Polymer Banknotes Expected Soon: RBIର ବଡ଼ ଘୋଷଣା! ଏହି ସମୟ ସୁଦ୍ଧା ଆସୁଛି ନୂଆ ପଲିମର କରେନ୍ସି
ଦେଶରେ ଖୁବ୍ ଶୀଘ୍ର ବଦଳିପାରେ ଟଙ୍କା ନୋଟର ରୂପ। କାଗଜ ନୋଟ ସହ ଏବେ ଆସିପାରେ ଅଧିକ ସୁରକ୍ଷିତ ଓ ଦୀର୍ଘସ୍ଥାୟୀ ପଲିମର ନୋଟ। ୨୦୨୮ ଆର୍ଥିକ ବର୍ଷ ଆରମ୍ଭ ସୁଦ୍ଧା ଏହାକୁ ଲଞ୍ଚ କରିବାକୁ ଆଶା ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ।
ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମଲହୋତ୍ରା ବୁଧବାର ମୁଦ୍ରାନୀତି ବୈଠକ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପଲିମର କରେନ୍ସି ନୋଟକୁ ବିଭିନ୍ନ ପରିସ୍ଥିତିରେ ପରୀକ୍ଷା କରାଯିବ। ଏହି ନୋଟ ସାଧାରଣ କାଗଜ ନୋଟ ତୁଳନାରେ ଅଧିକ ଦୀର୍ଘସ୍ଥାୟୀ ହେବା ସହ ଏହାର ବ୍ୟବହାର ସମୟ ମଧ୍ୟ ଅଧିକ ରହିବ।
ପ୍ରଥମ ପର୍ଯ୍ୟାୟରେ ୧୦ ଓ ୨୦ ଟଙ୍କିଆ ନୋଟର ପାଇଲଟ୍ ପ୍ରକଳ୍ପ ଆରମ୍ଭ ହେବ। ପରୀକ୍ଷା ସଫଳ ହେଲେ ୨୦୨୭ରୁ ପର୍ଯ୍ୟାୟକ୍ରମେ ବ୍ୟାପକ ଭାବେ ଏହି ନୋଟ ପ୍ରଚଳନକୁ ଆସିବ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଲିମର ନୋଟ ଆସିଲେ ମଧ୍ୟ ବର୍ତ୍ତମାନର କାଗଜ ନୋଟ ବନ୍ଦ ହେବ ନାହିଁ। ଉଭୟ ପ୍ରକାରର ନୋଟ ଏକାସାଙ୍ଗରେ ବଜାରରେ ଚାଲିବ। ନୂଆ ନୋଟରେ ଜାଲିଆତି ରୋକିବା ପାଇଁ ଉନ୍ନତ ସୁରକ୍ଷା ବ୍ୟବସ୍ଥା ରହିବ। ଏହା ଓଦା ହେବା, ମଇଳା ଓ ଛିଣ୍ଡିଯିବା ପ୍ରତି ମଧ୍ୟ ଅଧିକ ପ୍ରତିରୋଧୀ ହେବ।
ଅନ୍ୟପଟେ, ଆରବିଆଇ ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ପଶ୍ଚିମ ଏସିଆ ସଙ୍କଟ, ଇନ୍ଧନ ଦାମର ଅନିଶ୍ଚିତତା ଓ ଯୋଗାଣ ବାଧାକୁ ଦୃଷ୍ଟିରେ ରଖି ମନେଟାରି ପଲିସି କମିଟି ଏହି ନିଷ୍ପତ୍ତି ନେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।