03 AUGUST 2026

Welcome!

Unlock your personalized experience.
Sign Up

President Visit: ବ୍ରହ୍ମପୁରକୁ ଟ୍ରେନ୍‌ରେ ଆସୁଛନ୍ତି ମହାମହିମ, ଜଣେ ରାଷ୍ଟ୍ରପତିଙ୍କ ପ୍ରଥମ ରେଳ ଯାତ୍ରା

Aug 03, 2026 - 14:46
President Visit: ବ୍ରହ୍ମପୁରକୁ ଟ୍ରେନ୍‌ରେ ଆସୁଛନ୍ତି ମହାମହିମ, ଜଣେ ରାଷ୍ଟ୍ରପତିଙ୍କ ପ୍ରଥମ ରେଳ ଯାତ୍ରା

ବ୍ରହ୍ମପୁର, ୧ା୮(ବ୍ୟୁରୋ): ଦେଶର ପ୍ରଥମ ନାଗରିକ । ତାଙ୍କ ଯାତ୍ରା ପାଇଁ ବାୟୁସେନା ସଦା ତତ୍ପର, ଜାଗ୍ରତ । ତଥାପି ଟ୍ରେନ୍ରେ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ତାରିଖ ଦିନ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱରରୁ ବାହାରି ବ୍ରହ୍ମପୁରରେ ପହଞ୍ଚିବେ । ବ୍ରହ୍ମପୁର ଷ୍ଟେସନ୍‌କୁ ଟ୍ରେନ୍‌ ଯାତ୍ରା କରିବାରେ ସେ ହେବେ ଦେଶର ପ୍ରଥମ ରାଷ୍ଟ୍ରପତି । ତାଙ୍କ ପୂର୍ବରୁ ଅନ୍ୟ କୌଣସି ରାଷ୍ଟ୍ରପତି ଟ୍ରେନ୍‌ରେ ଯାତ୍ରା କରିଥିବା ପ୍ରମାଣ ନାହିଁ । ବ୍ରହ୍ମପୁର ଜନ୍ମିତ ସ୍ୱାଧୀନ ଭାରତର ଚତୁର୍ଥ ରାଷ୍ଟ୍ରପତି ଭିଭି ଗିରି ତାଙ୍କ ରାଷ୍ଟ୍ରପତିତ୍ୱ କାଳରେ ବ୍ରହ୍ମପୁରକୁ ଟ୍ରେନ୍ ଯାତ୍ରା କରିନଥିବା କହିଛନ୍ତି ତାଙ୍କ ଭଣଜା ଡା. ଡିଜେଜେ ସ୍ୱାମୀ ।

ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନ୍ ବ୍ରହ୍ମପୁର । ଓଡ଼ିଶାର ସର୍ବପୁରାତନ ରେଳ ଷ୍ଟେସନ୍ଗୁଡ଼ିକ ମଧ୍ୟରେ ଅନ୍ୟତମ । ସ୍ୱାଧୀନତାର ୫୦ ବର୍ଷ ପୂର୍ବରୁ ୧୮୯୬ରେ ଏହାର ପ୍ରତିଷ୍ଠା । ମହାତ୍ମା ଗାନ୍ଧୀ ବ୍ରହ୍ମପୁର ଷ୍ଟେସନ୍କୁ ଆସିଛନ୍ତି । ୨୯ ମାର୍ଚ୍ଚ ୧୯୨୧ରେ ମହାତ୍ମା ଗାନ୍ଧୀ ଏଠାକୁ ଆସିଥିଲେ । ଷ୍ଟେସନ୍ରେ ଲାଗିଥିବା ଏକ ଫଟୋରୁ ଏହାର ପ୍ରମାଣ ମିଳେ । ଗାନ୍ଧିଜୀଙ୍କ ବ୍ରହ୍ମପୁର ଷ୍ଟେସନ୍ ଆଗମନର ଶତବାର୍ଷିକୀ ସମାରୋହ ଶୀର୍ଷକ ଏହି ଫଟୋ ଷ୍ଟେସନ୍ର ପ୍ରାଚୀନତା ଏବଂ ଗୁରୁତ୍ୱକୁ ବୃଦ୍ଧି କରୁଛି । ଅନେକ ସ୍ୱାଧୀନତା ସଂଗ୍ରାମୀ ଏବଂ ସ୍ୱାଧୀନୋତ୍ତର ଭାରତର ଅନେକ ନେତା ମନ୍ତ୍ରୀ ଏ ଷ୍ଟେସନ୍ ଗସ୍ତ କରିଛନ୍ତି । ହେଲେ କୌଣସି ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳରେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଆସିଥିବା ପ୍ରମାଣ ନାହିଁ । ବ୍ରହ୍ମପୁର ଜନ୍ମିତ ଭିଭି ଗିରି ୧୯୬୯ରୁ ୧୯୭୪ ପର୍ଯ୍ୟନ୍ତ ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ପୂର୍ବରୁ ସେ ଅନେକ ରାଜ୍ୟର ରାଜ୍ୟପାଳ ଓ ଏକାଧିକ ଥର କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି । ମନ୍ତ୍ରୀତ୍ୱ କାର୍ଯ୍ୟକାଳ ଓ ରାଜ୍ୟପାଳ ଦାୟିତ୍ୱ ନିର୍ବାହ ସମୟରେ ସେ ଟ୍ରେନ୍ ଯୋଗେ ବ୍ରହ୍ମପୁରକୁ ଆସିଛନ୍ତି । ରାଷ୍ଟ୍ରପତିତ୍ୱ କାଳରେ ସେ ଥରେ ମାତ୍ର ବ୍ରହ୍ମପୁର ଆସିଛନ୍ତି । ଏମ୍‌କେସିଜି ମେଡିକାଲ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ତତ୍କାଳୀନ ରାଷ୍ଟ୍ରପତି ଭିଭି ଗିରି ଭୁବନେଶ୍ୱରରୁ କାର ଯୋଗେ ଆସିଥିବା ତାଙ୍କ ଭଣଜା ଡା. ଡିଜେଜେ ସ୍ୱାମୀ କହିଛନ୍ତି ।

ଅଧିକ ପଢ଼ନ୍ତୁ :-  President Visit: ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ରେନ୍ ଯୋଗେ ବ୍ରହ୍ମପୁରକୁ ଆସୁଛନ୍ତି । ଏକାଧିକ କାର୍ଯ୍ୟକ୍ରମ ସହ ସେ ଏହି ଯାତ୍ରାରେ ଆସୁଛନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ପ୍ରଥମ ରାଷ୍ଟ୍ରପତି ଭାବେ ସେ ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଞ୍ଚିବେ । ତାଙ୍କର ଏହି ଟ୍ରେନ୍ ଯାତ୍ରା ବ୍ରହ୍ମପୁର ଷ୍ଟେସନ୍ର ଗୁରୁତ୍ୱ ଓ ଗାରିମାକୁ ବହୁଗୁଣା ବୃଦ୍ଧି କରିବ ବୋଲି କୁହାଯାଉଛି । ରାଷ୍ଟ୍ରପତି ବ୍ରହ୍ମପୁର ଷ୍ଟେସନ୍ରେ ପହଞ୍ଚିବା ପରେ ସଡ଼କ ପଥରେ ତପ୍ତପାଣି ଯାତ୍ରା କରିବା ସ୍ଥିର ହୋଇଛି । ସେଠାରେ ବୁଡ଼ ପକାଇବା ପରେ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ ଏବଂ ଜନଜାତିଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ସେଠାରୁ ଫେରିବା ପରେ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ଅନ୍ୟ ଏକ ଉତ୍ସବରେ ଯୋଗ ଦେବା ଆପାତତଃ ସ୍ଥିର ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।