Prabhat Following Debashish's Political Path: ଦେବାଶିଷଙ୍କ ରାସ୍ତାରେ ଯାଉଛନ୍ତି କି ପ୍ରଭାତ ବିଶ୍ବାଳ ?

Jul 11, 2026 - 20:28
Prabhat Following Debashish's Political Path: ଦେବାଶିଷଙ୍କ ରାସ୍ତାରେ ଯାଉଛନ୍ତି କି ପ୍ରଭାତ ବିଶ୍ବାଳ ?

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶନିବାର ହଠାତ୍ ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ଆବିର୍ଭାବକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। କିଛିଦିନ ତଳେ ପ୍ରଭାତ ବିଶ୍ବାଳ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବିଜେପି ରାଜ୍ୟ ସଭାପତିଙ୍କ ସମେତ ଅନ୍ୟ କିଛି ବରିଷ୍ଠ ବିଜେପି ନେତା ତାଙ୍କୁ ହସ୍ପିଟାଲରେ ଭେଟି ଆଶୁ ଆରୋଗ୍ୟ କାମନା କରିଥିଲେ। ସେବେଠାରୁ ପ୍ରଭାତଙ୍କୁ ନେଇ ବଢ଼ିଥିଲା କଳ୍ପନଜଳ୍ପନା। ପ୍ରଭାତଙ୍କୁ ବିଜେଡିରୁ ବହିଷ୍କାର ଓ ସୌଭିକଙ୍କୁ ନିଲମ୍ବନ ପରେ ଚୌଦ୍ବାରରେ ବିଜେଡି ଏକ ପ୍ରକାର ମୁରବି ଶୂନ୍ୟ ହୋଇପଡିଛି। ଗତ ୯ ତାରିଖରେ ଚୌଦ୍ବାର ପୌରପାଳିକାର ୧୨ ନମ୍ବର ୱାର୍ଡ କାଉନସିଲରଙ୍କ ୧୯ଟି ୱାର୍ଡର ବିଜୁ ଯୁବ ଓ ଛାତ୍ର କମିଟିର କର୍ମକର୍ତ୍ତାମାନେ ସମୂହ ଇସ୍ତଫା ଦେଇଥିଲେ। 

କିଛିଦିନ ତଳେ ପାଣ୍ଡିଆନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ନବୀନ ନିବାସରେ ନବୀନଙ୍କୁ ରୋକଠୋକ୍ ଜବାବ୍ ଦେଇଥିଲେ ପ୍ରଭାତ। ଏହାପରେ ରାଜ୍ୟସଭା ନିର୍ବାଚନ ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କୁ ତାଙ୍କ ପୁଅ ସୌଭିକ୍ ବିଶ୍ବାଳ ଭୋଟ୍ ଦେଇ ବିଜେଡିରୁ ସସପେଣ୍ଡ ହୋଇଥିଲେ। ସେହିପରି କିଛି ଦିନ ପୂର୍ବରୁ କଟକ ସହରର ଆଉ ଜଣେ ଟାଣୁଆ ନେତା ଦେବାଶିଷ ସାମନ୍ତରାୟ ବିଜେଡିକୁ ବାଏ ବାଏ କରି ପଦ୍ମ ଧରିବା ପରେ କଟକ ଜିଲ୍ଲାରେ ବିଜେଡି ଗଡ଼ ଭୁଶୁଡ଼ିବାରେ ଲାଗିଛି। ସେପଟେ ଆଜି ହଠାତ୍ ସୌଭିକଙ୍କ ବିଜେପି ଅଫିସରେ ଆବିର୍ଭାବ ପ୍ରସଙ୍ଗରେ ବିଧାୟକ ବାବୁ ସିଂ କହିଛନ୍ତି ଦଳକୁ କିଏ ଆସିବେ ନଆସିବେ ସେ ନିଷ୍ପତ୍ତି ଦଳର ସଭାପତି ଓ ଶୀର୍ଷ ନେତୃତ୍ୱ ନିଅନ୍ତି। ପ୍ରଭାତ ବିଶ୍ୱାଳ ଆମ ଦଳକୁ ଆସିଲେ କୌଣସି ଅସୁବିଧା ନାହିଁ। ଜବାବରେ ବିଜେଡି କହିଛି, ପ୍ରଭାତ ବିଶ୍ବାଳ ବିଜେପିକୁ ଗଲେ କୌଣସି ଫରକ ପଡ଼ିବନି। 

ଏବେ ଅପେକ୍ଷା କେବେ ପଦ୍ମ ଧରୁଛନ୍ତି ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।