Pregnancy Is Not Disqualification: ଗର୍ଭବତୀ ହେବା ଚାକିରି ପାଇଁ ଅଯୋଗ୍ୟତା ନୁହେଁ: ହାଇକୋର୍ଟ
ଗର୍ଭବତୀ ହେବା କୌଣସି ମହିଳାଙ୍କ ସରକାରୀ ଚାକିରି ପାଇବାରେ ବାଧା ହୋଇପାରିବ ନାହିଁ। ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆଲାହାବାଦ ହାଇକୋର୍ଟ। ମାତୃତ୍ୱ ଓ ଚାକିରି ମଧ୍ୟରୁ ଗୋଟିଏକୁ ବାଛିବାକୁ ବାଧ୍ୟ କରିବା ମହିଳାଙ୍କ ପ୍ରଜନନ ଅଧିକାର ଓ ଜୀବିକାର ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଉତ୍ତର ପ୍ରଦେଶ ଫରେଷ୍ଟ ଗାର୍ଡ ଓ ୱାଇଲ୍ଡଲାଇଫ୍ ଗାର୍ଡ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥୀ କୋମଲ ଜୟସୱାଲ ଲିଖିତ ପରୀକ୍ଷାରେ ସଫଳ ହୋଇଥିଲେ। ୨୦୨୬ ଫେବୃଆରୀରେ ହେବାକୁ ଥିବା ୧୪ କିଲୋମିଟର ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ସମୟରେ ସେ ୯ ମାସର ଗର୍ଭବତୀ ଥିବାରୁ ପରୀକ୍ଷା ସ୍ଥଗିତ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଉତ୍ତର ପ୍ରଦେଶ ଅଧସ୍ଥନ ସେବା ଚୟନ ଆୟୋଗ ସେହି ଆବେଦନକୁ ଖାରଜ କରିଦେଇଥିଲା।
ଏହାକୁ ଚ୍ୟାଲେଞ୍ଜ କରି କୋମଲ ଜୟସୱାଲ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଲକ୍ଷ୍ନୌ ବେଞ୍ଚର ମୁଖ୍ୟ ବିଚାରପତି ଅରୁଣ ଭଂସାଲି ଓ ବିଚାରପତି ଜସପ୍ରୀତ ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଗର୍ଭଧାରଣ କୌଣସି ମହିଳାଙ୍କ ସରକାରୀ ଚାକିରି ପାଇଁ ଅଯୋଗ୍ୟତାର କାରଣ ହୋଇପାରିବ ନାହିଁ। ନିୟମରେ ପରୀକ୍ଷା ସ୍ଥଗିତ ଉପରେ ସ୍ପଷ୍ଟ ବାରଣ ନଥିବାରୁ ଆୟୋଗ ମାନବିକ ଓ ସମ୍ବେଦନଶୀଳ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ ଥିଲା।
କୋର୍ଟ ଆୟୋଗକୁ ଚାରି ସପ୍ତାହ ମଧ୍ୟରେ କୋମଲଙ୍କ ଫିଜିକାଲ୍ ଟେଷ୍ଟ କରାଇବା ସହ ସଫଳ ହେଲେ ସମସ୍ତ ସୁବିଧା ସହ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପର୍ଯ୍ୟନ୍ତ ଓବିସି ମହିଳା ବର୍ଗର ଗୋଟିଏ ପଦ ଖାଲି ରଖିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।