Pradip Bhandari: ‘ଗଣତନ୍ତ୍ରରେ ନିର୍ବାଚନ ମାଧ୍ୟମରେ ସରକାର ବଦଳେ’ ବିରୋଧୀଙ୍କ ଆନ୍ଦୋଳନକୁ ଭଣ୍ଡାରୀଙ୍କ ସମାଲୋଚନା
ନୂଆଦିଲ୍ଲୀ: ହିଂସାତ୍ମକ ଆନ୍ଦୋଳନକୁ ସମର୍ଥନ କରୁଥିବା ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ। ବଳପ୍ରୟୋଗ ଓ ହିଂସା ମାଧ୍ୟମରେ ସରକାର ପରିବର୍ତ୍ତନ ବା ‘ରେଜିମ୍ ଚେଞ୍ଜ୍’ କରିବା ଅଗଣତାନ୍ତ୍ରିକ ବୋଲି ସେ କହିଛନ୍ତି। ଦେଶରେ ହିଂସା ଓ ଅରାଜକତାକୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ନାଗରିକମାନେ ଏକାଠି ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଛନ୍ତି। ରବିବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍ କରି ଭଣ୍ଡାରୀ କହିଛନ୍ତି ଯେ, ବିଶ୍ୱର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ଅରାଜକତା ଭାରତରେ ହିଂସାତ୍ମକ ପ୍ରତିବାଦକୁ ସମର୍ଥନ କରୁଥିବା ଲୋକଙ୍କ ପାଇଁ ଏକ ସତର୍କ ସୂଚନା। ଏପରି ପ୍ରତିବାଦ କେବଳ ଅସନ୍ତୋଷ ପ୍ରକାଶର ମାଧ୍ୟମ ନୁହେଁ, ବରଂ ଏହାର ଶେଷ ଲକ୍ଷ୍ୟ ସରକାର ପରିବର୍ତ୍ତନ ବୋଲି ସେ ଅଭିଯୋଗ କରିଛନ୍ତି।
ଆହୁରି ପଢନ୍ତୁ: Shooting: ଅଭିନେତା ଟାଇଗର ଶ୍ରାଫ୍ଙ୍କ ଉପରକୁ ଗୁଳିମାଡ଼, ଅନେକ ଆହତ
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ପ୍ରତିବାଦ ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ଅନିୟମିତତା ଅଭିଯୋଗକୁ ନେଇ ଏହି ରାଜନୈତିକ ବିବାଦ ତୀବ୍ର ହୋଇଛି। ଦିଲ୍ଲୀରେ ବିଭିନ୍ନ ବିରୋଧୀ ଦଳ ଓ ସାମାଜିକ ସଂଗଠନ ତ୍ରିରଙ୍ଗା ଶୋଭାଯାତ୍ରା ସହ ପ୍ରତିବାଦ କରୁଛନ୍ତି। ଏହି ଆନ୍ଦୋଳନର ଉଦ୍ଦେଶ୍ୟ ନିର୍ବାଚନୀ ସଂସ୍କାର ନା ସରକାର ପରିବର୍ତ୍ତନ, ତାହାକୁ ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ର ସଭାପତି ନେହା ବୋରା ଏବଂ କଂଗ୍ରେସ ମୁଖପାତ୍ର ପବନ ଖେଡ଼ା ନିକଟରେ ‘ରେଜିମ୍ ଚେଞ୍ଜ୍’ ପ୍ରସଙ୍ଗରେ ମତ ରଖିଥିଲେ। ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯୋଗୁଁ ଶେଖ୍ ହସିନାଙ୍କ ସରକାରର ପତନ ଘଟଣାକୁ ମଧ୍ୟ ଏହି ବିତର୍କରେ ଟଣାଯାଇଛି। ଏହା ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କଂଗ୍ରେସ ଓ ତା’ର ସହଯୋଗୀ ଦଳଗୁଡ଼ିକ ଭାରତରେ ବାଂଲାଦେଶ ଭଳି ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ବିରୋଧୀ ପକ୍ଷ ସରକାର ପରିବର୍ତ୍ତନ ଗଣତନ୍ତ୍ରରେ ନାଗରିକଙ୍କ ଅଧିକାର ବୋଲି ଯୁକ୍ତି ରଖିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
