାଉଛନ୍ତି: ଅରବିନ୍ଦ କେଜ୍ରିୱାଲ ଇଥାନଲ୍ ମିଶ୍ରଣ ଯୋଗୁଁ ଗାଡ଼ିଗୁଡ଼ିକ ଖରାପ ହେବା ସହ ଜଳ ଓ ମୃତ୍ତିକା ପ୍ରଦୂଷିତ ହେଉଛି ବୋଲି ଅଭିଯୋଗ କରିବା ସହ କେଜ୍ରିୱାଲ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି।
ଆପ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ୩ଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି।
ପ୍ରଥମତଃ, ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକଙ୍କୁ ଇ୨୦ ଏବଂ ଶୁଦ୍ଧ ପେଟ୍ରୋଲ ମଧ୍ୟରୁ ଯେକୌଣସି ଗୋଟିଏ ବାଛିବାର ସ୍ୱାଧୀନ ବିକଳ୍ପ ମିଳୁ।
ଦ୍ୱିତୀୟତଃ, ଇ୨୦ ପେଟ୍ରୋଲର ମୂଲ୍ୟ ସାଧାରଣ ପେଟ୍ରୋଲ ଅପେକ୍ଷା ଯଥେଷ୍ଟ କମ୍ କରାଯାଉ ଏବଂ ତୃତୀୟତଃ, ଦେଶରେ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର ପିଛା ୮୪ ଟଙ୍କାରୁ କମ୍ ରଖାଯାଉ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।