Price hike: ଦରଦାମ୍ ମୁକାବିଲାରେ ଦୋମୁହାଁ ନୀତି
"ନୂଆଦିଲ୍ଲୀ: ଦେଶରେ ଏବେ ଦୁଇଟି ଅତ୍ୟାବଶ୍ୟକ ଜିନିଷର ଦାମ୍ରେ ଅହେତୁକ ବୃଦ୍ଧି ଘଟିଛି।
ତାହା ହେଉଛି ପିଆଜ ଓ ଚିନି।
ଉଭୟର ଦାମ୍ ଗ୍ରାହକଙ୍କୁ ବାଧୁଛି।
କିନ୍ତୁ ଗୋଟିଏ ଜିନିଷର ଦରବୃଦ୍ଧିରୁ ସରକାର ଲୋକମାନଙ୍କୁ ଆଶ୍ବସ୍ତି ଦେବାକୁ ଯେଉଁଭଳି ଆଗେଇ ଆସିଛନ୍ତି, ସେଭଳି ତତ୍ପରତା ଅନ୍ୟ ଜିନିଷ କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ।
ଏହା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି।କିଛି ଦିନ ମଧ୍ୟରେ ପିଆଜ କେଜି ହଠାତ୍ ୫୦ ଟଙ୍କାରୁ ଅଧିକ ହୋଇଯିବାରୁ ସରକାର ଲୋକମାନଙ୍କୁ ରିହାତି ଦରରେ ତାହା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି।
ଚିନି କ୍ଷେତ୍ରରେ କିନ୍ତୁ ସରକାର ସେଭଳି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।
ଉଭୟ ଜିନିଷର ସମ୍ପର୍କ ଚାଷୀମାନଙ୍କ ସହ ରହିଛି।
ଚିନି କେଜି ଅଳ୍ପ ଦିନ ଭିତରେ ୪୦ ଟଙ୍କାରୁ ବଢ଼ି ୭୦ ଟଙ୍କା ହୋଇଯାଇଥିଲେ ମଧ୍ୟ ସରକାର ପିଆଜ ଦର ନିୟନ୍ତ୍ରଣ ପାଇଁ ନେଇଥିବା ସାହସିକ ପଦକ୍ଷେପ ଚିନି କ୍ଷେତ୍ରରେ ନେଇପାରୁନାହାନ୍ତି।Advertisment ସରକାରଙ୍କ ଏଭଳି ଦୋମୁହାଁ ନୀତି ପଛରେ ରାଜନୈତିକ ପ୍ରଭାବ ଓ ଅର୍ଥନୈତିକ ଚାପ ରହିଥିବା କୁହାଯାଉଛି।
ଚିନି କଳଗୁଡ଼ିକ ମୁଖ୍ୟତଃ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ରହିଛି ଓ ସେଗୁଡ଼ିକର ମାଲିକାନା ବିଧାୟକ କିମ୍ବା ସାଂସଦଙ୍କ ପାଖରେ ରହିଛି।
ସେଥିପାଇଁ ଚିନି ଦର ବଢ଼ିଲେ ସରକାର ତାହାକୁ ନିଜସ୍ବ ଉଦ୍ୟମରେ ଅଧା ଦରରେ ବିକିବାକୁ ସାହସ ଜୁଟାଇପାରୁନାହାନ୍ତି।
ଚିନି କ୍ଷେତ୍ରରେ କେବଳ ମାପଚୁପ ପଦକ୍ଷେପ ଗ୍ରହଣ କରାଯାଇଛି।
ସେଗୁଡ଼ିକ ହେଉଛି ଷ୍ଟକ୍ର ସୀମା ନିର୍ଦ୍ଧାରଣ କରିବା, ବାହାରୁ ଚିନି ଆମଦାନି କରିବା।
ସେଥିରେ ଗ୍ରାହକଙ୍କୁ ତତ୍କାଳ କୌଣସି ଆଶ୍ବସ୍ତି ମିଳିବ ନାହିଁ।
Onion: ବର୍ଷା, ଖରା ପାଇଁ ପିଆଜ ମହଙ୍ଗା: ଗୋଦାମରେ ପଚିଯିବ ୪୦% ପିଆଜ, ସରକାର କେଜି ୩୫ ଟଙ୍କାରେ ବିକିବେ ପିଆଜ କ୍ଷେତ୍ରରେ ଭିନ୍ନ ରଣନୀତି କାମ କରୁଛି।
ପିଆଜକୁ ଚାଷୀମାନେ ସିଧାସଳଖ ବିକ୍ରି କରୁଛନ୍ତି।
ସେମାନେ ସଂଗଠିତ ଭାବେ ରାଜନୈତିକ ସ୍ତରରେ ପ୍ରଭାବ ବିସ୍ତାର କରିପାରିନାହାନ୍ତି।
ତେଣୁ ସେମାନଙ୍କ କ୍ଷେତ୍ରରେ ସରକାର କମ୍ ଦାମ୍ରେ ବିକିବା ଭଳି ପଦକ୍ଷେପ ନେଇପାରୁଛନ୍ତି।
ପିଆଜ ଦରବୃଦ୍ଧିର ସିଧାସଳଖ ଲାଭ ଚାଷୀମାନଙ୍କ ପାଖକୁ ଯାଇଥାଏ।
ସେମାନଙ୍କ ଆୟରେ ଏଭଳି ବୃଦ୍ଧିକୁ ସରକାର ଭିନ୍ନ ଦୃଷ୍ଟିରେ ଦେଖୁଥିବା ବେଳେ ଶିଳ୍ପସଂସ୍ଥା ଉତ୍ପାଦନ କରୁଥିବା ସାମଗ୍ରୀ ପାଇଁ ଭିନ୍ନ ନୀତି ଗ୍ରହଣ କରିଛନ୍ତି।
କୌଣସି କାରଣ ପାଇଁ ଶିଳ୍ପରେ ପ୍ରସ୍ତୁତ ସାମଗ୍ରୀ ଦର ବଢ଼ିଲେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।
କିନ୍ତୁ କୃଷିଜାତ ସାମଗ୍ରୀ ଦର ବଢ଼ିଲେ ତୁରନ୍ତ ତାହାର ମୂଲ୍ୟ କମ୍ କରିବାକୁ ଉଦ୍ୟମ କରୁଛନ୍ତି।
ଏଭଳି ସ୍ଥିତି ଉପୁଜିଲେ ସରକାରଙ୍କ ସାମନାରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବର୍ଗର ସ୍ବାର୍ଥ ରକ୍ଷାର ପ୍ରଶ୍ନ ଉଠୁଛି।
ଗୋଟିଏ ପଟେ ଚାଷୀ ଓ ଅନ୍ୟ ପଟେ ରହୁଛନ୍ତି ସାଧାରଣ ଖାଉଟି।
ସରକାରଙ୍କ ନ୍ୟାୟର ନିକିତି ସବୁବେଳେ ଖାଉଟିଙ୍କ ସ୍ବାର୍ଥ ରକ୍ଷା ଆଡ଼କୁ ଢଳୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
